ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ କରିଥିଲେ ବଳାତ୍କାର: ଏମିତି ରାୟ ଶୁଣାଇଲେ କୋର୍ଟ  

ବ୍ରହ୍ମପୁର,୧୬।୧(ସୁବାସ ଚନ୍ଦ୍ର ପାଢ଼ୀ): ସ୍ବତନ୍ତ୍ର ପୋକ୍ସ ଜଜ୍‌ ପ୍ରଣତି ପଟ୍ଟନାୟକ ଶୁକ୍ରବାର ଏକ ନାବାଳିକା ଛାତ୍ରୀ ବଳାତ୍କାର ମାମଲାର ଚୂଡ଼ାନ୍ତ ରାୟ ପ୍ରକାଶ କରିଛନ୍ତି। ଉପଯୁକ୍ତ ସାକ୍ଷୀ ପ୍ରମାଣ ଆଧାରରେ ଜଜ୍‌ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ସେ ହେଲେ ପୋଲସରା ଅଞ୍ଚଳର ନିରଞ୍ଜନ ଶବର (୩୦)। ଅଭିଯୁକ୍ତଙ୍କୁ ୨୦ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି ଜଜ। ଏଥିସହ ୫ହଜାର ଟଙ୍କା ଜରିମାନା ଅନାଦେୟ ଅତିରିକ୍ତ ୬ମାସ ଜେଲଦଣ୍ଡର ନିର୍ଦ୍ଦେଶ ଦେଇଥିବା ନେଇ ଜଜ୍‌ ରାୟରେ ଉଲ୍ଲେଖ କରିଛନ୍ତି। ଅଭିଯୁକ୍ତଙ୍କ ଠାରୁ ଆଦାୟ ଜରିମାନା ଟଙ୍କା ପୀଡ଼ିତାଙ୍କୁ ଦେବାକୁ ମଧ୍ୟ ନିର୍ଦ୍ଦେଶ ରହିଛି।
ସେହିପରି ପୀଡ଼ିତାଙ୍କୁ ୧୦ ଲକ୍ଷ ୫୦ ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିବାକୁ ଜିଲା ଆଇନ ସେବା ପ୍ରାଧିକରଣକୁ ନିର୍ଦ୍ଦେଶ ଦେଇଛନ୍ତି ଜଜ। ପୀଡ଼ିତା ଜଣଙ୍କ ବ୍ରହ୍ମପୁରରେ ରହି ଏକ ସ୍କୁଲରେ ପାଠ ପଢ଼ୁଥିବା ପୋଲିସ କହିଛି।
ଘଟଣାରୁ ପ୍ରକାଶ, ଜଣେ ୭ମ ଶ୍ରେଣୀ ଛାତ୍ରୀଙ୍କୁ ବଳାତ୍କାର ହୋଇଥିବା ନେଇ ପୋଲସରା ଥାନାରେ ଅଭିଯୋଗ ହୋଇଥିଲା। ପୋଲିସ ୩୦୩ /୨୫ ରେ ଏକ ମାମଲା ରୁଜୁ କରିଥିଲା। ତଦନ୍ତକାରୀ ଅଧିକାରୀ ତଥା ଏସଆଇ ମିଳନ ପ୍ରଧାନ ଅଭିଯୁକ୍ତ ନିରଞ୍ଜନ ଶବରଙ୍କୁ ଗିରଫ କରିଥିଲେ। ଉଭୟ ପୀଡ଼ିତା ଓ ଅଭିଯୁକ୍ତଙ୍କ ଡାକ୍ତରୀ ମଇନା କରାଯାଇଥିଲା। ପରେ ନିରଞ୍ଜନ କୋର୍ଟ ଚାଲାଣ ହୋଇଥିଲେ। ପୋଲିସ କୋର୍ଟରେ ତାଙ୍କୁ ଅଭିଯୁକ୍ତ ଦର୍ଶାଇ କୋର୍ଟରେ ଚାର୍ଜସିଟ ଦାଖଲ କରିଥିଲା। ମାମଲାର ବିଚାରଣା ବେଳେ ୭ଜଣ ସାକ୍ଷୀଙ୍କ ବୟାନ ରେକର୍ଡ କରାଯାଇଥିଲା। ରାୟ ପ୍ରକାଶ ବେଳେ ଗିରଫ ଠାରୁ  ବ୍ରହ୍ମପୁର ମଣ୍ଡଳ କାରାଗାରରେ ଥିବା ନିରଞ୍ଜନଙ୍କୁ କୋର୍ଟରେ ହାଜର କରାଯାଇଥିଲା। ସାକ୍ଷୀବମାନଙ୍କ ବୟାନ ଓ ଚାର୍ଜସିଟକୁ ଭିତ୍ତି କରି ପ୍ରମାଣ ମିଳିଥିବାରୁ ଜଜ ଉପରୋକ୍ତ ରାୟ ପ୍ରକାଶ କରିଛନ୍ତି। ସରକାରଙ୍କ ତରଫରୁ ସ୍ବତନ୍ତ୍ର ପିପି ନାରାୟଣ ପଣ୍ଡା ମକଦ୍ଦମା ପରିଚାଳନା କରିଥିଲେ।
Dharitri – Odisha’s No.1 Odia Daily