ଭଞ୍ଜନଗର,୭ା୧୧(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବସ୍ଷ୍ଟାଣ୍ଡଠାରୁ ମାତ୍ର ୫୦ ମିଟର ଦୂରରେ ଥିବା ବେଲଗୁଣ୍ଠା ରୋଡ୍ ଛକରେ ଶୁକ୍ରବାର ସକାଳେ ଏକ ଦୁର୍ଘଟଣା ଘଟିଛି। ଏଥିରେ ଜଣେ ସ୍କୁଟି ଚାଳକ ସାମାନ୍ୟ ଆହତ ହୋଇଛନ୍ତି। କିନ୍ତୁ ଉକ୍ତ ଗୋଲେଇ ଛକଟି ଛୋଟ ହୋଇଥିବା ଯୋଗୁ ଦୈନନ୍ଦିନ ସେଠାରେ ଛୋଟ ବଡ଼ ଦୁର୍ଘଟଣା ଘଟୁଛି। ତେଣୁ ଉକ୍ତ ଛକକୁ ସମ୍ପ୍ରସାରଣ କରିବା ପାଇଁ ଦାବି ହୋଇଛି।
ଘଟଣାରୁ ପ୍ରକାଶ ଯେ, ଶୁକ୍ରବାର ସକାଳେ ଏକ ସ୍କୁଟିରେ ଦୁଇଜଣ ଯାତ୍ରୀ ବେଲଗୁଣ୍ଠା ଅଭିମୁଖେ ଯାଉଥିଲେ। ଏହି ସମୟରେ ବିପରୀତ ଦିଗରୁ ଆସୁଥିବା ଏକ ବସ୍ ଛକରେ ବୁଲିବା ସମୟରେ ସ୍କୁଟି ଚାଳକଙ୍କ ଉପରେ ଚଢ଼ିଯାଇଥିଲା। ଏଥିରେ ସ୍କୁଟି ଚାଳକ ସାମାନ୍ୟ
ଆହତ ହୋଇଥିଲେ। ଏହାପରେ ସେଠାରେ ଉପସ୍ଥିତ ଥିବା ଲୋକେ ସ୍କୁଟି ଚାଳକଙ୍କୁ ଚକାତଳୁ ଉଦ୍ଧାର କରିଥିଲେ। ବସ୍ଟି ଯଦି ଦ୍ରୁତଗତିରେ ଥାନ୍ତା ତେବେ ସ୍କୁଟି ଚାଳକଙ୍କ ଜୀବନ ପ୍ରତି ବିପଦ ଥାନ୍ତା। କିନ୍ତୁ ସେଭଳି କିଛି ବଡ଼ ଅଘଟଣ ଘଟିନାହିଁ।