ଭୁବନେଶ୍ୱର,୩୦ା୮(ସୁନିତ୍ ମିଶ୍ର):ବରିଷ୍ଠମାନଙ୍କ ପରେ ଏବେ ବିଜେଡିରେ ଯୁବ ଓ ଛାତ୍ର ସଭାପତି ଚୟନକୁ ନେଇ ଦଳର ଛାମୁଆ ସଙ୍ଗଠନରେ ଅସନ୍ତୋଷ ତୀବ୍ରରୂପ ଧାରଣ କରିଛି। ଛାତ୍ର ସଭାପତି ଚୟନକୁ ନେଇ ଛାତ୍ରନେତାମାନଙ୍କ ମେଳି ଶୁକ୍ରବାର ସକାଳେ ସ୍ଥାନୀୟ ଏକ ମଣ୍ଡପରେ ଦେଖିବାକୁ ମିଳିଥିବା ବେଳେ ସାରେ ଶଙ୍ଖଭବନରେ ଯୁବନେତାମାନେ ବରିଷ୍ଠଙ୍କୁ ଘେରିଛନ୍ତି। ସୂଚନା ମୁତାବକ, ଗତ ମଙ୍ଗଳବାର ବିଜେଡି ସଭାପତି ନବୀନ ପଟ୍ଟନାୟକ ଛାତ୍ର ସଭାପତି ଭାବେ ଈପ୍ସିତା ସାହୁଙ୍କ ନାମ ଘୋଷଣା କରିଥିଲେ। ଏହାକୁ ଦଳର ଅନେକ ଛାତ୍ରନେତା ଗ୍ରହଣ କରିପାରିନାହାନ୍ତି। ଏହି ବିଷୟକୁ କେନ୍ଦ୍ରକରି ବହୁ ଛାତ୍ରନେତା ଖଣ୍ଡଗିରି ପାଖ ଏକ ମଣ୍ଡପରେ ଶୁକ୍ରବାର ଏକାଠି ହୋଇଥିଲେ। ଯେଉଁମାନଙ୍କର ଦଳରେ କୌଣସି ଅବଦାନ ନାହିଁ, ସେମାନଙ୍କୁ କାହିଁକି ପଦପଦବୀ ଦିଆଗଲା ବୋଲି ବୈଠକରେ ଆଲୋଚନା ହୋଇଥିଲା। ଯଦି ନିଷ୍ପତ୍ତିର ପୁନର୍ବିଚାର କରା ନ ଯାଏ ତେବେ ଆଗକୁ କୌଣସି କଲେଜ, ବିଶ୍ୱବିଦ୍ୟାଳୟ ଏବଂ ଆନ୍ଦୋଳନରେ ଛାତ୍ରନେତାମାନେ ସହଯୋଗ କରିବେ ନାହିଁ ବୋଲି ନିଷ୍ପତ୍ତି ହୋଇଥିଲା। ଏହାପରେ ବୈଠକ କରିଥିବା ଛାତ୍ରନେତାମାନେ ଦଳର ବରିଷ୍ଠ ନେତା ସଞ୍ଜୟ ଦାସବର୍ମାଙ୍କୁ ତାଙ୍କ ବାସଭବନରେ ଭେଟି ନିଜର ଅସନ୍ତୋଷ ଜଣାଇଥିଲେ। ସଞ୍ଜୟ ଏ ବିଷୟରେ ଦଳର ସଭାପତିଙ୍କ ସହ ଆଲୋଚନାକରି ଜଣାଇବେ ବୋଲି କହିଥିଲେ। ଉଲ୍ଲେଖଯୋଗ୍ୟ, ‘ବରିଷ୍ଠ’ ସାଜୁଥିବା ଅଧିକାଂଶ ବିଜୁ ଜନତା ଦଳର ନେତା, ଯେଉଁମାନେ ବିଜେଡିରେ ମଙ୍ଗ ଧରିଛନ୍ତି ବୋଲି କହୁଛନ୍ତି, ସେମାନେ କେହି ଗତ ବିଧାନସଭା ନିର୍ବାଚନରେ ଜିତିପାରିନାହାନ୍ତି। ସେହି ତଥାକଥିତ ବରିଷ୍ଠ ନେତାମାନଙ୍କୁ ଛାତ୍ର ନେତାମାନେ ଶନିବାର ଭେଟି ନୂଆ ସଭାପତି ଚୟନ ଉପରେ ପ୍ରଶ୍ନ କରିବେ ବୋଲି ଜଣାପଡ଼ିଛି।
ଛାତ୍ର ନେତାମାନଙ୍କ ଏହି ଆଲୋଚନା ପରେ ଦଳର ଯୁବ ନେତାମାନଙ୍କ ଅସନ୍ତୋଷ ଦାନା ବାନ୍ଧିଥିଲା। ଯୁବ ନେତାମାନେ ଶଙ୍ଖ ଭବନରେ ପଶି କାହା ଇଙ୍ଗିତରେ ଏଭଳି ନିଷ୍ପତ୍ତି ହୋଇଛି ବୋଲି ପ୍ରଶ୍ନ ଉଠାଇଥିଲେ। ଏହାପରେ ଦଳର ବରିଷ୍ଠ ନେତା ଦେବୀପ୍ରସାଦ ମିଶ୍ର ଅସନ୍ତୁଷ୍ଟ ଯୁବ ନେତାମାନଙ୍କୁ ଡାକି ବୈଠକ କରିଥିଲେ। ବୈଠକରେ ଯୁବ ନେତାମାନେ ପ୍ରବଳ ହଙ୍ଗାମା କରିଥିଲେ। ସନ୍ଧ୍ୟା ସାଢେ ୭ଟାରୁ ଯୁବ ନେତାମାନେ ପ୍ରାୟ ରାତି ୧୦ଟା ୩୦ ପର୍ଯ୍ୟନ୍ତ ସଭାପତି ଚୟନ ନିଷ୍ପତ୍ତି ନେଇ ଯୁକ୍ତିତର୍କ କରିଚାଲିଥିଲେ। ଏହି ସମୟରେ ଦେବୀ ମିଶ୍ର ଉକ୍ତ ନିଷ୍ପତ୍ତି ସମ୍ପର୍କରେ ଜାଣି ନ ଥିବା କଥା କହିଥିଲେ। ଯୁବ ନେତାମାନେ ଏହି ଉତ୍ତର ଶୁଣି ଉତ୍କ୍ଷିପ୍ତ ହେବା ସହ ଯଦି ନିଷ୍ପତ୍ତି ସମ୍ପର୍କରେ ଜାଣିନ ତେବେ କାହିଁକି ଏଠି ବସିଛ ବୋଲି ପାଲଟା ପ୍ରଶ୍ନ କରିଥିଲେ। ନିଷ୍ପତ୍ତି ପରିବର୍ତ୍ତନ ନ ହେଲେ କେହି ଦଳ ସହିତ ଆଉ ରହିବେ ନାହିଁ ବୋଲି ଯୁବ ନେତାମାନେ ସିଧାସଳଖ ଶୁଣାଇ ଦେଇଛନ୍ତି। ସବୁ ବରିଷ୍ଠ ନେତାଙ୍କୁ ଡାକ, ଏକଥା ଉପରେ ଯଦି କିଛି ଚୂଡ଼ାନ୍ତ ନ ହୁଏ, ତେବେ ଏଠାରୁ ଯିବୁ ନାହୁଁ ବୋଲି କହି ସେମାନେ ଚେତାବନୀ ଦେଇଥିଲେ। କିଏ ବିଜେଡି ଯୁବ ଓ ଛାତ୍ର ସଭାପତି ଚୟନ କରିଛନ୍ତି, ଏନେଇ କିଏ ନିଷ୍ପତ୍ତି ନେଇଛନ୍ତି ତାଙ୍କୁ ଏଠିକି ଡକା ନ ହେଲେ ଛଡ଼ାଯିବ ନାହିଁ ବୋଲି ମଧ୍ୟ ସେମାନେ ଦେବୀ ମିଶ୍ରଙ୍କୁ କହିଥିଲେ। ଦଳର ନିଷ୍ପତ୍ତି ନବୀନ ନିଅନ୍ତି ବୋଲି ଦେବୀ କହିବାରୁ ଆମମାନଙ୍କୁ ଦଳର ସଭାପତିଙ୍କ ପାଖକୁ ନେଇକି ଚାଲ ବୋଲି ସେମାନେ କହିଥିଲେ। ଏହି ଖବର ଛପାହେବା ପର୍ଯ୍ୟନ୍ତ ପରିସ୍ଥିତି ଅମୀମାଂସିତ ଥିବା କେତେଜଣ ଯୁବନେତା ଖବର ଦେଇଛନ୍ତି।