ଜିଲା ସଭାପତି ଘୋଷଣା ପରେ ଅସନ୍ତୁଷ୍ଟ ବରିଷ୍ଠ ନେତା, କର୍ମୀ : ସାମୂହିକ ଭାବେ ଇସ୍ତଫା ଦେବା ନେଇ…

ରାୟଗଡ଼ା,୯।୯(ଆଶିଷ ରଞ୍ଜନ ପଣ୍ଡା): ଗତ ୪ ତାରିଖରେ ବିଜେଡି ଜିଲା ସଭାପତି ଭାବେ ଜଗନ୍ନାଥ ସାରକାଙ୍କ ନାମ ଘୋଷଣା ପରେ ଜିଲା ବିଜେଡିରେ ଭୃକୁଞ୍ଚନ ସୃଷ୍ଟି ହୋଇଛି। ଜିଲାରେ ବିଜେଡିରେ ବରିଷ୍ଠ ନେତା ଓ କର୍ମୀଙ୍କ ମନରେ କୁହୁଳିଛି ଅସନ୍ତୋଷର ନିଆଁ। ଜଗନ୍ନାଥଙ୍କୁ ସଭାପତି ଘୋଷଣା ପରେ ଜିଲାରେ ଦୁର୍ବଳ ହୋଇଯାଇଛି ବିଜେଡି ସଂଗଠନ। ଦଳରୁ ପୂର୍ବତନ ରାଜ୍ୟସଭା ସାଂସଦ ଏନ ଭାସ୍କର ରାଓ, ପୂର୍ବତନ ମନ୍ତ୍ରୀ ଲାଲବିହାରୀ ହିମରିକା, ବ୍ଲକ ଅଧ୍ୟକ୍ଷା ଟୁନି ହୁଇକା, ପୂର୍ବତନ ପୌର ଅଧ୍ୟକ୍ଷ ରାଇସିଂ ବିଡିକା, ପୂର୍ବତନ ଜିଲା ପରିଷଦ ଅଧ୍ୟକ୍ଷ ଗଙ୍ଗାଧର ପୁଆଲାଙ୍କ ସମେତ ହଜାର ସଂଖ୍ୟାରେ ବିଜେଡି ନେତା ଓ କର୍ମୀ ଭାସ୍କର ରାଓଙ୍କ କାର୍ଯ୍ୟାଳୟରେ ଏକତ୍ରିତ ହୋଇଛନ୍ତି। ଆଉ ଅଳ୍ପ ସମୟରେ ସମସ୍ତେ ଦଳରୁ ସାମୂହିକ ଭାବେ ଇସ୍ତଫା ଦେବେ ବୋଲି ନିଷ୍ପତ୍ତି ହୋଇଥିବା ଜଣାପଡିଛି। ତେବେ ଦଳରୁ ଇସ୍ତଫା ଦେବା ପରେ ଭାସ୍କର ରାଓଙ୍କ ନେତୃତ୍ୱରେ ବିଜୁ ବାବୁଙ୍କ ନୀତି ଓ ଆଦର୍ଶରେ ଆଉ ଏକ ନୂତନ ଆଞ୍ଚଳିକ ଦଳ ଘୋଷଣା ନେଇ ମଧ୍ୟ ଚୂଡାନ୍ତ ହୋଇଥିବା ଜଣାପଡିଛି। ତେବେ ଦେଖିବାକୁ ବାକି ରହିଲା ଗୋଟିଏ ପଟେ ୨୫ ବର୍ଷରେ ବିଜେଡି ଦଳ ଓ ବିଜୁ ପଟ୍ଟନାୟକଙ୍କ ପୁଅ ତଥା ଓଡ଼ିଶାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସଭାପତିତ୍ୱରେ ବିଜେଡି ଦଳ ଓ ବର୍ତ୍ତମାନ ବିଜୁ ବାବୁଙ୍କ ଆଦର୍ଶରେ ଗଠନ ହେବାକୁ ଯାଉଥିବା ନୂତନ ଆଞ୍ଚଳିକ ଦଳ ମଧ୍ୟରେ କିଭଳି ମୁକାବିଲା ହେବ ଏବଂ ଏହା ଆଗାମୀ ପଞ୍ଚାୟତ ନିର୍ବାଚନରେ ବିଜେଡି ସମେତ ଜାତୀୟ ଦଳ କଂଗ୍ରେସ ଓ ଭଜପା ଉପରେ କିଭଳି ପ୍ରଭାବ ପକେଇବ ତାହା ଦେଖିବାକୁ ବାକି ରହିଲା।

Share
Tags: odisha