ଟେଣ୍ଟ୍‌, କ୍ୟାଟରିଂ ଓ ଇଭେଣ୍ଟ୍ ପରିଚାଳନା କରିବେ ମହିଳା, ୪ ହଜାର SHG ସଦସ୍ୟାଙ୍କୁ ମିଳିବ ତାଲିମ

ନୂଆଦିଲ୍ଲୀ,୧୬ା୧: ମହିଳା ସଶକ୍ତିକରଣ କ୍ଷେତ୍ରରେ ଓଡ଼ିଶା ସରକାର ଆଉ ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ରାଜ୍ୟର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ (SHG) ସଦସ୍ୟାମାନଙ୍କୁ ଏବେ ଇଭେଣ୍ଟ ମ୍ୟାନେଜମେଣ୍ଟ ଏବଂ କ୍ୟାଟରିଂ ସର୍ଭିସ କ୍ଷେତ୍ରରେ ବୃତ୍ତିଗତ ତାଲିମ ପ୍ରଦାନ କରାଯିବ।

ଭୁବନେଶ୍ୱରସ୍ଥିତ ମିଶନ ଶକ୍ତି ଭବନରେ ରାଜ୍ୟ ମିଶନ ଶକ୍ତି ବିଭାଗ ଏବଂ ‘ଟୁରିଜିମ୍ ଆଣ୍ଡ ହସ୍ପିଟାଲିଟି ସ୍କିଲ୍ କାଉନସିଲ୍’ THSC ମଧ୍ୟରେ ଏକ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି। ଏହି କାର୍ଯ୍ୟକ୍ରମ ଅଧୀନରେ ରାଜ୍ୟର ୧,୦୦୦ଟି SHG ର ପ୍ରାୟ ୪,୦୦୦ ମହିଳାଙ୍କୁ ବିଶେଷ ତାଲିମ ଦିଆଯିବ। ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ପାଇଁ ରାଜ୍ୟ ସରକାର ୯.୩ କୋଟି ଟଙ୍କା ବ୍ୟୟ ବରାଦ କରିଛନ୍ତି।

ମହିଳାମାନଙ୍କୁ ଟେଣ୍ଟ ସର୍ଭିସ, କ୍ୟାଟରିଂ, ଖାଦ୍ୟ ଯୋଗାଣ ଏବଂ ସାମଗ୍ରିକ ଇଭେଣ୍ଟ ମ୍ୟାନେଜମେଣ୍ଟ ଶିକ୍ଷା ଦିଆଯିବ। ଏଥିସହ ବ୍ୟବସାୟିକ ସ୍ଥାୟିତ୍ୱ, FSSAI ସାର୍ଟିଫିକେଟ୍, ପ୍ରକଳ୍ପ ରିପୋର୍ଟ (DPR) ପ୍ରସ୍ତୁତି ଏବଂ ବ୍ୟବସାୟ ସମ୍ପ୍ରସାରଣ କୌଶଳ ବାବଦରେ ମଧ୍ୟ ଅବଗତ କରାଯିବ।

ଏହି ଅଭିନବ ପ୍ରୟାସ ଦ୍ୱାରା ମହିଳାମାନେ ଉଦ୍ୟୋଗୀ ହେବା ସହ ସେମାନଙ୍କର ଆର୍ଥିକ ସ୍ଥିତି ସୁଦୃଢ଼ ହେବ ଏବଂ ଅଧିକରୁ ଅଧିକ “ଲକ୍ଷପତି ଦିଦି” ସୃଷ୍ଟି ହୋଇପାରିବେ ବୋଲି ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ପ୍ରକାଶ କରିଛନ୍ତି।

ମିଶନ ଶକ୍ତି ବିଭାଗର ନିର୍ଦ୍ଦେଶିକା ଡ. ମୋନିକା ପ୍ରୀୟଦର୍ଶିନୀ ଏବଂ THSC ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ରାଜନ ବାହାଦୁରଙ୍କ ଉପସ୍ଥିତିରେ ଏହି ଚୁକ୍ତି ସମ୍ପାଦିତ ହୋଇଛି।

Share