Categories: Uncategorized

ଭୂମିକମ୍ପ ପରେ ମାଡ଼ି ଆସୁଛି ସମୁଦ୍ର

ଟୋକିଓ,୨୦।୪: ଜାପାନରେ ଏକ ଭୟଙ୍କର ଭୂମିକମ୍ପ ହୋଇଛି। ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୭.୪ ରେକର୍ଡ କରାଯାଇଛି । ରିପୋର୍ଟ ଅନୁଯାୟୀ, ଉତ୍ତର ଜାପାନର ଉପକୂଳରେ ଏହି ଭୂମିକମ୍ପ ଘଟିଛି । ଏହାକୁ ସାମ୍ପ୍ରତିକ ସମୟରେ ଏହି ଭୂମିକମ୍ପ ଅଞ୍ଚଳରେ ହୋଇଥିବା ସବୁଠାରୁ ଶକ୍ତିଶାଳୀ ଭୂମିକମ୍ପ ମଧ୍ୟରୁ ଗୋଟିଏ ବୋଲି ବିବେଚନା କରାଯାଉଛି। ଭୂମିକମ୍ପ ପରେ ସୁନାମି ଚେତାବନୀ ଜାରି କରାଯାଇଥିଲା।

ଅନ୍ୟପକ୍ଷେ ଭୂମିକମ୍ପ ପ୍ରଭାବରେ ସମୁଦ୍ରରେ ବଡ଼ ବଡ଼ ଲହରୀ ଉଠିବା ସହ କୂଳ ଆଡକୁ ମାଡି ଆସୁଥିବାରୁ ଉପକୂଳ ଅଞ୍ଚଳର ଲୋକଙ୍କୁ ତୁରନ୍ତ ଘର ଛାଡି ସୁରକ୍ଷିତ ସ୍ଥାନ ଯିବାକୁ କୁହାଯାଇଛି।

ରିପୋର୍ଟ ଅନୁଯାୟୀ, ଉତ୍ତର ଜାପାନର ସାନରିକୁ ଉପକୂଳ ନିକଟରେ ବଡ଼ ଧରଣର ଭୂମିକମ୍ପ ଅନୁଭୂତ ହୋଇଥିଲା। ଏହି ଭୂମିକମ୍ପ ସମୁଦ୍ରକୂଳରେ ଘଟିଥିଲା। ସ୍ଥାନୀୟ ସମୟ ପ୍ରାୟ ଅପରାହ୍ନ ୪:୫୩ (୦୭:୫୩ GMT) ସମୟରେ ଏହି ଭୂମିକମ୍ପ ଅନୁଭୂତ ହୋଇଥିଲା। ଭୂମିକମ୍ପର କେନ୍ଦ୍ରସ୍ଥଳ ସମୁଦ୍ରତଟ ତଳେ ପ୍ରାୟ ୧୦ କିଲୋମିଟର (୬ ମାଇଲ) ଗଭୀରତାରେ ଅବସ୍ଥିତ ଥିଲା।

ଜାପାନର ସାର୍ୱଜନୀନ ପ୍ରସାରକ, NHK ରିପୋର୍ଟ କରିଛି ଯେ, ଏହି ଅଞ୍ଚଳରେ ୩ ମିଟର (୧୦ ଫୁଟ) ଉଚ୍ଚତା ପର୍ଯ୍ୟନ୍ତ ସୁନାମି ଆସିବାର ଆଶଙ୍କା ରହିଛି ଏବଂ ଏହା ଖୁବ ଶୀଘ୍ର ଏହି ଅଞ୍ଚଳକୁ ପ୍ରଭାବିତ କରିପାରେ । ଏନେଇ ସୁନାମି ସତର୍କତା ଜାରି କରାଯାଇଛି। ଏପରିକି ସ୍ଥାନୀୟ କର୍ତ୍ତୃପକ୍ଷ ବସ୍ତିବାସିନ୍ଦାଙ୍କୁ ସତର୍କ ରହିବାକୁ ଏବଂ ଉଚ୍ଚ ଭୂମିକୁ ଯିବାକୁ ପରାମର୍ଶ ଦେଇଛନ୍ତି।