ଧର୍ମଶାଳା,୨୯ା୧୨(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ୧୬ ନମ୍ବର ଜାତୀୟ ରାଜପଥର ଚଣ୍ଡିଖୋଲ ଛକ ନିକଟରେ ଥିବା ସର୍ଭିସ ରୋଡ୍ଟି ବାରମ୍ବାର ଜାମ୍ ରହୁଥିବା ଦେଖିବାକୁ ମିଳୁଛି। ପୋଲିସ ପ୍ରଶାସନର ଖାମଖିଆଲି ପାଇଁ ଏଭଳି ସ୍ଥିତି ହେଉଥିବା ଅଭିଯୋଗ ହୋଇଛି। କୋଲକାତାଠାରୁ ଚେନ୍ନାଇ ସଂଯୋଗ କରୁଥିବା ୧୬ ନମ୍ବର ଜାତୀୟ ରାଜପଥ ଏବଂ ପାରାଦୀପଠାରୁ ଡ଼ୁବୁରୀକୁ ସଂଯୋଗ କରୁଥିବା ୫୩ ନମ୍ବର ଜାତୀୟ ରାଜପଥ ପରସ୍ପରକୁ ଏହି ସ୍ଥାନରେ ସଂଯୋଗ କରୁଥିବାରୁ ଏଠାରେ ଚାରିଛକ ସୃଷ୍ଟି ହୋଇଛି। ତେଣୁ ପ୍ରତ୍ୟେକ ଦିନ ଶହଶହ ଗାଡ଼ି ସାଙ୍ଗକୁ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଥାଏ ଏବଂ ପୂର୍ବରୁ ଏହି ଚଣ୍ଡିଖୋଲ ଚାରି ଛକରେ ଥିବା ଟ୍ରାଫିକ ପୋଷ୍ଟ୍ରେ ଅନେକ ସମୟରେ ଦୁର୍ଘଟଣା ହେଉଥିବା କାରଣରୁ ରାସ୍ତା ମଝିରେ ଡିଭାଇଡର ରଖାଯାଇ ଆବଦ୍ଧ କରାଯାଇ ବନ୍ଦ କରାଯାଇଛି। ଯାହା ଫଳରେ ରାସ୍ତା ଆର ପାର ହେବାକୁ ସର୍ଭିସ ରୋଡ୍ ଉପରେ ସମସ୍ତ ଗାଡ଼ି ନିର୍ଭର କରିଥାନ୍ତି। ଅପରପକ୍ଷରେ ଏହି ରାସ୍ତା ପାର୍ଶ୍ୱରେ ଅନେକ ବ୍ୟବସାୟୀଙ୍କ ବ୍ୟବସାୟ ପ୍ରତିଷ୍ଠାନ ଥିବାରୁ ଲୋକେ ଗାଡ଼ି ରାସ୍ତା ପାର୍ଶ୍ୱରେ ପାର୍କିଂ କରି ଥାଆନ୍ତି । ତେଣୁ ଅଣ ଓସାରିଆ ରାସ୍ତା ମଧ୍ୟରେ ଅନେକ ସମୟରେ ଜାମ ହୋଇ ଯାଇଥାଏ। ମୁଖ୍ୟତଃ ସନ୍ଧ୍ୟାରେ ବିଶେଷ ଭିଡ଼ ଦେଖିବାକୁ ମିଳିଥାଏ। ସବୁଠାରୁ ବଡ଼ କଥା ଏହାଠାରୁ ମାତ୍ର ଦୁଇ ଶହ ମିଟର ଦୂରରେ ପୋଲିସ ଫାଣ୍ଡି ରହିଥିବା ବେଳେ ଅଳ୍ପ କିଛି କିଲୋମିଟର ଦୂରରେ ପୋଲିସ ଷ୍ଟେଶନ ରହିଛି। କିନ୍ତୁ ପୋଲିସ ପ୍ରଶାସନ ଅବହେଳା ଯୋଗୁ ଏଭଳି ପରିସ୍ଥିତି ଉପୁଜୁଥିବା ବୁଦ୍ଧିଜୀବୀ ମହଲରେ ଆଲୋଚନା ହୋଇଛି। ସରକାରଙ୍କ ପକ୍ଷରୁ ବିଭିନ୍ନ ଥାନାକୁ ନୂଆ ଗାଡ଼ି ସହ ବାଇକ୍ ଯୋଗାଇ ଦିଆଯାଉଛି। କିନ୍ତୁ କିଛି ପୋଲିସ ଅଧିକାରୀ ଏହି ଗାଡ଼ିଗୁଡ଼ିକୁ ନିଜ ବ୍ୟକ୍ତିଗତ କାର୍ଯ୍ୟରେ ବେଶୀ ବ୍ୟବହାର କରୁଥିବା ମଧ୍ୟ ଦେଖିବାକୁ ମିଳୁଛି। ଯାହା ଫଳରେ ପାଟ୍ରୋଲିଂ ଅଭାବ ଦେଖାଯାଉଛି। ରାଜ୍ୟ ସରକାର ଏବଂ ଜିଲା ପ୍ରଶାସନ ଏହା ଉପରେ ତୁରନ୍ତ ଦୃଷ୍ଟି ଦେବାକୁ ଦାବି ହୋଇଛି।


