ନୂଆଦିଲ୍ଲୀ,୨୬।୯: ସେପ୍ଟେମ୍ୱର ମାସରେ ଚାକିରିଆମାନଙ୍କ ଅସୁବିଧା ବଢ଼ିପାରେ। UFBU ପକ୍ଷରୁ ସେପ୍ଟେମ୍ୱର ୨୮ ରୁ ୩୦, ୨୦୨୬ ପର୍ଯ୍ୟନ୍ତ ତିନି ଦିନିଆ ବ୍ୟାଙ୍କ ଧର୍ମଘଟ ଘୋଷଣା କରାଯାଇଛି। ଏହି ଧର୍ମଘଟର ସବୁଠାରୁ ବଡ଼ ପ୍ରଭାବ ବ୍ୟାଙ୍କ ଶାଖାର ସେବାଗୁଡ଼ିକ ଉପରେ ପଡ଼ିବ ଏବଂ ଏହାଦ୍ୱାରା ଦରମା ମିଳିବାରେ ବିଳମ୍ୱ ହୋଇପାରେ। ତେଣୁ ମାସ ଶେଷ ସମୟରେ ଧର୍ମଘଟ ହେଉଥିବାରୁ ଦରମା ଜମା (ସାଲାରୀ କ୍ରେଡିଟ)କୁ ନେଇ ଲୋକଙ୍କ ମନରେ ଅନେକ ପ୍ରଶ୍ନ ଉଙ୍କି ମାରୁଛି।
ତଥାପି, ଏହାର ଅର୍ଥ ଏହା ନୁହେଁ ଯେ ସମସ୍ତ କର୍ମଚାରୀଙ୍କ ସେପ୍ଟେମ୍ୱର ମାସର ଦରମା ବିଳମ୍ୱରେ ହିଁ ଆସିବ। ଦରମା କେବେ ଆସିବ, ତାହା କମ୍ପାନୀ କେବେ ଏବଂ କେଉଁ ବ୍ୟାଙ୍କିଂ ବ୍ୟବସ୍ଥା ମାଧ୍ୟମରେ ପେରୋଲ ପ୍ରୋସେସ (Payroll Process) କରୁଛି ତାହା ଉପରେ ର୍ନିଭର କରିବ। ଯଦି କମ୍ପାନୀ ପୂର୍ୱରୁ ହିଁ ପେରୋଲ ପ୍ରୋସେସ କରିସାରିଛି, ତେବେ ବ୍ୟାଙ୍କ ଧର୍ମଘଟ ସତ୍ତ୍ୱେ ର୍ନିଦ୍ଧାରିତ ସମୟରେ ଖାତାକୁ ଦରମା ଆସିପାରେ।
UFBU ପାଞ୍ଚ ଦିନିଆ ବ୍ୟାଙ୍କିଂ ବ୍ୟବସ୍ଥା ସମେତ ନିଜର ଦାବିଗୁଡ଼ିକୁ ନେଇ ସେପ୍ଟେମ୍ୱର ୨୮, ୨୯ ଏବଂ ୩୦ ତାରିଖରେ ଧର୍ମଘଟ କରୁଛି। ଏହା ପୂର୍ୱରୁ ସେପ୍ଟେମ୍ୱର ୧୧ ତାରିଖରେ ମଧ୍ୟ ଗୋଟିଏ ଦିନ ପାଇଁ ବ୍ୟାଙ୍କ ଧର୍ମଘଟ ହୋଇଥିଲା। ସରକାରଙ୍କ ସୂଚନା ଅନୁଯାୟୀ, ବର୍ତ୍ତମାନ ସେପ୍ଟେମ୍ୱର ୨୮ ରୁ ୩୦ ପର୍ଯ୍ୟନ୍ତ ତିନି ଦିନିଆ ଧର୍ମଘଟ ପ୍ରସ୍ତାବିତ ରହିଛି। ସେପ୍ଟେମ୍ୱର ୩୦ ତାରିଖରେ ବ୍ୟାଙ୍କଗୁଡ଼ିକର ଅର୍ଦ୍ଧବାର୍ଷିକ କ୍ଲୋଜିଂ (Half-Year Closing) ମଧ୍ୟ ରହିଛି।
ଗ୍ରାହକମାନେ ଯେପରି କ୍ରମାଗତ ଅନେକ ଦିନ ଧରି ବ୍ୟାଙ୍କିଂ ସେବାରେ ସମସ୍ୟାର ସମ୍ମୁଖୀନ ନ ହୁଅନ୍ତି, ସେଥିପାଇଁ ସରକାର ସେପ୍ଟେମ୍ୱର ୨୭ (ରବିବାର) ଦିନ ସମସ୍ତ ପବ୍ଲିକ ସେକ୍ଟର ବ୍ୟାଙ୍କ ଏବଂ ଆଞ୍ଚଳିକ ଗ୍ରାମୀଣ ବ୍ୟାଙ୍କ (RRB) ଖୋଲା ରଖିବାକୁ ନିଷ୍ପତ୍ତି ନେଇଛନ୍ତି। RBI ମଧ୍ୟ ଏହି ଦିନ ବ୍ୟାଙ୍କ ଶାଖା, ଅଫିସ, ଏଟିଏମ ସଂଯୁକ୍ତ ଶାଖା ଏବଂ କରେନ୍ସି ଚେଷ୍ଟଗୁଡ଼ିକୁ କାର୍ଯ୍ୟକ୍ଷମ ରଖିବା ପାଇଁ ଅନୁମତି ପ୍ରଦାନ କରିଛି।
ଦରମା ବାବଦରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ସମସ୍ତ କର୍ମଚାରୀଙ୍କ ଦରମା ଉପରେ ଏହାର ସମାନ ପ୍ରଭାବ ପଡ଼ିବ ନାହିଁ। ସମ୍ଭାବ୍ୟ ସମସ୍ୟାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ନିଜ କର୍ମଚାରୀ, ଶିଳ୍ପ ଶ୍ରମିକ ଏବଂ ପେନସନଭୋଗୀମାନଙ୍କ ସେପ୍ଟେମ୍ୱର ମାସର ପ୍ରାପ୍ୟ ପୂର୍ୱରୁ ହିଁ ପ୍ରଦାନ କରିବାକୁ ବ୍ୟବସ୍ଥା କରିଛନ୍ତି।
କେନ୍ଦ୍ର ସରକାରୀ କର୍ମଚାରୀମାନଙ୍କ ସେପ୍ଟେମ୍ୱର ମାସର ଦରମା, ଭତ୍ତା ଏବଂ ପେନସନ ସେପ୍ଟେମ୍ୱର ୨୫ ତାରିଖ ସୁଦ୍ଧା ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ସେପ୍ଟେମ୍ୱର ୨୮ ରୁ ୩୦ ତାରିଖ ମଧ୍ୟରେ ଥିବା ବ୍ୟାଙ୍କ ଧର୍ମଘଟକୁ ଆଖି ଆଗରେ ରଖି ଏହି ପଦକ୍ଷେପ ନିଆଯାଇଛି।
ଘରୋଇ କ୍ଷେତ୍ରର କର୍ମଚାରୀମାନଙ୍କ ପାଇଁ ଦରମା ଜମା ହେବା ସମ୍ପୂର୍ଣ୍ଣ ରୂପେ ପେରୋଲ ପ୍ରକ୍ରିୟା ଉପରେ ର୍ନିଭର କରିବ। ଯଦି କମ୍ପାନୀ ମାସ ଶେଷ ପୂର୍ୱରୁ ଦରମା ଫାଇଲ ଏବଂ ପେମେଣ୍ଟ ପ୍ରକ୍ରିୟା ସମ୍ପୂର୍ଣ୍ଣ କରିଦିଏ, ତେବେ ବ୍ୟାଙ୍କ ଧର୍ମଘଟର ସିଧାସଳଖ ପ୍ରଭାବ ପଡ଼ିବା ନିଶ୍ଚିତ ନୁହେଁ।
ଅନ୍ୟପକ୍ଷରେ, ଯଦି ଦରମା ପ୍ରଦାନ ପ୍ରକ୍ରିୟା ସେପ୍ଟେମ୍ୱର ୨୮ ରୁ ୩୦ ମଧ୍ୟରେ କରାଯିବାକୁ ଥାଏ ଏବଂ ତାହା ଧର୍ମଘଟରେ ସାମିଲ ଥିବା ବ୍ୟାଙ୍କର ସେବା ଉପରେ ର୍ନିଭର କରୁଥାଏ, ତେବେ ଟଙ୍କା ଜମା ହେବାରେ ବିଳମ୍ୱ ହୋଇପାରେ। ତେଣୁ କର୍ମଚାରୀମାନେ ନିଜ କମ୍ପାନୀର HR ସହିତ ଯୋଗାଯୋଗ କରି ଦରମା ପ୍ରକ୍ରିୟା ସମ୍ପର୍କରେ ବୁଝିନେବା ଉଚିତ।

