ଭୁବନେଶ୍ୱର,୨୯।୯: ପାର୍ବଣ ପାଇଁ ଗାଁଠୁ ସହର ସବୁଠି ଉତ୍ସବର ମାହୋଲ ଥିବା ବେଳେ ଟ୍ବିନସିଟି କଟକ-ଭୁବନେଶ୍ୱର ପାଇଁ କମିଶନରେଟ୍ ପୋଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ସୁରକ୍ଷାକୁ ଦୃଷ୍ଟିରେ ରଖି ଟ୍ବିନସିଟିରେ ୬୧ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଥିବା ସୋମବାର ଏକ ଖବରଦାତା ସମ୍ମିଳନୀରେ ପୋଲିସ କମିଶନର ଏସ୍.ଦେବଦତ୍ତ ସିଂହ ସୂଚନା ଦେଇଛନ୍ତି। ଏପରିକି ପୋଲିସ ସହ ୨୦ ପ୍ଲାଟୁନ ହୋମଗାର୍ଡଙ୍କୁ ମଧ୍ୟ ମୁତୟନ କରାଯାଇଥିବା ସେ କହିଛନ୍ତି।
୧୯୩ ମଣ୍ଡପ ପାଇଁ ସୁରକ୍ଷା ବ୍ୟବସ୍ଥା ହୋଇଛି। ୨୪ଟି ପେଣ୍ଡାଲରେ ଅଳଙ୍କାର ସୁରକ୍ଷା ବ୍ୟବସ୍ଥା ହୋଇଛି। ବିଦ୍ୟୁତ୍ ଏବଂ ନିଆଁରୁ ଲୋକଙ୍କୁ ରକ୍ଷା କରିବା ପାଇଁ ପୋଲିସ ପକ୍ଷରୁ ବିଶେଷ ପଦକ୍ଷେପ ନିଆଯାଇଛି।
ଭିଡ଼ ଏବଂ ଟ୍ରାଫିକ ନିୟନ୍ତ୍ରଣ ଉପରେ ପୋଲିସ ପକ୍ଷରୁ ଗୁରୁତ୍ୱ ଦିଆଯାଇଛି। ଡ୍ରୋନ ସହାୟତାରେ ମଣ୍ଡପ ଉପରେ ନଜର ରଖାଯାଇଛି। ଏପରିକି ସ୍ମାର୍ଟ କଣ୍ଟୋଲ ରୁମ ଜରିଆରେ ପାର୍ବଣ ପରିଚାଳନା କରାଯାଉଛି।
ସିସିଟିଭି ନଜରରେ ସମସ୍ତ ପୂଜା ମଣ୍ଡପ ରହିଛି। ପାର୍ବଣକୁ ଶାନ୍ତି ଶୃଙ୍ଖଳା ସହ ପାଳନ କରିବାକୁ ପୋଲିସ କମିଶନର ଜନସାଧାରଣଙ୍କୁ କହିବା ସହ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି।