ଗୁଡ଼ାରି,୧୧।୪ (ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡ଼ାରି ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ବ୍ଲକର ବିଭିନ୍ନ ବିଦ୍ୟାଳୟର ୧୩ଜଣ ଶିକ୍ଷୟିତ୍ରୀ ଶିକ୍ଷକଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି।
କାର୍ଯ୍ୟାଳୟର ଚିଠି ସଂଖ୍ୟା ୬୩୭/୨୦୨୬ ତାରିଖ ୧୦।୪।୨୦୨୬ ଅନୁଯାୟୀ ଗତ ୧୦ ତାରିଖରେ ୧୩ ଜଣ ଶିକ୍ଷୟିତ୍ରୀ ଶିକ୍ଷକ ବିଦ୍ୟାଳୟ ଚାଲୁ ରହିବା ସମୟରେ ଗୁଡ଼ାରି ସହର ଅତିକ୍ରମ କରି ସ୍କୁଲ ଅଭିମୁଖେ ଯାଉଥିବା ଦେଖିବାକୁ ମିଳିଥିଲା। ବିଦ୍ୟାଳୟ ସମୟ ସକାଳ ୬ଟା୩୦ରୁ ଆରମ୍ଭ ହୋଇଥିବା ବେଳେ ଏହି ଶିକ୍ଷୟିତ୍ରୀ ଶିକ୍ଷକ ନିର୍ଦ୍ଧାରିତ ସମୟ ପରେ ଗୁଡାରି ସହର ଅତିକ୍ରମ କରିଥିଲେ। ତେଣୁ କାର୍ଯ୍ୟାଳୟ ପକ୍ଷରୁ ସେମାନଙ୍କୁ କାରଣ ଦର୍ଶାଅ ନୋଟିସ ଜାରି ହୋଇଛି।
୩ ଦିନ ମଧ୍ୟରେ ଏହାର ଉତ୍ତର ଦେବା ପାଇଁ ନିଦ୍ଦେଶ ରହିଛି, ଯଦି ଏହାର ଖିଲାପ ହୁଏ ତେବେ ସମ୍ପୃକ୍ତ ଶିକ୍ଷୟିତ୍ରୀ ଶିକ୍ଷକଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଗୋଷ୍ଠୀ ଶିକ୍ଷା ଅଧିକାରୀ ଲୋକନାଥ ସୁନା କହିଛନ୍ତି।
ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ସଂଗୁଡା ରୂପମାଝୀ ଏ ସମ୍ପର୍କରେ ତାଙ୍କୁ ଅବଗତ କରିବା ପରେ ସେମାନଙ୍କୁ ନୋଟିସ ଜାରି କରାଯାଇଛି। ଏହାଛଡ଼ା ୨ ଦିନ ପୂର୍ବେ ସେ ନିଜେ ମଧ୍ୟ ଏମ୍କେରାଇ ବିଦ୍ୟାଳୟ ନିକଟରେ କେତେଜଣ ଶିକ୍ଷକଙ୍କୁ ବିଦ୍ୟାଳୟ ଚାଲୁ ରହିବା ସମୟରେ ବାହାରେ ଦେଖିଥିବା ସୂଚନା ଦେଇଛନ୍ତି। ବିନା ସୂଚନାରେ ବିଦ୍ୟାଳୟ ସମୟରେ ବାହାରେ ଦେଖିଲେ ନିଶ୍ଚିତ ଭାବେ ଶିକ୍ଷୟିତ୍ରୀ ଶିକ୍ଷକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବିଇଓ କହିଛନ୍ତି। ଯେଉଁ ଶିକ୍ଷୟିତ୍ରୀ ଶିକ୍ଷକ ନିୟମତି ସମୟ ଅନୁସାରେ ବିଦ୍ୟାଳୟକୁ ଯାଇଥାନ୍ତି ସେମାନେ ବିଇଓଙ୍କ ଏହି କାର୍ଯ୍ୟକୁ ସ୍ବାଗତ କରିଛନ୍ତି। ବ୍ଲକ ଶିକ୍ଷକ ସଂଘ ସଭାପତି ସୁବାସ ଚନ୍ଦ୍ର ଗୌଡ଼ ସମସ୍ତ ଶିକ୍ଷୟିତ୍ରୀ ଶିକ୍ଷକ ନିର୍ଦ୍ଧାରିତ ସମୟରେ ବିଦ୍ୟାଳୟ ଯିବାକୁ ଅନୁରୋଧ କରିବା ସହ ଆସନ୍ତା ସୋମବାର ଏ ନେଇ ବିଇଓଙ୍କୁ ସଂଘର ଏକ ପ୍ରତିନିଧି ଦଳ ଭେଟି ଆଲୋଚନା କରିବେ ବୋଲି ସୂଚନା ଦେଇଛନ୍ତି।