କଟକ,୨୫।୨: ଏଣିକି ଓ ପୋଲିସର ସୁରକ୍ଷା ବଳୟ ଭିତରେ ସୁରକ୍ଷିତ ରହିବେ ବୃଦ୍ଧ ପିତାମାତା। ସିନିୟର ସିଟିଜେନଙ୍କୁ ଓଡ଼ିଶା ପୋଲିସ ସୁରକ୍ଷା ଦେବ । ଏଥିପାଇଁ ହାଇକୋର୍ଟ ନିର୍ଦ୍ଦେଶ ଜାରି କରିଛନ୍ତି । ବୟସ୍କ ବାପା-ମା’ଙ୍କ ସୁରକ୍ଷା ପାଇଁ ଲଢିବ ଓଡ଼ିଶା ପୋଲିସ । ଖାଲି ବାପା-ମା’ ନୁହେଁ, ବରିଷ୍ଠ ନାଗରିକଙ୍କ ଭରଣପୋଷଣ ପାଇଁ ବି ପୋଲିସ ଦାୟିତ୍ୱବାନ ରହିବା ଉଚିତ୍ ବୋଲି ଉଚ୍ଚ ନ୍ୟାୟାଳୟ କହିଛନ୍ତି । ଏହା ସ୍ଥାନୀୟ ପୋଲିସ ଏସପିଙ୍କର ଦାୟିତ୍ୱ ବୋଲି ହାଇକୋର୍ଟ ରାୟ ପ୍ରକାଶ କରିଛନ୍ତି ।
ହାଇକୋର୍ଟ କହିଛନ୍ତି ଯେ, ମାତା-ପିତା ତଥା ବରିଷ୍ଠ ନାଗରିକଙ୍କ ଭରଣପୋଷଣ, କଲ୍ୟାଣ ଅଧିନିୟମ, ୨୦୦୭ ଓ ଓଡ଼ିଶାରେ ପ୍ରଣୟନ ହୋଇଥିବା ଏ ସଂପର୍କିତ ୨୦୦୯ର ନିୟମାବଳୀ ଅନୁସାରେ ନିଜ କାର୍ଯ୍ୟ ପରିସର ଅଞ୍ଚଳର ସମସ୍ତ ବରିଷ୍ଠ ନାଗରିକଙ୍କ ମଙ୍ଗଳ ସୁନିଶ୍ଚିତ କରିବା ଏସପିଙ୍କ ଦାୟିତ୍ୱ। ବିଶେଷ କରି ନିଜ ଘରେ ପୁଅ ଏବଂ ବୋହୂଙ୍କ ଦ୍ୱାରା ନିର୍ଯାତିତ ହେଉଥିବା ବରିଷ୍ଠ ନାଗରିକଙ୍କ ପ୍ରତି ପୋଲିସର ଦାୟିତ୍ୱ ଗୁରୁତ୍ୱପୂର୍ଣ୍ଣ ବୋଲି ହାଇକୋର୍ଟ କହିଛନ୍ତି । ତେବେ ଏଥିରେ ଖିଲାପ ହେଲେ ପୋଲିସ ଏହା ବିରୋଧରେ ପଦକ୍ଷେପ ଗ୍ରହଣ କରିପାରିବ। କୋର୍ଟଙ୍କ ଅନୁସାରେ, ଯଦି ପୁଅ-ବୋହୂଙ୍କ ସହ ବିବାଦର ସମାଧାନ ନ ହୁଏ ତେବେ ଆବେଦନାକରୀ ପିତା ମାତା ୨୦୦୭ର ଅଧିନିୟମ ତଥା ୨୦୦୯ର ନିୟମାବଳୀ ଅନୁଯାୟୀ ସେମାନଙ୍କୁ ନିଜ ଘରୁ ଉଚ୍ଛେଦ ପାଇଁ ପଦକ୍ଷେପ ନେଇପାରିବେ । ଏପରି ପ୍ରକ୍ରିୟାରେ ପୋଲିସ ସେମାନଙ୍କୁ ସହଯୋଗ କରିପାରିବ ବୋଲି ହାଇକୋର୍ଟ ରାୟ ଦେଇଛନ୍ତି । ରାଉରକେଲା ପ୍ଲାଣ୍ଟସାଇଟ ଥାନା ଅଞ୍ଚଳର ଦୁଇ ଜଣ ବରିଷ୍ଠ ନାଗରିକଙ୍କ ତରଫରୁ ଦାୟର ଆବେଦନର ଶୁଣାଣି କରି କୋର୍ଟ ଏପରି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି ।