ଭଦ୍ରକ,୨୬।୧୨(ସନାତନ ରାଉତ): ଭଦ୍ରକ ଜିଲା ଚାନ୍ଦବାଲିଠାରେ ବୁଧବାର ସନ୍ଧ୍ୟାରେ ଜଣେ ନାବାଳିକା ବୈତରଣୀ ନଦୀକୁ ଡେଇଁବା ଘଟଣା ଗୁରୁବାର ନୂଆ ମୋଡ଼ ନେଇଛି। ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଥିବା ନାବାଳିକା ଗଣମାଧ୍ୟମ ଆଗରେ ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି। ହତ୍ୟା ଉଦ୍ଦେଶ୍ୟରେ ତାଙ୍କ ପ୍ରେମିକ ତାଙ୍କୁ ନଦୀକୁ ଠେଲି ଦେଇଥିବା ସେ ପ୍ରକାଶ କରିଛନ୍ତି। ପ୍ରକାଶ ଯେ, ବାଣପୁର ଅଞ୍ଚଳର ନାବାଳିକା ଗତ ମଙ୍ଗଳବାର ସନ୍ଧ୍ୟାରୁ ନିଖୋଜ ଥିଲେ। ପରିବାର ଲୋକେ ଖୋଜାଖୋଜି କରି ତାଙ୍କର କୌଣସି ସନ୍ଧାନ ନ ପାଇବାରୁ ବୁଧବାର ସକାଳେ ନାବାଳିକାଙ୍କ ମା’ ଚାନ୍ଦବାଲି ଥାନାରେ ଝିଅ ନିଖୋଜ ନେଇ ଅଭିଯୋଗ କରିଥିଲେ। ପ୍ରେମିକ ନାବାଳିକାଙ୍କ ମା’ଙ୍କୁ ଫୋନ୍ରେ ତାଙ୍କ ଝିଅ ଚାନ୍ଦବାଲିରେ ଥିବା ଜଣାଇବା ପରେ ସେ ପୋଲିସ ସହ ଘଟଣାସ୍ଥଳକୁ ଯାଇଥିଲେ। ସେରପୁର ଅଞ୍ଚଳର ଉକ୍ତ ଯୁବକ ନାବାଳିକାଙ୍କୁ ନଦୀକୁ ଠେଲି ଦେଇ ଖସି ପଳାଇ ଯାଉଥିବା ସମୟରେ ପୋଲିସ ତାଙ୍କୁ କାବୁ କରିଥିଲା ବୋଲି ନାବାଳିକାଙ୍କ ମା’ କହିଛନ୍ତି। ଅପରପକ୍ଷେ ନାବାଳିକାଙ୍କ କହିବା ଅନୁଯାୟୀ, ଯୁବକ ଜଣକ ତାଙ୍କୁ ବିବାହ ପ୍ରଲୋଭନ ଦେଖାଇ ଦୀର୍ଘଦିନ ଧରି ଶାରୀରିକ ସମ୍ପର୍କ ରଖିଆସୁଥିଲେ। ମଙ୍ଗଳବାର ରାତିରେ ତାଙ୍କୁ ଚାନ୍ଦବାଲି ଆଣି ଶାରୀରିକ ସମ୍ପର୍କ ରଖିବା ପରେ ତାଙ୍କୁ ଅଜାଙ୍କ ଘରେ ଛାଡ଼ି ଦେଇଥିଲେ। ବୁଧବାର ସକାଳେ ବାରମ୍ବାର ଫୋନ୍ କରିଥିଲେ ମଧ୍ୟ ସେ ଉଠାଇ ନ ଥିଲେ। ଅପରାହ୍ନ ୪ଟାରେ ଚାନ୍ଦବାଲିରେ ଯୁବକ ଥିବା ଖବରପାଇ ସେ ତାଙ୍କ ପାଖକୁ ଯାଇଥିଲେ। ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ପରେ ସେ ତାଙ୍କୁ ନଦୀକୁ ଠେଲି ଦେଇଥିଲେ। ପୋଲିସ ଉକ୍ତ ଯୁବକଙ୍କୁ ଅଟକ ରଖି ପଚରାଉଚରା କରୁଛି।