ଜନଶୁଣାଣିକୁ ଗୁରୁତ୍ୱ ଦେଉନାହାନ୍ତି ୬ ବିଭାଗ, ଗଡୁଛି ୩୮ ହଜାର ଲୋକଙ୍କ ସମସ୍ୟା

ଭୁବନେଶ୍ୱର,୧୭ା୧୦(ରବିନାରାୟଣ ଜେନା): ରାଜ୍ୟରେ ଲୋକଙ୍କ ଅଭିଯୋଗ ଶୁଣିବା ପାଇଁ ରାଜ୍ୟ ସରକାର ସର୍ବାଧିକ ଗୁରୁତ୍ୱ ଦେଉଛନ୍ତି। ସୋମବାର ଅଭିଯୋଗ ପ୍ରକୋଷ୍ଠରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ତାଙ୍କ ମନ୍ତ୍ରୀ ପରିଷଦ ସମସ୍ତ ଅବହେଳିତ ବର୍ଗଙ୍କୁ ଭେଟି ଗୁହାରି ଶୁଣୁଛନ୍ତି ଏବଂ ତା’ର ତ୍ୱରିତ୍‌ ସମାଧାନ ଦିଗରେ ବିଭାଗୀୟ ସଚିବଙ୍କୁ ନିର୍ଦ୍ଦେଶ ଦେଉଛନ୍ତି। ହେଲେ ୬ଟି ବିଭାଗ ଲୋକଙ୍କ ଅଭିଯୋଗର ସମାଧାନ ଦିଗରେ ଗୁରୁତ୍ୱ ଦେଉ ନାହାନ୍ତି, ଯେଉଁଥିପାଇଁ ପ୍ରାୟ ୩୮ହଜାର ଲୋକଙ୍କ ଅଭିଯୋଗର ସମାଧାନ ହୋଇପାରୁନାହିଁ। ଏନେଇ ସରକାରଙ୍କ ପକ୍ଷରୁ ବାରମ୍ବାର ପତ୍ର ଲେଖାଗଲେ ମଧ୍ୟ କର୍ଣ୍ଣପାତ କରୁ ନ ଥିବାରୁ ଏହାକୁ ନେଇ ଗତ ୧୫ ତାରିଖରେ ସମ୍ପୃକ୍ତ ବିଭାଗୀୟ ମୁଖ୍ୟଙ୍କୁ ପୁନର୍ବାର ପତ୍ର ଲେଖି ତାଗିଦ୍‌ କରାଯାଇଛି।
ସାଧାରଣ ଅଭିଯୋଗ ନିର୍ଦ୍ଦେଶକ ସୁକାନ୍ତ କୁମାର ବେହେରା ବୁଧବାର ସମସ୍ତ ବିଭାଗୀୟ ମୁଖ୍ୟଙ୍କୁ ପତ୍ର ଲେଖି ଦର୍ଶାଇଛନ୍ତି, ଜନଶୁଣାଣି ହେଉଛି ଓଡ଼ିଶା ସରକାରଙ୍କ ସର୍ବୋତ୍ତମ କାର୍ଯ୍ୟକ୍ରମ ମଧ୍ୟରୁ ଅନ୍ୟତମ। ଏହା ମାଧ୍ୟମରେ ନାଗରିକମାନଙ୍କୁ ଯେକୌଣସି ସ୍ଥାନରୁ ଏବଂ ଯେ କୌଣସି ସମୟରେ ରାଜ୍ୟର ପଦସ୍ଥ ସରକାରୀ ଅଧିକାରୀଙ୍କ ନିକଟରେ ସେମାନଙ୍କ ଅଭିଯୋଗ ପହଞ୍ଚିପାରିବ। ହେଲେ ପରିଲକ୍ଷିତ ହୋଇଛି, ଜଳସମ୍ପଦ, ମହିଳା ଓ ଶିଶୁ ବିକାଶ, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ, ପଞ୍ଚାୟତିରାଜ, ଇସ୍ପାତ ଓ ଖଣି ଏବଂ ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗରେ ଅଭିଯୋଗ ସମାଧାନ ହାର ଅନ୍ୟାନ୍ୟ ବିଭାଗଠାରୁ ଯଥେଷ୍ଟ କମ୍‌ ରହିଛି। ଏହାକୁ ଦୃଷ୍ଟିିରେ ରଖି ବାକି ପଡ଼ିଥିବା ଅଭିଯୋଗଗୁଡ଼ିକର ତ୍ୱରିତ୍‌ ସମାଧାନ କରିବା ଦିଗରେ ପଦକ୍ଷେପ ଗ୍ରହଣ କର। ସେ ତଥ୍ୟ ସହିତ ଦର୍ଶାଇଛନ୍ତି, ପଞ୍ଚାୟତିରାଜ ବିଭାଗରେ ଏବେ ବି ୨୦ହଜାର ୫୪୪ଟି ଅଭିଯୋଗ ସମାଧାନ ହୋଇ ନ ଥିବାବେଳେ ମହିଳା ଓ ଶିଶୁ କଲ୍ୟାଣ ବିଭାଗରେ ୨ହଜାର ୩୧୯ ଅଭିଯୋଗ ଗଡୁଛି। ସେହିପରି ଜଳସମ୍ପଦ ବିଭାଗରେ ୧ହଜାର ୪୪୬, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗରେ ୪ହଜାର ୯୮୮, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗରେ ୮ହଜାର ୬୫୨ ଏବଂ ଖଣି ଓ ଇସ୍ପାତ ବିଭାଗରେ ୫୦୬ଟି ଅଭିଯୋଗ ଗଡୁଛି। ପଞ୍ଚାୟତିରାଜ ବିଭାଗକୁ ବାଦ୍‌ ଦେଇ ଅନ୍ୟ ୫ଟି ବିଭାଗରେ ଅଭିଯୋଗ ସମାଧାନ ହାର ୮୦ପ୍ରତିଶତରୁ କମ୍‌ ରହିଛି।
ଇତିମଧ୍ୟରେ ରାଜ୍ୟରେ ୪୦ଟି ବିଭାଗକୁ ୪ଲକ୍ଷ ୯୯ହଜାର ୮୫୧ଟି ଅଭିଯୋଗ ମିଳିଥିବାବେଳେ ଗତ ସେପ୍ଟେମ୍ବରରେ ୧୭ହଜାର ୧୧ଟି ଅଭିଯୋଗ ସରକାରଙ୍କ ହସ୍ତଗତ ହୋଇଛି। ସେପ୍ଟେମ୍ବର ମାସରେ ସରକାରଙ୍କ ହସ୍ତଗତ ହୋଇଥିବା ଅଭିଯୋଗର ସମାଧାନ ହାର ୧୧ପ୍ରତିଶତ ଭିତରେ ରହିଛି। ଅଧିକାଂଶ ବିଭାଗର ଅଭିଯୋଗ ସମାଧାନ ହାର ୩ରୁ ୫ପ୍ରତିଶତ ମଧ୍ୟରେ ରହିଛି। ସେପ୍ଟେମ୍ବର ସୁଦ୍ଧା ରାଜ୍ୟରେ ୬୬ହଜାର ୮୬୮ଟି ଅଭିଯୋଗ ୪୦ଟି ବିଭାଗରେ ଗଡୁଛି। ଅଭିଯୋଗ ସମାଧାନ ହାର ମଧ୍ୟରେ ସାଧାରଣ ଉଦ୍ୟୋଗ, ସୂଚନା ଓ ଲୋକସମ୍ପର୍କ, ହସ୍ତତନ୍ତ, ହସ୍ତଶିଳ୍ପ ଓ ବୟନଶିଳ୍ପ ବିଭାଗର ସମାଧାନ ହାର ୯୭ରୁ ୯୮ପ୍ରତିଶତ ମଧ୍ୟରେ ରହିଛି।