ଭୁବନେଶ୍ୱର, ୨୫ା୮(ବନ୍ଦନା ସେଠୀ): ବୈଚିତ୍ର୍ୟମୟ ସାମୁଦ୍ରିକ ପରିସଂସ୍ଥା ମଧ୍ୟରେ ସ୍ବଳ୍ପ ଆଲୋଚିତ ଉଦ୍ଭିଦ ସମୂହ ମଧ୍ୟରେ ସମୁଦ୍ର ଘାସ (ସି’ ଗ୍ରାସ) ବା ସାମୁଦ୍ରିକ ସପୁଷ୍ପକ ଉଦ୍ଭିଦ ଅନ୍ୟତମ। ଓଡ଼ିଶାରେ କେବଳ ଚିଲିକା ହ୍ରଦରେ ସି ଗ୍ରାସ୍ ରହିଛି। ମାତ୍ର ୨୦୧୨ରେ ପ୍ରଥମଥର ପାଇଁ ଗଞ୍ଜାମ ଜିଲା ଗୋପାଳପୁର ନିକଟରେ ସମୁଦ୍ରକୁ ସଂଯୋଗ ହୋଇଥିବା ହରିପୁର କ୍ରିକ୍ ତଟରେ ଏହା ଦେଖାଯାଇଥିଲା। ଏ ନେଇ ଇଣ୍ଡିଆନ୍ ଜର୍ନାଲ ଅଫ୍ ଜିଓ ମେରାଇନ୍ ସାଇନ୍ସରେ ସାମୁଦ୍ରିକ ଜୀବ ବୈଜ୍ଞାନିକ ଡ. ଦେବାଶିଷ ମହାପାତ୍ରଙ୍କ ଗବେଷଣାମୂଳକ ପ୍ରବନ୍ଧ ପ୍ରକାଶ ପାଇବା ପରେ ଲୋକଲୋଚନକୁ ଆସିଥିଲା। ହେଲେ କେତେକ କାରଣରୁ ୨୦୧୯ ମଧ୍ୟରେ ଏହି ବିରଳ ସି ଗ୍ରାସ୍ ହରିପୁର କ୍ରିକ୍ ତଟରୁ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା। ତେବେ ବିଲୁପ୍ତ ହୋଇଯାଇଥିବା ଏହି ସି ଗ୍ରାସ୍ ୨୦୧୯-୨୧ କୋଭିଡ୍ ଲକ୍ଡାଉନ୍ ସମୟରେ ପୁନର୍ଜୀତିତ ହୋଇଥିବା ଦେଖାଯାଇଛି। ଏହା ଜଣାପଡିବା ପରେ ଡ. ମହାପାତ୍ର ଓ ଡ. ସଙ୍ଗୀତା ମିଶ୍ର ଏହା ଉପରେ ଅଧିକ ଗବେଷଣା ଆରମ୍ଭ କରିଥିଲେ। ତେବେ ତାହା ସେହି ବିରଳ ହାଲୋଫିଲା ଓଭାଲିସ୍ ପ୍ରଜାତିର ସି’ ଗ୍ରାସ୍ ବୋଲି ପ୍ରମାଣିତ ହୋଇଛି ବୋଲି ନ୍ୟାଶନାଲ ଏକାଡେମୀ ସାଇନ୍ସ ଲେଟର୍ସରେ ପ୍ରକାଶିତ ଆଉ ଏକ ଗବେଷଣା ପ୍ରବନ୍ଧରେ ଉଲ୍ଲେଖ କରାଯାଇଛି।
ମହାପାତ୍ର କହିଛନ୍ତି, ସି ଗ୍ରାସ୍କୁ ଇକୋସିଷ୍ଟମ ଇଞ୍ଜିନିୟର କୁହାଯାଏ। ଏମାନେ ପରିବେଶ ସହିତ ସମନ୍ବୟ ରକ୍ଷା କରି ପ୍ରଦୂଷଣ ହ୍ରାସ କରିନ୍ତି। ଏଥିସହ ସମୁଦ୍ର ତଳର ବାଲି, ତରଙ୍ଗ ଓ ପାଣିର ଗତିକୁ ସ୍ଥିର କରିବାରେ ସହାୟକ ହୁଅନ୍ତି। ଫଳରେ ଉପକୂଳର ସୁରକ୍ଷା ହୋଇଥାଏ। ୨୦୧୨ ପରଠାରୁ ବିଭିନ୍ନ ଘୂର୍ଣ୍ଣିବାତ୍ୟା, ପ୍ରଦୂଷଣ, ନୌକାଚାଳନା ପରି ମାନବୀୟ କାର୍ଯ୍ୟକଳାପ ପାଇଁ ସି ଗ୍ରାସ୍ଗୁଡିକ ଲୁପ୍ତ ହୋଇଯାଇଥିଲା। ତେବେ କୋଭିଡ୍ ଲକ୍ଡାଉନ ସମୟରେ କରାଯାଇଥିବା ପର୍ଯ୍ୟବେକ୍ଷଣରେ ମାନବୀୟ କାର୍ଯ୍ୟକଳାପ ଯଥା ପର୍ଯ୍ୟଟନ, ମାଛଧରା, ନୌକା ଚଳାଚଳ ପ୍ରାୟ ବନ୍ଦ ହେବାରୁ ହରିପୁର କ୍ରିକ୍ରେ ସମୁଦ୍ର ଘାସର ସ୍ବାଭାବିକ ପୁନର୍ଜନ୍ମ ଦେଖିବାକୁ ମିଳିଛି। ଏହା ଉପରେ ଅଧିକ ଗବେଷଣା ଆବଶ୍ୟକ ବୋଲି ସେ ମତ ଦେଇଛନ୍ତି।