ଗଞ୍ଜାମରେ ଲଜ୍ଜା: ପ୍ରେମିକାଙ୍କୁ ନିଶା ଦେଇ ଗଣବଳାତ୍କାର: ନାବାଳକ ପ୍ରେମିକଙ୍କୁ…

ବ୍ରହ୍ମପୁର, ୩୧।୩(ସୁବାସ ଚନ୍ଦ୍ର ପାଢୀ) : ପୁଣିଥରେ ଗଞ୍ଜାମରେ ଲଜ୍ଜା। ପ୍ରେମିକାଙ୍କୁ ନିଶା ଦେଇ ଗଣବଳାତ୍କାର ମାମଲାରେ ଗୋଷାଣୀନୂଆଗାଁ ପୋଲିସ ଦୁଇଜଣ ଅଭିଯୁକ୍ତକୁ ଗିରଫ କରିଛି। ସେମାନଙ୍କୁ ମଙ୍ଗଳବାର କୋର୍ଟଚାଲାଣ କରାଯାଇଛି। ଜଣେ ନାବାଳକ ତଥା ପୀଡ଼ିତାଙ୍କ ନାବାଳକ ପ୍ରେମିକଙ୍କୁ ପୋଲିସ ଧରିଛି। ତାଙ୍କୁ ଜୁଭେନାଇଲ ଜଷ୍ଟିସ ବୋର୍ଡ ଜେଯେବିରେ ହାଜର କରାଯାଇଛି। ଏପରିକି ପୀଡ଼ିତାଙ୍କ ସାବତ ବାପାଙ୍କ ନାମରେ ମଧ୍ୟ ମାମଲା ରୁଜୁ ହୋଇଥିବା ବ୍ରହ୍ମପୁର ଏସପି ଡ଼ା. ସର୍ବଣା ବିବେକ ଏମ.ଏକ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି। ପୋଲିସ ଘଟଣାର ତଦନ୍ତ ଜାରି ରଖିଛି। ଘଟଣାରୁ ପ୍ରକାଶ ଯେ, ନାବାଳିକା ଜଣଙ୍କ ଘର ଆନ୍ଧ୍ରପ୍ରଦେଶରେ। ନାବାଳିକାଙ୍କ ନିଜ ବାପାଙ୍କ ମୃତ୍ୟୁ ଘଟିଥିବାବେଳେ ଦ୍ବିତୀୟ ବାପାଙ୍କ ପାଖରେ ରହୁଥିଲେ। ଏହି ସମୟରେ ଦ୍ବିତୀୟ ବାପା ନାବାଳିକାଙ୍କୁ ଯୌନ ନିର୍ଯାତନା ଦେବାରୁ ନାବାଳିକା ଜଣଙ୍କ ଗତ ୨୪ତାରିଖରେ ପ୍ରଶାନ୍ତି ଏକ୍ସପ୍ରେସ ଯୋଗେ ବ୍ରହ୍ମପୁର ଆଡ଼କୁ ଆସି ବ୍ରହ୍ମପୁରରେ ଓହ୍ଲାଇଥିଲେ। ସେଠାରେ ୪ନମ୍ବର ପ୍ଲାଟଫର୍ମରେ ବୁଲାବୁଲି ନିକଟସ୍ଥ ଏକ ଚା’ ଦୋକାନରେ କାମ କରୁଥିଲେ।

ଏହି ୪ଦିନ ମଧ୍ୟରେ ସେଠାକାର ଜଣେ ନାବାଳକଙ୍କ ସହ ପ୍ରେମ ସମ୍ପର୍କ ଗଢିଉଠିଥିଲା। ଗତ ୨୯ତାରିଖ ରାତିରେ ନାବାଳିକାଙ୍କୁ ଉକ୍ତ ନାବାଳକ ପ୍ରେମିକ ଡାକି ନେଇ ତାଙ୍କ ସାଙ୍ଗ ସହ ମିଶି କଥାବାର୍ତ୍ତା କରାଇଥିଲେ। ନାବାଳିକାଙ୍କ କହିବାନୁସାରେ, ସେହି ସ୍ଥାନକୁ ଯିବା ପରେ ନାବାଳକ ପ୍ରେମିକ ଜଣଙ୍କ ସେଠାରେ ଶୋଇ ପଡ଼ିଥିଲେ।

କିଛି ନିଶା ମିଶାଇ ଦେବାରୁ ପ୍ରେମିକ ଜଣଙ୍କ ଶୋଇପଡ଼ିଥିବା ପୋଲିସ ସନ୍ଦେହ କରୁଛି । ଏପରିକି ନାବାଳିକା ଜଣଙ୍କ ମଧ୍ୟ ଅଚେତ୍‌ ହୋଇଯିବାରୁ ଉକ୍ତ ଦୁଇ ଜଣ ଯୁବକ ସାଙ୍ଗ ତାଙ୍କୁ ସେଠାରେ ବଳାତ୍କାର କରିଥିଲେ । ସେ ସେହି ଅଞ୍ଚଳରେ ପଡ଼ିରହିଥିବା ଦେଖି ସ୍ଥାନୀୟ ଲୋକ ଥାନାରେ ଜଣାଇବାରୁ ପୋଲିସ ଆସି ନାବାଳିକାଙ୍କୁ ପଚରାଉଚରା କରିଥିଲା । ପୋଲିସ ପୀଡ଼ିତାଙ୍କ ବୟାନ ଆଧାରରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ପରେ ପୀଡ଼ିତାଙ୍କ ନାବାଳକ ପ୍ରେମିକ ସହ ଦୁଇଜଣ ଯୁବକଙ୍କୁ କାବୁ କରିଥିଲା ବୋଲି କହିଛି। ପ୍ରକାଶ ଥାଉକି ଉକ୍ତ ପୋଲିସ ଜିଲାରେ ଗତବର୍ଷ ତିନି ତିନୋଟି ଗଣବଳାତ୍କାର ଘଟଣା ରାଜ୍ୟ ତଥା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଥିଲା। ପୁଣିଥରେ ଚଳିତ ବର୍ଷ ଆନ୍ଧ୍ରପ୍ରଦେଶର ଜନୈକା ନାବାଳିକା ବ୍ରହ୍ମପୁର ଆସିଥିବା ବେଳେ ତାଙ୍କୁ ଗଣବଳାତ୍କାର କରାଯାଇଥିବା ଏବେ ଚର୍ଚ୍ଚାର ବିଷୟ।

Dharitri – Odisha’s No.1 Odia Daily

 

Share