ଭୁବନେଶ୍ୱର,୯।୩ (ରବିନାରାୟଣ ଜେନା): ସପ୍ତଦଶ ବିଧାନସଭାର ଷଷ୍ଠ ତଥା ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନ ସୋମବାରଠାରୁ ଆରମ୍ଭ ହେବ। ଏହି ସମୟରେ ବିଭିନ୍ନ ବିଭାଗର ଖର୍ଚ୍ଚ ଦାବି ଆଲୋଚନା ସହିତ ବ୍ୟୟମଞ୍ଜୁରୀ ବିଲ୍ ଆସିବ। ଏପ୍ରିଲ ୮ ପର୍ଯ୍ୟନ୍ତ ହେବାକୁ ଥିବା ଏହି ଅଧିବେଶନ କାଳରେ ମାର୍ଚ୍ଚ ୩୧ରେ ୨୦୨୬-୨୭ ଆର୍ଥିକବର୍ଷ ଲାଗି ବ୍ୟୟ ମଞ୍ଜୁରୀ ବିଲ୍ ଆସିବ ବୋଲି ବିଧାନସଭା ପକ୍ଷରୁ ଜଣାଯାଇଛି।
ତଥ୍ୟ ଅନୁଯାୟୀ, ସୋମବାର ବିଭିନ୍ନ ବିଭାଗର ବିଧାନସଭା ସ୍ଥାୟୀ କମିଟିର ରିପୋର୍ଟ ଗୃହରେ ଉପସ୍ଥାପିତ ହେବ। ୧୦ରୁ ଗୃହ ସରଗରମ ରହିବ। ୧୦ରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ଖର୍ଚ୍ଚଦାବି ଆଲୋଚନା ହେବାକୁ ରହିଛି। ରାଜ୍ୟରେ ଚାଷୀଙ୍କ ଧାନ ମଣ୍ଡିରୁ ଉଠୁ ନ ଥିବାକୁ ନେଇ ବିରୋଧୀ ସରକାରଙ୍କୁ ଅକଳରେ ପକାଇବାକୁ ଅଣ୍ଟା ଭିଡ଼ିଛନ୍ତି। ଏହାପରେ ୧୧ରେ ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତିର ଆଲୋଚନା ହେବ। ସେହିପରି ୧୨ରେ ଅନୁସୂଚିତ ଜାତି, ଜନଜାତି ଓ ସଂଖ୍ୟାଲଘୁ ବିଭାଗର ଖର୍ଚ୍ଚ ଦାବି ଆଲୋଚନା ହେବାକୁ ରହିଥିବାବେଳେ ୧୩ରେ ଶିଳ୍ପ ଏବଂ ଏମ୍ଏସ୍ଏମ୍ଇ ବିଭାଗର ଖର୍ଚ୍ଚ ଦାବି ଆଲୋଚନା ହେବ।
ମାର୍ଚ୍ଚ ୧୪ ଏବଂ ୧୫ ତାରିଖ ସରକାରୀ ଛୁଟି ରହିଥିବାବେଳେ ୧୬ରେ ବିଦ୍ୟାଳୟ ଓ ଗଣଶିକ୍ଷା ଏବଂ ଉଚ୍ଚଶିକ୍ଷା ବିଭାଗର ଖର୍ଚ୍ଚ ଦାବି ଆଲୋଚନା ହେବାକୁ ରହିଛି। ତେବେ ରାଜ୍ୟରେ ଏବେ ୪ଟି ରାଜ୍ୟ ସଭା ଆସନ ଲାଗି ଶାସକ-ବିରୋଧୀ ବିଧାୟକଙ୍କ ମଧ୍ୟରେ ଛକାପଞ୍ଝା ଲାଗି ରହିଛି।
ଉକ୍ତଦିନ ଏହି ଦୁଇ ବିଭାଗର ଖର୍ଚ୍ଚ ଦାବି ଆଲୋଚନା ରହିଥିବାବେଳେ ରାଜ୍ୟ ସଭା ନିର୍ବାଚନ ରହିଛି। ସେହିପରି ୧୭ରେ ଇସ୍ପାତ ଓ ଖଣି ଏବଂ ପରିବହନ, ୧୮ରେ ପଞ୍ଚାୟତିରାଜ, ଗ୍ରାମ୍ୟ ଉନ୍ନୟନ ବିଭାଗର ଖର୍ଚ୍ଚ ଦାବି ଆଲୋଚନା ହେବାକୁ ରହିଥିବାବେଳେ ୧୯ରେ ଜଳସମ୍ପଦ, ୨୦ରେ ନିର୍ମାଣ, ୨୩ରେ କୃଷି ଓ କୃଷକ ସଶକ୍ତୀକରଣ ଏବଂ ସମବାୟ, ୨୪ରେ ରାଜସ୍ବ ଓ ଶ୍ରମ, ୨୫ରେ ଗୃହ ଓ ସାଧାରଣ ପ୍ରଶାସନ ଏବଂ ସାଧାରଣ ଅଭିଯୋଗ, ୨୬ରେ ଗୃହ ନିର୍ମାଣ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗର ଖର୍ଚ୍ଚ ଦାବି ଆଲୋଚନା ହେବ। ୨୭ରୁ ୨୯ ତାରିଖ ପର୍ଯ୍ୟନ୍ତ ସରକାରୀ ଛୁଟି ରହିଥିବାବେଳେ ୩୦ରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଖର୍ଚ୍ଚ ଦାବି ଆଲୋଚନା ଏବଂ ୩୧ରେ ଆସନ୍ତା ଆର୍ଥିକବର୍ଷ ଲାଗି ବ୍ୟୟ ମଞ୍ଜୁରୀ ବିଲ୍ ଗୃହରେ ଆସିବ।