ବାଘଛାଲ ରାକେଟରେ ଯବାନ

ଭୁବନେଶ୍ୱର,୨ା୯(ସୂର୍ଯ୍ୟକାନ୍ତ ବେହେରା): ବାଘ ଛାଲ ବିକ୍ରି ପାଇଁ ରାଜଧାନୀ ଉପକଣ୍ଠ ତମାଣ୍ଡୋ ଥାନା ଅନ୍ତର୍ଗତ କାଶୀପୁରରେ ଚାଲିଥିଲା ଡିଲ୍‌। ଗ୍ରାହକ ବେଶରେ ଚଢ଼ାଉ କରି ସମ୍ପୃକ୍ତ ରାକେଟକୁ ଧରିଛି ବନ ବିଭାଗ। ଏହି ଅପରେଶନରେ ଜଣେ ଯବାନଙ୍କ ସମେତ ମୋଟ ୭ଜଣଙ୍କୁ ଗିରଫ କରାଯିବା ସହ ଏକ ବାଘଛାଲ ଜବତ ହୋଇଛି। ଗତ ୨୮ ତାରିଖରେ ବାଘଛାଲ ଜବତ ସହ ଅଭିଯୁକ୍ତ ବିଭୂତି ଭୂଷଣ ନାୟକ, ସନତ ଉର୍ମା, ସନ୍ତୋଷ ସାହୁ ଏବଂ ଓଆଇଏସ୍‌ଏଫ୍‌ ଯବାନ ପପୁ ସାହୁଙ୍କୁ ଗିରଫ କରାଯାଇଥିବାବେଳେ ଫେରାର ଥିବା ଅନ୍ୟ ୩ଜଣଙ୍କୁ ଏବେ ବୌଦ୍ଧ ଓ ନୟାଗଡ଼ରୁ ଗିରଫ କରାଯାଇଛି। ସେମାନେ ହେଲେ ପ୍ରବୀଣ କୁମାର ପ୍ରଧାନ, କବିରାଜ ସ୍ବାଇଁ ଓ ଅମିତ ମଲ୍ଲିକ। ପ୍ରବୀଣ ଓ କବିରାଜଙ୍କୁ ବନ ବିଭାଗ କୋର୍ଟ ଚାଲାଣ କରିଥିବା ବେଳେ ଅମିତଙ୍କୁ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛି। ସେମାନଙ୍କ ନିକଟରୁ ୫ ମୋବାଇଲ, ବାଘ ନିଶ, ବାଘ ଦାନ୍ତ ଓ ବାଘ ନଖ ଆଦି ଜବତ ହୋଇଛି। ନୟାଗଡ ଓ ବୌଦ୍ଧ ବନଖଣ୍ଡ ଅଧିକାରୀ, ଡବ୍ଲ୍ୟୁସିସିବିର କର୍ମଚାରୀଙ୍କ ଜଏଣ୍ଟ ଟାସ୍କ ଫୋର୍ସଙ୍କ ସହଯୋଗରେ ନଗର ବନଖଣ୍ଡ କର୍ମଚାରୀମାନେ ଏହି ଅପରେଶନରେ ସାମିଲ ଥିଲେ। ଅମିତ ମଲ୍ଲିକ ଶିକାରୀ ହୋଇଥିବା ବେଳେ ଅନ୍ୟମାନେ ଏହି ରାକେଟର ସଦସ୍ୟ ବୋଲି ଜଣାପଡିଛି।
ସୂଚନା ଅନୁଯାୟୀ, ଅଗଷ୍ଟ ୨୮ ସକାଳେ ତମାଣ୍ଡୋ କାଶୀପୁରରେ ଏକ କଲରାପତରିଆ ବାଘ ଛାଲ ବେପାର ଚାଲିଥିବା ସମ୍ପର୍କରେ ବନ ବିଭାଗ ଖବର ପାଇଥିଲା। ଏହାପରେ ଭୁବନେଶ୍ୱର ନଗର ବନଖଣ୍ଡ ଅଧିକାରୀଙ୍କ ନିର୍ଦ୍ଦେଶକ୍ରମେ ବନ କର୍ମଚାରୀମାନେ ସେଠାରେ ପହଞ୍ଚତ୍ଥିଲେ। ବନ ବିଭାଗର ଜଣେ କର୍ମଚାରୀ ଗ୍ରାହକ ବେଶରେ ସନ୍ଦିଗ୍ଧ ବିଭୂତି ଭୂଷଣଙ୍କୁ ଭେଟିଥିଲେ। ଏହାପରେ ବେପାରୀ ସାଜିଥିବା ବନ କର୍ମଚାରୀ ବାଘଛାଲ କଥା ପଚାରିବାରୁ ଅଭିଯୁକ୍ତ ବିଭୂତି ବସ୍ତାରେ ରଖିଥିବା ଛାଲକୁ ଦେଖାଇଥିଲେ। ଏହି ସମୟରେ ବନ ବିଭାଗର କର୍ମଚାରୀମାନେ ଘେରିଯାଇ ତାଙ୍କୁ କାବୁ କରିବା ସହ ଛାଲ ଜବତ କରିଥିଲେ। ଅଭିଯୁକ୍ତ ବିଭୂତିଙ୍କୁ ପଚରାଉଚରା ବେଳେ ଅନ୍ୟ ଅଭିଯୁକ୍ତଙ୍କ ସମ୍ପର୍କରେ ତଥ୍ୟ ହାସଲ କରି ସେମାନଙ୍କୁ ଗିରଫ କରାଯାଇଥିଲା।

Share
Tags: tiger skin