ଭୁବନେଶ୍ୱର,୧୫।୧୦: ନୂଆପଡ଼ା ଉପନିର୍ବାଚନକୁ ନେଇ ସବୁଆଡ଼େ ଚର୍ଚ୍ଚା ଜୋର ଧରିଥିବା ବେଳେ ବିଜେଡି ବୁଧବାର ଏହାର ପ୍ରାର୍ଥୀ ଘୋଷଣା କରି ଚମକାଇଦେଇଛି। ଦଳ ସ୍ନେହାଙ୍ଗିନୀ ଛୁରିଆଙ୍କୁ ପ୍ରାର୍ଥୀ ନେଇ ଘୋଷଣା କରିବା ପରେ ନିଲମ୍ବିତ ନେତ୍ରୀ ଶ୍ରୀମୟୀ ମିଶ୍ର ତେର୍ଚ୍ଛାବାଣ ମାରିଛନ୍ତି। ସେ ନିଜର ସୋସିଆଲ ମିଡିଆରେ ପୋଷ୍ଟ କରି ଏହାକୁ କହ୍ନେଇଙ୍କ ‘ଦିଲ୍ଲୀ ଡିଲ୍’ ବୋଲି ସମାଲୋଚନା କରିଛନ୍ତି।
ଶ୍ରୀମୟୀ କହିଛନ୍ତି ଯେ, ଜିଲ୍ଲା ବାହାରର ପରାଜିତ ନେତ୍ରୀ ସ୍ନେହାଙ୍ଗିନୀଙ୍କୁ ଦଳ ଟିକେଟ ଦେଇଛି। ସେ ଗତ ମାସରେ କହ୍ନେଇଙ୍କୁ ନବୀନ ବାବୁଙ୍କ ‘ମାନସ ପୁତ୍ର’ କହିବାରୁ ପୁରସ୍କୃତ ହୋଇଛନ୍ତି। ଏଥିନେଇ କୋର୍ ଟିମ ଦେଇଥିବା ସମ୍ଭାବ୍ୟ ପ୍ରାର୍ଥୀଙ୍କୁ ଅଣଦେଖା କରି ଡିଲ ହୋଇଛି। କହିବାକୁ ଗଲେ ନୂଆପଡ଼ାର ହଜାର ହଜାର ବିଜୁ ପ୍ରେମୀ ଓ ଦଳୀୟ କର୍ମୀଙ୍କ ପ୍ରତି ଏହା ଅପମାନ। ଗତ ନିର୍ବାଚନରେ ୨୯ ହଜାରରୁ ଊଦ୍ଧର୍ବ ଭୋଟ୍ରେ ସ୍ନେହାଙ୍ଗିନୀ ହାରିଥିଲେ। ଏଣୁ ନୂଆପଡ଼ାରେ ତୃତୀୟ ସ୍ଥାନରେ ରହିବା ପାଇଁ ଦିଲ୍ଲୀରେ ଷଡ଼ଯନ୍ତ୍ର ହୋଇଛି। ଯେଉଁ ଅଣଓଡ଼ିଆଙ୍କ ପାଇଁ ବିଜେଡିର ୨୪ ବର୍ଷର ଶାସନ ଚାଲିଗଲା,ଏବେ ନୂଆପଡ଼ାରେ ୩ୟ ସ୍ଥାନରେ ରହିବା ପାଇଁ ଷଡ଼ଯନ୍ତ୍ର ହୋଇଥିବା ଶ୍ରୀମୟୀ କହିଛନ୍ତି।