ଜଗତ୍ସିଂହପୁର,୨୬ା୩ (ପ୍ରମୋଦ କୁମାର ନାୟକ): ମଙ୍ଗଳବାର ପରୀକ୍ଷା ସରିଲା। ବୁଧବାର ଥିଲା ବିଦାୟକାଳୀନ ଉତ୍ସବ (ଫେୟାର୍ଓ୍ବେଲ)। ତେଣୁ ମନରେ ଥିଲା ଅଫୁରନ୍ତ ଆନନ୍ଦ। ନୂଆ ଶାଢ଼ି ପିନ୍ଧି ସକାଳୁ କାଦୁଆପଡ଼ାସ୍ଥିତ ଗାଦିବ୍ରହ୍ମ ମହିଳା ମହାବିଦ୍ୟାଳୟକୁ ବାହାରି ଯାଇଥିଲେ ଜଗତ୍ସିଂହପୁର ନିକଟ ଅଳସୁଦା ଗ୍ରାମର ସୁରେନ୍ଦ୍ର ସାହୁଙ୍କ ଝିଅ ତୃପ୍ତିମୟୀ ସାହୁ। ସେ ଯୁକ୍ତ ୩ ତୃତୀୟ ବର୍ଷ ବିଜ୍ଞାନ (ପ୍ରାଣୀ ବିଜ୍ଞାନ ସମ୍ମାନ) ଛାତ୍ରୀ ଥିଲେ। କଲେଜରେ ପହଞ୍ଚିବା ପରେ ସାଙ୍ଗମାନଙ୍କ ନାଚଗୀତ ସାଙ୍ଗକୁ ଭରପୂର ମଜା କରିଥିଲେ। ଭୋଜି ସରିବା ପରେ ଅନ୍ୟମାନଙ୍କ ପରି ଘରମୁହାଁ ହୋଇଥିଲେ। ଅନ୍ୟ ଦିନ ପରି ପ୍ରଥମେ ବସ୍ରେ ଜଗତ୍ସିଂହପୁର ବସ୍ଷ୍ଟାଣ୍ଡରେ ପହଞ୍ଚିଥିଲେ। ଏହାପରେ ସାଇକେଲ ଷ୍ଟାଣ୍ଡରୁ ସାଇକେଲ ନେଇ ଘରକୁ ଫେରଥିଲେ। ଏହାହିଁ ଥିଲା ତାଙ୍କ ଜୀବନର ଶେଷଯାତ୍ରା। ମାତ୍ର କିଛି ମିନିଟ୍ ଭିତରେ କାର୍ ଦୁର୍ଘଟଣାରେ ତାଙ୍କ ମୃତ୍ୟୁ ଘଟିଛି।
ଜଗତ୍ସିଂହପୁର ଜିଲା ବାଲିକୁଦାଠାରେ ଏକ ଟ୍ରକ୍ ଦୁର୍ଘଟଣାରେ ମଙ୍ଗଳବାର ୨ ଜଣଙ୍କର ମୃତ୍ୟୁ ଘଟିଥିଲା। ଏହାର ଦିନକ ପରେ ଅର୍ଥାତ୍ ବୁଧବାର ଜିଲା ସଦର ମହକୁମାରେ ଆଉ ଏକ ଦୁର୍ଘଟଣା କେବଳ ତୃପ୍ତିମୟୀଙ୍କ ପରିବାର ନୁହେଁ, ଜଗତ୍ସିଂହପୁର ସହରରେ ଲୋକଙ୍କ ମନରେ ଗଭୀର ଦୁଃଖ ଦେଇଛି। ତୃପ୍ତିମୟୀ କଲେଜ ସାରି ଘରକୁ ସାଇକେଲ ଯୋଗେ ଫେରୁଥିବା ବେଳେ ଜିଲାପାଳଙ୍କ ଆବାସିକ କାର୍ଯ୍ୟାଳୟ ସମ୍ମୁଖରେ ବିପରୀତ ଦିଗରୁ ହଠାତ୍ ଏକ କାର୍ (ଓଡି-୩୩-ଏବି-୪୮୯୩) ସାମ୍ନା ପଟୁ ଆସି ଧକ୍କା ଦେଇଥିଲା। ଫଳରେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ଦୁର୍ଘଟଣା ପରେ ସଙ୍ଗେ ସଙ୍ଗେ ଉକ୍ତ ସ୍ଥାନରେ ଲୋକାରଣ୍ୟ ହୋଇ ଯାଇଥିଲା। ଉତ୍ତେଜନା ପ୍ରକାଶ ପାଇବା ସହ ଲୋକେ କାରଟିକୁ ଭଙ୍ଗାରୁଜା କରିଦେଇଥିଲେ। କିନ୍ତୁ କାର୍ଚାଳକ ତଥା ମାଲିକ କୌଣସିମତେ ସେଠାରୁ ଖସି ଯାଇଥିଲେ। ଉତ୍ତେଜନା ବୃଦ୍ଧି ପାଇବା ଖବରପାଇ ଜଗତ୍ସିଂହପୁର ସଦର ପୋଲିସ ଦୁର୍ଘଟଣା ସ୍ଥଳରେ ପହଞ୍ଚତ୍ ପରିସ୍ଥିତିକୁ ନିୟନ୍ତ୍ରଣ ପାଇଁ ଚେଷ୍ଟା କରିଥିଲେ। ପ୍ରାଥମିକ ପଦକ୍ଷେପ ସ୍ବରୂପ ମୃତ ଛାତ୍ରୀଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟ ନେବା ବ୍ୟବସ୍ଥା କରିବା ସହ ପରେ ଦୁର୍ଘଟଣା ସ୍ଥଳରେ ପହଞ୍ଚତ୍ ପଡ଼ିରହିଥିବା ସାଇକେଲ ଓ କାରକୁ ଜେସିବି ସାହାଯ୍ୟରେ ଉଠାଇ ଥାନାକୁ ନେଇଥିଲେ। ଏଥିସହ ମୃତ ଛାତ୍ରୀଙ୍କ ବ୍ୟାଗରେ ଥିବା ପରିଚୟ ପତ୍ରରୁ ତାଙ୍କ ପରିବାର ସଦସ୍ୟଙ୍କୁ ସୂଚନା ଦିଆଯାଇଥିଲା। ଖବରପାଇ ପରିବାର ସଦଦ୍ୟ ଓ ଗ୍ରାମବାସୀ ଜିଲା ମୁଖ୍ୟ ଚିକିତ୍ସାଳୟରେ ରୁଣ୍ଡ ହୋଇଯିବାରୁ ନିଆରା ପରିବେଶ ସୃଷ୍ଟି ହୋଇଥିଲା।
ଏ ସମ୍ପର୍କରେ ସ୍ଥାନୀୟ ଅଞ୍ଚଳର କେତେଜଣଙ୍କ କହିବା ମୁତାବକ, କାରଟି ଏହା ପୂର୍ବରୁ ଦୁଇଟି ସ୍ଥାନରେ ଦୁର୍ଘଟଣା ଘଟାଇଥିବା କୁହାଯାଉଛି। ଏ ସମ୍ପର୍କରେ ଆଇଆଇସି ସରୋଜକାନ୍ତ ସାମଲଙ୍କୁ ପଚାରିବାରୁ ଖବର ଲେଖାହେବା ପର୍ଯ୍ୟନ୍ତ ଥାନାରେ କୌଣସି ଅଭିଯୋଗ ହୋଇ ନ ଥିଲା। ମୋବାଇଲ ଟ୍ରାକିଂ କରି କାର୍ଚାଳକ ତଥା ମାଲିକଙ୍କୁ ଧରିବାରେ ପୋଲିସ ସଫଳ ହୋଇଛି। ଅଭିଯୋଗ ପରେ ମାମଲା ରୁଜୁ ସହ ଅଭିଯୁକ୍ତଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯିବ ବୋଲି ସେ କହିଛନ୍ତି।