ସମ୍ବଲପୁର,୧୦।୪(ପ୍ରମୋଦ ବହିଦାର): ସମ୍ବଲପୁରରେ ଅନୁଷ୍ଠିତ ହେବାକୁ ଥିବା ହନୁମାନ ଜୟନ୍ତୀ ସହ ବାଇକ ରାଲି ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ସହରର ଶାନ୍ତିଶୃଙ୍ଖଳା ବଜାୟ ରଖିବା ପାଇଁ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରାଯାଇଥିବା ସୂଚନା ମିଳିଛି। ଏଥିପାଇଁ ଜିଲାପରିଷଦ ସମ୍ମୀଳନୀ କକ୍ଷରେ ଶୁକ୍ରବାର ପୂର୍ବାହ୍ନରେ ଆରକ୍ଷୀ ଅଧିକ୍ଷକ ମୁକେଶ କୁମାର ଭାମୂଙ୍କ ଅଧ୍ୟକ୍ଷତାରେ ସମ୍ବଲପୁରରେ ପୋଲିସ ସୁରକ୍ଷା ବ୍ୟବସ୍ଥାକୁ ନେଇ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ଏହି ଅବସରରେ ସମ୍ବଲପୁର ଏସ୍ପି ମୁକେଶ କୁମାର ଭାମୁ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ରାଲି ପାଇଁ ସ୍ବତନ୍ତ୍ର ରୁଟ ମ୍ୟାପ ପ୍ରସ୍ତୁତ କରାଯିବା ସହ ସମ୍ବେଦନଶୀଳ ଅଞ୍ଚଳଗୁଡ଼ିକ ଉପରେ ତୀକ୍ଷ୍ଣ ନଜର ରଖାଯାଇଛି। ଏହାବ୍ୟତୀତ ବରଗଡ଼, ଝାରସୁଗୁଡ଼ା ଏବଂ ବଲାଙ୍ଗୀର ଭଳି ପଡ଼ୋଶୀ ଜିଲାରୁ ମଧ୍ୟ ଅଧିକାରୀମାନେ ଆସି ଏହି ସୁରକ୍ଷା ବ୍ୟବସ୍ଥାରେ ସହଯୋଗ କରୁଛନ୍ତି। ଡ୍ରୋନ କ୍ୟାମେରା ଏବଂ ଏକ ସ୍ବତନ୍ତ୍ର ୩୬୦ ଡିଗ୍ରୀ ସିସିଟିଭି କ୍ୟାମେରା ଖଞ୍ଜା ଯାଇଥିବା ଗାଡି ସାହାଯ୍ୟରେ ସମଗ୍ର ରାଲି ଉପରେ ନଜର ରଖାଯିବ। କଣ୍ଟ୍ରୋଲ ରୁମ ମାଧ୍ୟମରେ ପ୍ରତିଟି ଗତିବିଧିକୁ ଅନୁଧ୍ୟାନ କରାଯିବା ସହ ବିଭିନ୍ନ ସ୍ଥାନରେ ସିସିଟିଭି କ୍ୟାମେରା ମଧ୍ୟ ଲଗାଯାଇଛି। ସହରରେ ଶାନ୍ତି ଏବଂ ସଦଭାବନା ରକ୍ଷା କରିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ଜନସାଧାରଣଙ୍କୁ ସହଯୋଗ କରିବାକୁ ଅନୁରୋଧ କରାଯାଇଛି। ସୁରକ୍ଷା ବ୍ୟବସ୍ଥାରେ ମୋଟ ୨୭ ପ୍ଲାଟୁନ ପୋଲିସ ଫୋର୍ସ ସହ ୧୫୮ ଜଣ ପୋଲିସ ଅଧିକାରୀଙ୍କୁ ନିୟୋଜିତ କରାଯାଇଛି। ଏଥିମଧ୍ୟରେ ସିଏପିଏଫ୍ର ଦୁଇଟି କମ୍ପାନୀ ଏବଂ ବିଏସଏଫର ଗୋଟିଏ କମ୍ପାନୀ ସାମିଲ ଅଛନ୍ତି ବୋଲି ସେ ସୂଚନା ଦେଇଛନ୍ତି।
ଏହା ପୂର୍ବରୁ ସହରର ମୋତିଝରଣ, ସୁନାପାଲି, ଭୁତାପଡା ଆଦି ବିଭିନ୍ନ ସମ୍ବେଦନଶୀଳ ଅଞ୍ଚଳରେ ପୋଲିସ ଫୋର୍ସ ବିଭିନ୍ନ ସନ୍ଦେହ ପୂର୍ଣ୍ଣ ଘରମାନଙ୍କୁ ମଧ୍ୟ ସର୍ଚ୍ଚ କରୁଛି l ବମ ସ୍କ୍ବାଡ, ଡଗ ସ୍କ୍ବାଡ, ମେଟାଲ ଡିଟେକ୍ଟର ଓ ଡ୍ରୋନ ଦ୍ବାରା ଯାଞ୍ଚ କରୁଛି ପୋଲିସ l ଘର ଛାତ ଉପର ହେଉକି ଘର ଭିତରେ ଯାଞ୍ଚ କରାଯାଉଛି।