ଭୁବନେଶ୍ୱର,୭ା୩(ସୁନିତ୍ ମିଶ୍ର):ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଶୁକ୍ରବାର ଦିନିକିଆ ଓଡ଼ିଶା ଗସ୍ତରେ ଆସି ବିଳମ୍ବିତ ସାରେ ନୂଆଦିଲ୍ଲୀ ଫେରିଯାଇଛନ୍ତି। ଶାହା ତାଙ୍କ ଗସ୍ତ କାଳରେ ବିଭିନ୍ନ ସରକାରୀ କାର୍ଯ୍ୟକ୍ରମରେ ଯୋଗଦେଇଛନ୍ତି। ଏହି ଅବସରରେ ସେ ଏକ ସରକାରୀ ସଭାରେ ଉଦ୍ବୋଧନ ଦେବା ଅବସରରେ ପୂର୍ବ ବିଜେଡି ସରକାର ଏବଂ କଂଗ୍ରେସକୁ ସିଧାସଳଖ ଟାର୍ଗେଟ କରିଛନ୍ତି। ଅନ୍ୟପକ୍ଷରେ ଶାହା ଭୁବନେଶ୍ୱରସ୍ଥିତ ଭାଜପା ରାଜ୍ୟ କାର୍ଯ୍ୟାଳୟଠାରେ ବିତାଇଥିବା ପାଖାପାଖି ୧ ଘଣ୍ଟା ବିଷୟକୁ ନେଇ ବିଶେଷ ଆଲୋଚନା ହେଉଛି। ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେବା ପରେ ଶାହା ସିଧାସଳଖ ଦଳୀୟ କାର୍ଯ୍ୟାଳୟ ଯାଇଥିଲେ। ସେଠାରେ ତାଙ୍କୁ ଦଳ ପକ୍ଷରୁ ବହୁ ନେତା ଓ କର୍ମୀମାନେ ସ୍ବାଗତ କରିବା ପାଇଁ ପୂର୍ବରୁ ଉପସ୍ଥିତ ଥିଲେ। ଶାହା ଏହି ସମୟରେ ରାଜ୍ୟ ସଭା ନିର୍ବାଚନ ଏବଂ ଦଳର ଅନ୍ୟାନ୍ୟ ସାଙ୍ଗଠନିକ ବିଷୟରେ ଆଲୋଚନା କରିଥିବା ଶୁଣିବାକୁ ମିଳିଛି। ଅନ୍ୟପକ୍ଷରେ ଶାହା ଆସିଲା ପରେ ରାଜ୍ୟ ସଭାର ୩ଟି ଆସନ ଭାଜପାର ବୋଲି ତାଙ୍କ ଦଳ ନେତାମାନେ ଦମ୍ଭୋକ୍ତି ଦେଖାଇଲେଣି।
ବୈଠକ ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଦଳର ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି, ସରକାର ଏବଂ ସଙ୍ଗଠନ ନେଇ ଆଲୋଚନା ହୋଇଛି। ବରଗଡ଼ ଏମ୍ପି ପ୍ରଦୀପ ପୁରୋହିତ କହିଛନ୍ତି, ରାଜ୍ୟ ସଭାରେ ଭାଜପା ସମର୍ଥନରେ ସ୍ବାଧୀନ ପ୍ରାର୍ଥୀ ହୋଇଥିବା ଦିଲୀପ ରାୟ ନିଶ୍ଚିତ ବିଜୟୀ ହେବେ। ସରକାର, ସଙ୍ଗଠନ ଏବଂ ରାଜ୍ୟ ସଭା ନିର୍ବାଚନ ନେଇ ଆଲୋଚନା ହେଲା। ଏମ୍ପି ଏବଂ ବିଧାୟକମାନଙ୍କ ସହ ଭାଜପା କୋର୍ କମିଟି ବୈଠକ ହେଲା। ୩ ରାଜ୍ୟ ସଭା ପ୍ରାର୍ଥୀ କିପରି ବିଜୟୀ ହେବେ ସେନେଇ ଶାହା ପରାମର୍ଶ ଦେଲେ ବୋଲି ପୁରୋହିତ କହିଛନ୍ତି।
ମିଳିଥିବା ସୂଚନା ମୁତାବକ, ବିଧାୟକ,ଏମ୍ପି ଓ ଦଳୀୟ କାର୍ଯ୍ୟକର୍ତ୍ତାମାନଙ୍କୁ ଶାହା ପ୍ରଥମେ ଭେଟିଥିଲେ। ଏହି ସମୟରେ ସେମାନଙ୍କ ପରିଚୟ ପଚାରି ବୁଝିବା ପରେ ଓଡ଼ିଶାର ଶାସନ ବ୍ୟବସ୍ଥା କିଭଳି ଠିକ୍ ଭାବେ ଚାଲିବ ସେକଥା କହିଥିଲେ। ଏହାପରେ ଶାହା ୩ ବରିଷ୍ଠ ନେତା ତଥା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ମନମୋହନ ସାମଲଙ୍କୁ ନେଇ ଏକ ରୁଦ୍ଧଦ୍ୱାର ବୈଠକ କରିଥିଲେ। ଏହି ବୈଠକରେ କ’ଣ ଆଲୋଚନା ହେଲା ତାହା ସ୍ପଷ୍ଟ ହୋଇ ନ ଥିଲେ ମଧ୍ୟ ରାଜ୍ୟ ସଭା ନିର୍ବାଚନ, ନିଗମ ଓ ବୋର୍ଡର ଖାଲି ପଦବୀ ପୂରଣ ଏବଂ ଅନ୍ୟ କେତେକ ସାଂଗଠନିକ ବିଷୟ ଆଲୋଚନା ହୋଇଥିବା ଚର୍ଚ୍ଚା ହେଉଛି। ସରକାର ଏବଂ ସଙ୍ଗଠନ ଏକାଠି କିପରି କାର୍ଯ୍ୟ କରିବେ ସେନେଇ ମଧ୍ୟ ଆଲୋଚନା ହୋଇଥିବା କୁହାଯାଉଛି। ପରବର୍ତ୍ତୀ ସମୟରେ ରାଜ୍ୟ ସଭା ସ୍ବାଧୀନ ପ୍ରାର୍ଥୀ ହୋଇଥିବା ଦିଲୀପ ରାୟ ଭାଜପା କାର୍ଯ୍ୟାଳୟରେ ଶାହାଙ୍କୁ ଭେଟିଛନ୍ତି। ଭାଜପା ପାଖରେ ୪ର୍ଥ ଆସନ ଲାଗି ୨୨ ଖଣ୍ଡ ପ୍ରଥମ ପସନ୍ଦ ଭୋଟ ରହିଛି। ବିଜେଡିରୁ ବିଦାହୋଇଥିବା ୨ ବିଧାୟକଙ୍କ ସମର୍ଥନ ଦିଲୀପଙ୍କୁ ମିଳିପାରେ ବୋଲି କୁହାଯାଉଛି। ହେଲେ ବଳକା ଭୋଟ କିପରି ମିଳିବ ସେ ବିଷୟରେ ଶାହା କ’ଣ ଗୁରୁମନ୍ତ୍ର ଦେଇଛନ୍ତି, ସେକଥା ବାହାରକୁ ଜଣାପଡ଼ି ନାହିଁ। ଶାହା କିନ୍ତୁ ଆସିବା ପରେ ରାଜ୍ୟ ସଭାର ୩ୟ ପ୍ରାର୍ଥୀ ନିଶ୍ଚିତ ଜିତିଯିବେ ବୋଲି ତାଙ୍କ ଦଳର ନେତାମାନେ କହୁଛନ୍ତି।