ଭଞ୍ଜନଗର,୧୧ା୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ଶିକ୍ଷକ ଶିକ୍ଷା ମହାବିଦ୍ୟାଳୟରେ ବୁଧବାର ଉତ୍କଳୀୟ ସଂସ୍କୃତିରେ ଶ୍ରୀଜଗନ୍ନାଥ ଉପରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟବକ୍ତା ଭାବେ ସଂସ୍କୃତି ଗବେଷକ ଡ. ଅନନ୍ତ ରାମ କର କୌଣ୍ଡିନ୍ୟ ଯୋଗଦେଇ
ଜଗନ୍ନାଥ ସଂସ୍କୃତିରେ ଉଭୟ ନାରୀ ଓ ପୁରୁଷଙ୍କୁ ସମାନ ଦୃଷ୍ଟିରେ ଦେଖା ଯାଉଥିଲା ବୋଲି କହିଥିଲେ। ଓଡ଼ିଆମାନେ ଜଗନ୍ନାଥଙ୍କୁ ପ୍ରତିଷ୍ଠା କରିଛନ୍ତି। କିନ୍ତୁ ସେ ଜଗତର ନାଥ । ଜଗନ୍ନାଥ ସଂସ୍କୃତି ସମଗ୍ର ପୃଥିବୀକୁ ବ୍ୟାପିଛି।
ଭଞ୍ଜ ରାଜବଂଶ ଜଗନ୍ନାଥ ସଂସ୍କୃତି ଏବଂ ଓଡିଆ ଭାଷାର ସୁରକ୍ଷା କରିଥିଲେ। ୧୭ ଥର ଜଗନ୍ନାଥ ମନ୍ଦିର ଉପରେ ଆକ୍ରମଣ ହୋଇଥିଲା। ୧୭୩୩ରେ ଶେଷ ଥର ପାଇଁ ଆକ୍ରମଣ ହୋଇଥିଲା। ଏହି ସମୟରେ ଠାକୁରଙ୍କୁ ରାଜ୍ୟର ବିଭିନ୍ନ ସ୍ଥାନରେ ନେଇ ଲୁଚାଇ ରଖାଯାଇଥିଲା। ୧୭୩୩ ରୁ ୩୬ ପର୍ଯ୍ୟନ୍ତ ଗଞ୍ଜାମ ସମେତ ଅନ୍ୟ ଅଞ୍ଚଳରେ
ରଖାଯାଇଥିଲା। ସେ ସମୟରେ ଘୁମୁସରର ଭଞ୍ଜ ରାଜା ଘୁମୁସରର ପାଇକମାନଙ୍କ ସହାୟତାରେ ଜଗନ୍ନାଥ ସଂସ୍କୃତିର ସୁରକ୍ଷା ପାଇଁ ଆଗଭର ହୋଇଥିଲେ। ପରାଜିତ ପୁରୀ ରାଜାଙ୍କୁ ଶାସନ ଗାଦିରେ ପୁଣି ବସାଇଥିଲେ। ନଚେତ ଜଗନ୍ନାଥ ସଂସ୍କୃତି ଆଜି ଆଉ କଣ ଲେଖା ହୋଇଥାନ୍ତା। ଏଥିସହ ଓଡ଼ିଆ ଭାଷାର ସୁରକ୍ଷା ପାଇଁ ଘୁମୁସର ମାଟିରୁ ହିଁ ପ୍ରଥମେ ଆନ୍ଦୋଳନ ଆରମ୍ଭ ହୋଇଥିଲା। ତେଣୁ ଘୁମୁସରର ରାଜା ଏବଂ ପ୍ରଜାମାନଙ୍କ ପାଇଁ ଆଜି ଜଗନ୍ନାଥ ସଂସ୍କୃତି ଓ ଓଡ଼ିଆ ଭାଷା ସୁରକ୍ଷିତ ରହିପାରିଛି ବୋଲି ଡ. କର କହିଥିଲେ। ଘୁମୁସର ମାଟି ମହାନ, ଜଗନ୍ନାଥ ସଂସ୍କୃତି, ଓଡ଼ିଆ ଭାଷା ସୁରକ୍ଷାରେ ଘୁମୁସରର ଅବଦାନ ଅତୁଳନୀୟ ବୋଲି ମଧ୍ୟ ବକ୍ତାମାନେ କହିଥିଲେ। ବ୍ରହ୍ମପୁର ସଂସ୍କୃତ ମହାବିଦ୍ୟାଳୟ ଅଧ୍ୟକ୍ଷ ଡ. ହରିହର ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ଏଥିସହ ସେ ଓଡ଼ିଶାର ମଠ ମହନ୍ତ ଇତିହାସ ଏବଂ ଜଗନ୍ନାଥ ସଂସ୍କୃତି ଉପରେ କହିଥିଲେ। ଅଧ୍ୟକ୍ଷ ଡ. ଦିଲ୍ଲୀପ କୁମାର ଖୁଣ୍ଟିଆ ସଭାରେ ଅଧ୍ୟକ୍ଷତା କରିଥିବା ବେଳେ ସମ୍ପାଦକ ଅସିଷ୍ଟାଣ୍ଡ ପ୍ରଫେସର୍ ଡ. ବାବୁରାମ ପାଣି ଅନ୍ୟତମ ଅତିଥି ଭାବେ ଯୋଗ ଦେଇଥିଲେ। ଛାତ୍ରୀ ଜ୍ୟୋତି ଭାରତୀ ମିଶ୍ର ସଂଯୋଜନା କରିଥିଲେ। ଛାତ୍ର ବିକ୍ରମ ସ୍ବାଇଁ ଧନ୍ୟବାଦ ପ୍ରଦାନ କରିଥିଲେ।
ଏହି ଅବସରରେ ଛାତ୍ରୀଛାତ୍ର ସଙ୍ଗୀତ ପରିବେଷଣ କରିଥିଲେ। ସହକାରୀ ପ୍ରଫେସର ପ୍ରକାଶ କୁମାର ସାହୁ, ସହକାରୀ ପ୍ରଫେସର ଶ୍ରୀହର୍ଷ ବାଲା, ସହକାରୀ ପ୍ରଫେସର ଡକ୍ଟର ରଞ୍ଜନ କୁମାର ନାୟକ, ଡକ୍ଟର ସତ୍ୟବାଦୀ ମାର୍ଥା, କେ. ପ୍ରକାଶ ରେଡ୍ଡୀ, ଅମିତ ମିସାଲ, ସସ୍ମିତା ବେହେରା, ଅଶ୍ୱିନ କୁମାର ସାହୁ, ଅକ୍ଷୟ କୁମାର ସେଠୀ, ବନଲତା ସାମଲ,ଅଣଶିକ୍ଷକ କର୍ମଚାରୀ ଜ୍ୟୋତ୍ସ୍ନା କର, ମାନସ ସାଗର ବେହେରା, ମହେଶ କୁମାର ପଟ୍ଟନାୟକ , ଏମ୍. ରମେଶ କୁମାର, ଅକ୍ଷୟ କୁମାର ସାହୁ , ରଙ୍କନିଧି ସାହୁ ଏଂ ମନୁ ନାଏକ ପ୍ରମୁଖ ସହଯୋଗ କରିଥିଲେ।