ବିଦ୍ୟାଳୟ ପାଠାଗାର ବହିକିଣା ଅନିୟମିତତା ପ୍ରସଙ୍ଗ: ଆର୍‌ଟିଆଇ ଆବେଦନ ପରେ …

ନନ୍ଦପୁର,୧୭ା୩ (ତୁଷାର କାନ୍ତ ମହାନ୍ତି)-ଏକ ନିର୍ଦ୍ଦିଷ୍ଟ ପ୍ରକାଶନ ସଂସ୍ଥାରୁ ସ୍କୁଲ ପରିଚାଳନା କମିଟିର ଅଜାଣତରେ ବିଦ୍ୟାଳୟ କମ୍ପୋଜିଟ ପାଣ୍ଠିରେ ପାଠାଗାର ବହି କିଣାରେ ଅନିୟମିତତା ପ୍ରସଙ୍ଗ ନେଇ କୋରାପୁଟ ଜିଲା ନନ୍ଦପୁର ବ୍ଲକ୍‌ରେ ଏସ୍‌ଏମ୍‌ସି ବୈଠକ ହୋଇଥିବା ଜଣାପଡ଼ିଛି। ଅନିୟମିତତା ନେଇ ସୂଚନା ଅଧିକାର କର୍ମୀ ବିପିନି ବିହାରୀ ମହାପାତ୍ର ନନ୍ଦପୁର ବ୍ଲକ୍‌ ଶିକ୍ଷାଧିକାରୀଙ୍କୁ ଆରଟିଆଇ ତଥ୍ୟ ମାଗିଥିଲେ। ଏହା ପରେ ଜିଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟର କେତେଜଣ ଅଧିକାରୀଙ୍କ ଚାପରେ ସିଆରସିସିମାନେ ବ୍ଲକରେ ବହି କିଣିଥିବା ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ପଛୁଆ ତାରିଖରେ ଜବରଦସ୍ତି ଏସ୍‌ଏମ୍‌ସି ବୈଠକ କରି ରିପୋର୍ଟ ପ୍ରଦାନ କରିବାକୁ ବାଧ୍ୟ କରୁଥିବା ସୂଚନା ମିଳିଛି। ଏହାକୁ ନେଇ ଶିକ୍ଷୟିତ୍ରୀ ଶିକ୍ଷକ, ଏସ୍‌ଏମ୍‌ସି ପରିଚାଳନା କମିଟି ସଭାପତିଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ସୂଚନାନୁଯାୟୀ, ତା.୧ା୩ା୨୦୨୬ରେ ପାଠଗାର ବହି କିଣାରେ ଦୁର୍ନୀତି ନେଇ ଧରିତ୍ରୀରେ ଖବର ପ୍ରକାଶ ପାଇଥିଲା। ଏଥିରେ ବ୍ଲକ ଓ ଜିଲା ଶିକ୍ଷାଧିକାରୀଙ୍କ ପକ୍ଷରୁ କମ୍ପୋଜିଟ ଗ୍ରାଣ୍ଟ ପାଣ୍ଠି ବିନିଯୋଗ ବିଦ୍ୟାଳୟର ଆଭ୍ୟନ୍ତରୀଣ ବ୍ୟାପାର। ନିର୍ଦ୍ଦିଷ୍ଟ ସଂସ୍ଥାଠାରୁ ବହି କିଣା ବିକା ପାଇଁ କୌଣସି ନିର୍ଦ୍ଦେଶ ଦିଆଯାଇ ନ ଥିବା ସୂଚନା ଦିଆଯାଇଥିଲା। ବିଦ୍ୟାଳୟ କମ୍ପୋଜିଟ ଗ୍ରାଣ୍ଟ ଅର୍ଥରେ ଲାଇବ୍ରେରୀ ବହି କିଣିବାକୁ ଡିପିସି ଦେଇଥିବା ପରାମର୍ଶ ପତ୍ର, ବହି କିଣା ବାବଦକୁ ନନ୍ଦପୁର ବ୍ଲକ ଶିକ୍ଷାଧିକାରୀଙ୍କ ଅଧୀନରେ କାର୍ଯ୍ୟରତ ସିଆରସିସିମାନେ ଦେଇଥିବା ମେସେଜ ବାର୍ତ୍ତା, କମ୍ପୋଜିଟ ଗ୍ରାଣ୍ଟ ବିନିଯୋଗ ପାଇଁ ଥିବା ସରକାରୀ ନିୟମାବଳୀ, ବହି କିଣିଥିବା ବିଦ୍ୟାଳୟ ଓ ପ୍ରଧାନଶିକ୍ଷୟିତ୍ରୀ ଶିକ୍ଷକଙ୍କ ନାମ, ବହି ଯୋଗାଇଥିବା ପ୍ରକାଶନ ସଂସ୍ଥାର ନାମ ଓ ତାଙ୍କୁ ବହି ବିକିବାକୁ ସରକାରଙ୍କ ଅନୁମତି ପତ୍ର, ଜିଲା ଶିକ୍ଷାଅଧିକାରୀଙ୍କ ବିନା ଅନୁମତିରେ ବହି କିଣାବିକା ହୋଇଛି ତାହେଲେ ସମ୍ପୃକ୍ତ ସିଆରସିସି ଓ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ବିରୋଧରେ ଗୃହୀତ କାର୍ଯ୍ୟାନୁଷ୍ଠାନ ତଥ୍ୟ, ଯଦି କାର୍ଯ୍ୟନୁଷ୍ଠାନ ହୋଇନି ତାହେଲେ ଅନ୍ତନିର୍ହିତ କାରଣ ସମ୍ପର୍କରେ ସୂଚନା ଦେବାକୁ ଆରଟିଆଇ ଆବେଦନ ପତ୍ରରେ ସୂଚନା ଅଧିକାର କର୍ମୀ ମହାପାତ୍ର ଉଲ୍ଲେଖ କରିଛନ୍ତି। ପ୍ରକାଶ ଯେ, ଜୟପୁର ଅଞ୍ଚଳର ମାନବାଧିକାର କର୍ମୀ ଅନୁପ ପାତ୍ର ଘଟଣା ନେଇ ରାଜ୍ୟ ମୁଖ୍ୟମନ୍ତ୍ରୀ, ଶିକ୍ଷା ମନ୍ତ୍ରୀ, ଓପେପା ସଚିବ, ଭିଜିଲାନ୍ସ ବିଭାଗ ଓ କୋରାପୁଟ ଜିଳାପାଳଙ୍କୁ ପତ୍ର ଲେଖି ତଦନ୍ତ କରିବାକୁ ଦୃଷ୍ଟି ଆକର୍ଷଣ କରିଥିଲେ। ଏହାର ତଦନ୍ତ ହେବା ପୂର୍ବରୁ ଆରଟିଆଇ ତଥ୍ୟ ମାଗିବା କର୍ତ୍ତୃପକ୍ଷଙ୍କୁ ହରଡ଼ଘଣାରେ ପକାଇଥିବା କୁହାଯାଉଛି।
ଏ ସମ୍ପର୍କରେ ବ୍ଲକ ଶିକ୍ଷାଧିକାରୀ ଭବାନୀ ନନ୍ଦନ ପଟ୍ଟନାୟକଙ୍କୁ ପଚାରିବାରୁ ଜିଲା କମିଟିର ନିର୍ଦ୍ଦେଶ ମୁତାବକ ବିଦ୍ୟାଳୟ କର୍ତ୍ତୃପକ୍ଷ ଏସ୍‌ଏମ୍‌ସି ବୈଠକରେ ପ୍ରସ୍ତାବ ପାରିତ କରି କମ୍ପୋଜିଟ ଗ୍ରାଣ୍ଟର ୧୦ ପ୍ରତିଶତ ଟଙ୍କା ବେୟରେ ଲାଇବ୍ରେରୀ ବହି କୌଣସି ଦୋକାନରୁ କିଣିବାକୁ ନିର୍ଦ୍ଦେଶ ଥିଲା। କର୍ତ୍ତୃପକ୍ଷ ଏହି ନିର୍ଦ୍ଦେଶନାମାର କେତେ ଅନୁପାଳନ କରିଛନ୍ତି, ଏହାର ତଥ୍ୟ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ମଗାଯାଇଛି। ଏହା ମିଳିବା ପରେ ଆରଟିଆଇ ତଥ୍ୟ ପ୍ରଦାନ କରାଯିବ ବୋଲି ସେ କହିଛନ୍ତି।
Dharitri – Odisha’s No.1 Odia Daily

Share