କଟକ,୧୪ା୧୧: ଐତିହାସିକ ବାଲିଯାତ୍ରାର ଅବଧି ବୃଦ୍ଧି ହେବା ପରେ ଗୁରୁବାର ଥିଲା ଏହାର ଶେଷ ସାଂସ୍କୃତିକ ସନ୍ଧ୍ୟା। ଗଣକବି ବୈଷ୍ଣବ ପାଣି ସାଂସ୍କୃତିକ ମଞ୍ଚରେ ଆୟୋଜିତ ‘ବଲିଉଡ୍ ନାଇଟ୍’ରେ ବଲିଉଡ୍ର ଲୋକପ୍ରିୟ ଗାୟିକା ଶ୍ରେୟା ଘୋଷାଲ୍ ନିଜ ସଙ୍ଗୀତର ଯାଦୁରେ ଲକ୍ଷାଧିକ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ।
ଶ୍ରେୟା ମଞ୍ଚରେ ପହଞ୍ଚିବା ପରେ ସମସ୍ତଙ୍କୁ ସମ୍ବୋଧନ କରି ପ୍ରଥମେ ଉପସ୍ଥିତ ସମସ୍ତଙ୍କର ମନ ଜିଣିଥିଲେ। ସେ ହଠାତ୍ ମଞ୍ଚ ଉପରେ ନିଜ ଚପଲ କାଢ଼ି ରଖିଥିଲେ ଏବଂ ‘ଜୟ ଜଗନ୍ନାଥ’ କହି ମହାପ୍ରଭୁ ଜଗନ୍ନାଥଙ୍କ ଆଶିଷ ଭିକ୍ଷା କରିଥିଲେ।
ଏହାପରେ ସେ ହିନ୍ଦୀ ଗୀତ ବଦଳରେ ସୁନ୍ଦର ଓଡ଼ିଆ ଭଜନ ‘ଶ୍ରୀକ୍ଷେତ୍ରେ ଉଡ଼ି ଉଡ଼ି ଯିବୁ ମନ ପାରାରେ’ ଗାଇଥିଲେ, ଯାହା ସେଠାରେ ଉପସ୍ଥିତ ହଜାର ହଜାର ଓଡ଼ିଆଙ୍କ ହୃଦୟକୁ ଛୁଇଁଥିଲା। ଉପସ୍ଥିତ ଜନତା ଶ୍ରେୟାଙ୍କୁ ଭରପୂର୍ ପ୍ରଶଂସା କରିଥିଲେ।
ପାଖାପାଖି ଅଢ଼େଇ ଘଣ୍ଟା ଧରି ଶ୍ରେୟା ୧୦ରୁ ଅଧିକ ଗୀତ ଗାଇଥିଲେ। ସେ ‘ସୁନ୍ ରାହା ହେ ନାଁ ତୁ…’, ‘ତୁମ୍ କ୍ୟା ମିଲେ…’, ‘ଯାଦୁ ହେ ନସ ନସା ହେ…’, ‘ସୟାରା’, ‘ପିୟା ଓରେ ପିୟା’, ‘ଦିୱାନୀ ମସ୍ତାନୀ’, ‘ଘର ମୋରେ ପରଦେଶିଆ’ ଭଳି ଦମ୍ଦାର୍ ହିନ୍ଦୀ ଗୀତ ସହିତ ଦମ୍ଦାର ନୃତ୍ୟ ଗୀତ ମଧ୍ୟ ଗାଇଥିଲେ।
ତାଙ୍କର ସଙ୍ଗୀତ ଶୁଣିବାକୁ ବାଲିଯାତ୍ରା ପଡ଼ିଆ ଏକ ଜନସମୁଦ୍ରରେ ପରିଣତ ହୋଇଯାଇଥିଲା। ପ୍ରବଳ ଭିଡ଼କୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିଲା ଏବଂ ଛୋଟ ପିଲା ଓ ବୃଦ୍ଧାବୃଦ୍ଧଙ୍କୁ ବାଲିଯାତ୍ରା ନ ଆସିବାକୁ ଅପିଲ୍ କରାଯାଇଥିଲା।