କୋଳିମାଟି ନିକଟରେ ସିରିଜ ଦୁର୍ଘଟଣା: ତାରିଣୀ ଦର୍ଶନ ସାରି ଫେରୁଥିବା ବସ୍‌- କାର୍‌କୁ ପିଟିଲା ଟ୍ରକ, ୩୦ ଯାତ୍ରୀ…

ଆନନ୍ଦପୁର,୧୮।୧୨(ସୁଶାନ୍ତ କୁମାର ସାହୁ):ଜାତୀୟ ରାଜପଥ ୨୦ କୋଳିମାଟି ଛକ ନିକଟରେ ସିରିଜ ଦୁର୍ଘଟଣା। ଘଟଗାଁ ତାରିଣୀ ଦର୍ଶନ ସାରି ଫେରୁଥିବା ତୀର୍ଥ ଯାତ୍ରୀ ବସକୁ ଧକ୍କା ଦେଲା ଟ୍ରକ।  ଫଳରେ ୩୦ରୁ ଊର୍ଦ୍ଧ୍ୱ  ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି।

ସୂଚନାନୁଯାୟୀ, ପୁରୀ ରାମଚଣ୍ଡୀ ଥାନା ଛଇତନା ଅଞ୍ଚଳର କିଛି ଯାତ୍ରୀ  ଷୋଳପୁଅ ମା’  ନାମକ ଏକ ବସ୍‌ ଯୋଗେ ଘଟଗାଁ ମା ତାରିଣୀ ପୀଠକୁ ଦର୍ଶନ କରିବାକୁ ଆସିଥିଲେ। ସେମାନେ ଦର୍ଶନ ସାରି ଫେରୁଥିବା ବେଳେ କୋଳିମାଟି ନିକଟରେ ବସକୁ ରାସ୍ତା ପାର୍ଶ୍ୱରେ ରଖି ବିଶ୍ରାମ ନେଉଥିଲେ। ଏହି ସମୟରେ ପଛରୁ ଆସୁଥିବା ଏକ ଟ୍ରକ ଗୋଟିଏ କାରକୁ ଧକ୍କା ଦେଇ ବସକୁ ଧକ୍କା ଦେଇଥିଲା। ଦୁର୍ଘଟଣା ଏତେ ଜୋର ଥିଲା ଯେ ବସଟି ଆଗରେ ଠିଆ ହୋଇଥିବା ଆଉ ଗୋଟିଏ ଟ୍ରକ ଉପରେ ଚଢି ଯାଇଥିଲା। ଦୁର୍ଘଟଣା ସମୟରେ ବସର ଚାରି ଜଣ ଯାତ୍ରୀ ନିକଟସ୍ଥ କୋଳିମାଟି ସାପ୍ତାହିକ ହାଟକୁ ଯାଇଥିବା ବେଳେ ସେମାନେ ଦୁର୍ଘଟଣାରୁ ବର୍ତ୍ତିଯାଇଥିଲେ। ସ୍ଥାନୀୟ ଲୋକେ ସଙ୍ଗେ ସଙ୍ଗେ ପୋଲିସ ଓ ଅଗ୍ନିଶମ ବାହିନୀକୁ ଯୋଗାଯୋଗ ପରେ ୩୦ରୁ ଊର୍ଦ୍ଧ୍ୱ ଗୁରୁତର ଯାତ୍ରୀଙ୍କୁ ଉଦ୍ଧାର କରାଯାଇ ଆନନ୍ଦପୁର ମେଡିକାଲରେ ଭର୍ତ୍ତି କରାଯାଇଛି। ଘସିପୁରା ପୋଲିସ ଟ୍ରକକୁ ଜବତ କରିଥିବା ବେଳେ ବାରମ୍ବାର ସେହି ସ୍ଥାନରେ ଦୁର୍ଘଟଣା ଘଟୁଥିବା ସ୍ଥାନୀୟ ଲୋକେ ପ୍ରକାଶ କରିଛନ୍ତି ।

Dharitri – Odisha’s No.1 Odia Daily

Share