ଭୁବନେଶ୍ୱର,୧୩।୪: ସୋମବାର ପବିତ୍ର ପଣା ସଂକ୍ରାନ୍ତି ଏବଂ ହନୁମାନ ଜୟନ୍ତୀ। ଏନେଇ ସବୁଠି ଉତ୍ସବ ମୁଖର। ଶାନ୍ତି ଶୃଙ୍ଖଳାର ସହ କିପରି ହନୁମାନ ଜୟନ୍ତୀ ପାଳନ କରାଯିବ ସେନେଇ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଏପରି କି ହନୁମାନ ଜୟନ୍ତୀରେ ବାହାରୁଥିବା ଧାର୍ମିକ ଶୋଭାଯାତ୍ରା ନେଇ ରାଜ୍ୟରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଏନେଇ ବିସ୍ତୁତ ସୂଚନା ଦେଇଛନ୍ତି ଆଇନଶୃଙ୍ଖଳା ଏଡିଜି ସଞ୍ଜୟ କୁମାର। ରାଜ୍ୟରେ ଆଇନଶୃଙ୍ଖଳା ଦାୟିତ୍ୱରେ ୨୦୦ ପ୍ଲାଟୁନ ଫୋର୍ସ ରହିବେ ବୋଲି ଏଡିଜି ପ୍ରକାଶ କରିଛନ୍ତି।
ଏପରିକି ରାଜ୍ୟର ବିଭିନ୍ନ ସହରରେ ନଜର ରଖିବ ୪୦ ଡ୍ରୋନ ସହ ୬୦୦ ସିସିଟିଭି କ୍ୟାମେରା। ଶୋଭାଯାତ୍ରା ବେଳେ ଅସାମାଜିକ ବ୍ୟକ୍ତି କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରନ୍ତି, ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ଦିଆଯାଇଛି। ସୋସିଆଲ ମିଡିଆ ପୋଷ୍ଟ ଉପରେ ପୋଲିସ କଡ଼ା ନଜର ରଖିଛି।
ଅନ୍ୟପକ୍ଷେ ହନୁମାନ ଜୟନ୍ତୀ ନେଇ ସମ୍ବଲପୁରରେ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ସମ୍ବଲପୁରରେ ୧୦ କମ୍ପାନୀ କେନ୍ଦ୍ରୀୟ ସୁରକ୍ଷା ବଳ ମୁତୟନ ରହିବେ ବୋଲି ସୂଚନା ଦିଆଯାଇଛି। ଏପରିକି ୩ ରାପିଡ୍ ଆକ୍ସନ ଫୋର୍ସ ସହ ଅତିରିକ୍ତ ୫୦ ପ୍ଲାଟୁନ ଫୋର୍ସ ମୁତୟନ କରାଯିବ।


