
ଗଞ୍ଜାମ,୬ା୬(ବିଦ୍ୟାଧର ସାହୁ): ଗଞ୍ଜାମ ଏନ୍ଏସି ଅନ୍ତର୍ଗତ ଦାମୋଦରପୁର ଗ୍ରାମ ୧୨ ନମ୍ବର ଓ୍ବାର୍ଡର ମୁଖ୍ୟ ରାସ୍ତାରେ ଆବର୍ଜନା ଜଳ ଜମିରହିଥିବା ଦେଖିବାକୁ ମିଳିଛି। ଯାହା ଓ୍ବାର୍ଡବାସୀଙ୍କ ପାଇଁ ନାହିଁ ନ ଥିବା ସମସ୍ୟା ସୃଷ୍ଟି କରୁଛି। ପ୍ରତ୍ୟହ ଓ୍ବାର୍ଡର ଘରୁ ଡ୍ରେନ୍ରେ ଆସୁଥିବା ଆବର୍ଜନା ଜଳ ଓ୍ବାର୍ଡ ମଧ୍ୟରେ ଜମିରହି ପୁତିଗନ୍ଧମୟ ସୃଷ୍ଟି କରୁଛି।
ଅନ୍ୟପଟେ ଉକ୍ତ ସ୍ଥାନରୁ ମଶାମାଛିଙ୍କ ବଂଶ ବୃଦ୍ଧି ପାଉଥିବା ପରିଲକ୍ଷିତ ହେଉଛି l ଉକ୍ତ ରାସ୍ତା ଦେଇ ଯାଉଥିବା ଅଙ୍ଗନଓ୍ବାଡ଼ି କୋମଳମତି ଶିଶୁ ଓ ବରିଷ୍ଠ ନାଗରିକମାନଙ୍କ ପାଇଁ ବଡ଼ ସମସ୍ୟା ସୃଷ୍ଟି କରୁଛି l ଏନେଇ ସ୍ଥାନୀୟ କାଉନସିଲର ଆର୍. ଚନ୍ଦ୍ରଶେଖର ଓ ସ୍ଥାନୀୟ ବୁଦ୍ଧିଜୀବୀ ଏନ୍ଏସି କର୍ତ୍ତୃପକ୍ଷଙ୍କ ବାରମ୍ବାର ଦୃଷ୍ଟି ଆକର୍ଷଣ କଲେ ମଧ୍ୟ
କୌଣସି ସୁଫଳ ମିଳୁ ନ ଥିବା ଅଭିଯୋଗ ହେଉଛି।
ସେହିପରି ପୁଇଁତୋଳା ନୂଆ ସାହିରେ ମଧ୍ୟ ଅନୁରୂପ ସମସ୍ୟା। ଦୀର୍ଘଦିନ ଧରି ବର୍ଷାଜଳ ଜମି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଛି ଫଳରେ ସ୍ଥାନୀୟ ଅଞ୍ଚଳବାସୀଙ୍କ ମଧ୍ୟରେ ଘୋର ଅସନ୍ତୋଷ ପ୍ରକାଶ ପାଇଛି। ତୁରନ୍ତ ଏନ୍ଏସି ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ଜଳ ନିଷ୍କାସନ ବ୍ୟବସ୍ଥା କରିବା ପାଇଁ ପଦକ୍ଷେପ ନେବାକୁ ଦୃଢ଼ ଦାବି ହେଉଛି।