୩ନେତାଙ୍କ ଗୁପ୍ତ ମନ୍ତ୍ରଣା: କାହିଁକି ନରସିଂହଙ୍କ ଘରେ ପହଞ୍ଚିଲେ…

ବଲାଙ୍ଗୀର,୧୧୧ (ବୀରେନ୍ଦ୍ର କୁମାର ଝାଙ୍କର): ବିଭିନ୍ନ ପ୍ରସଙ୍ଗକୁ ନେଇ ସମ୍ପ୍ରତି ରାଜ୍ୟ ରାଜନୀତି ଜୋର ଧରିଛି। ଏତିକି ବେଳେ ରାଜ୍ୟ କଂଗ୍ରେସର ୩ ବରିଷ୍ଠ ନେତାଙ୍କ ମିଳିତ ଆଲୋଚନା ବା ଗୁପ୍ତ ମନ୍ତ୍ରଣା ଚର୍ଚ୍ଚାର ବିଷୟ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ, ମଙ୍ଗଳବାର ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ମନ୍ତ୍ରୀ ନରସିଂହ ମିଶ୍ରଙ୍କ ବଲାଙ୍ଗୀରସ୍ଥିତ ଘରେ ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଓ ପୂର୍ବତନ ପିସିସି ସଭାପତି ଜୟଦେବ ଜେନା ପହଞ୍ଚତ୍ଥିଲେ। ତିନିଜଣଙ୍କ ମଧ୍ୟରେ ବେଶ୍‌ କିଛି ସମୟ ଧରି ଆଲୋଚନା ହୋଇଥିଲା। କେଉଁ ନିର୍ଦ୍ଦିଷ୍ଟ ପ୍ରସଙ୍ଗରେ ଏହି ବରିଷ୍ଠ ନେତାମାନେ ଆଲୋଚନା କରିଥିଲେ ତାହା ସ୍ପଷ୍ଟ ଜଣାପଡି ନ ଥିଲେ ମଧ୍ୟ କଂଗ୍ରେସ ଦଳର ଅନ୍ତର୍ଦ୍ୱନ୍ଦ୍ୱ ଏବଂ ରାଜ୍ୟ ରାଜନୀତିର ସାମ୍ପ୍ରତିକ ସ୍ଥିତିିକୁ ନେଇ ସେମାନେ ଆଲୋଚନା କରିଥିବା ଚର୍ଚ୍ଚାର ବିଷୟ ହେଉଛି। ଉଲ୍ଲେଖଯୋଗ୍ୟ ଯେ, ପ୍ରଦେଶ କଂଗ୍ରେସ କମିଟିରେ ନେତୃତ୍ୱ ପରିବର୍ତ୍ତନ ପରେ ବରିଷ୍ଠ ନେତାମାନଙ୍କୁ ଅଣଦେଖା କରାଯାଉଥିବା ଓ ଦଳ ଭିତରେ ଅନ୍ତର୍ଦ୍ୱନ୍ଦ୍ୱ ଲାଗି ରହିଥିବା ଚର୍ଚ୍ଚାର ବିଷୟ ହୋଇଆସିଛି। ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ରଙ୍କୁ ମଧ୍ୟ ଅଣଦେଖା କରାଯାଉଥିବା ବିଭିନ୍ନ ସମୟରେ ଗଣମାଧ୍ୟମରେ ଚର୍ଚ୍ଚା ହୋଇଛି। ମିଶ୍ରଙ୍କୁ ରାଜ୍ୟ କଂଗ୍ରେସ ଦଳର କୌଣସି ଗୁରୁତ୍ୱପୂର୍ଣ୍ଣ କମିଟିରେ ନିଆଯାଇନାହିଁ କି ତାଙ୍କୁ କୌଣସି ଗୁରୁଦାୟିତ୍ୱ ଦିଆଯାଇନାହିଁ। ଦଳର ପାର୍ଲାମେଣ୍ଟାରୀ ଏଫାୟାର୍ସ କମିଟିରେ ମଧ୍ୟ ନରସିଂହଙ୍କୁ ନିଆଯାଇନାହିଁ। ଏହି କମିଟିରେ ନରସିଂହଙ୍କୁ ରଖିବା ପାଇଁ ରାଜ୍ୟର ବରିଷ୍ଠ କଂଗ୍ରେସ ନେତା ପ୍ରସ୍ତାବ ରଖିବା ସତ୍ତ୍ୱେ ଏହା କାର୍ଯ୍ୟକାରୀ ହୋଇନାହିଁ। ରାଜ୍ୟ କଂଗ୍ରେସରେ ଏବେ ଦଳୀୟ କନ୍ଦଳ ବଢ଼ିବାରେ ଲାଗିଥିବା ଚର୍ଚ୍ଚାର ବିଷୟ ହୋଇଛି। ସମ୍ପ୍ରତି ନୂଆପଡା ଉପନିର୍ବାଚନ ବି ଚାଲିଛି। ଏଭଳି ସମୟରେ ଦୁଇ ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ଓ ଜୟଦେବ ପୂର୍ବତନ ମନ୍ତ୍ରୀ ନରସିଂହଙ୍କ ଘରେ ସାକ୍ଷାତ ଆଲୋଚନା କରିବା ଚର୍ଚ୍ଚାର ବିଷୟ ହୋଇଛି।

Dharitri – Odisha’s No.1 Odia Daily

Share