ବିନା ନୋଟିସରେ ବିଦ୍ୟାଳୟ ଛୁଟି: ଶିକ୍ଷାଦାନ, ମଧ୍ୟାହ୍ନଭୋଜନରୁ ବଞ୍ଚିତ  ଛାତ୍ରୀଛାତ୍ର

ଦାରିଙ୍ଗବାଡି,୨୪।୧ (ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ଏବେ ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ଥ ନେଇ ଚିନ୍ତା ବଢିଛି ।ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ଉନ୍ନତ ଓ ଗୁଣାତ୍ମକ ଶିକ୍ଷା ପ୍ରଦାନ ପାଇଁ ବିଭିନ୍ନ ଯୋଜନା ସରକାର ପ୍ରସ୍ତୁତି କରୁଛନ୍ତି। ବିଶେଷକରି କନ୍ଧମାଳ ଜିଲା ପଛୁଆ ଓ ଅନୁନ୍ନତ ଜିଲା ହୋଇଥିବା ବେଳେ ଅନୁସୂଚିତ ଜନଜାତି ଅଧ୍ୟୁଷିତ ଅଞ୍ଚଳ ଭାବେ ଜଣାଶୁଣା ତେଣୁ ସରକାର ଅନୁସୂଚିତ ଜନଜାତି ଓ ଜାତି ଏବଂ ପଛୁଆବର୍ଗଙ୍କ ପାଇଁ ସ୍ବତନ୍ତ୍ର ଭାବେ ଶିକ୍ଷାକୁ ଗୁରୁତ୍ୱ ଦେଇ ଦୁର୍ଗମ ଅଞ୍ଚଳରେ ଶିକ୍ଷାର ବିକାଶ ପାଇଁ ସରକାରୀ ବିଦ୍ୟାଳୟ ଖୋଲିଛନ୍ତି। ତେବେ କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସିମନବାଡି ପଞ୍ଚାୟତ ଡକରବାଡି ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ଶନିବାର ଖୋଲାଯାଇନାହିଁ। ଫଳରେ ଛାତ୍ରୀଛାତ୍ର ଶିକ୍ଷାଦାନରୁ ବଞ୍ଚିତ ହେବା ସହ ମଧ୍ୟାହ୍ନଭୋଜନରୁ ବଞ୍ଚିତ ହୋଇଥିବା ଅଭିଯୋଗ ହୋଇଛି। ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଆନନ୍ଦ ଦାସଙ୍କ ସମେତ ୫ ଜଣ ଅନୁପସ୍ଥିତ ରହିଥିବା ଓ ବିଦ୍ୟାଳୟରେ ତାଲା ପଡିଥିବା ଦେଖି ସିଆରସିସି ଶିବ ଶଙ୍କର ସାହୁ ତୁରନ୍ତ ଦାରିଙ୍ଗବାଡି ବିଇଓଙ୍କ କାର୍ଯ୍ୟାଳୟକୁ ସୂଚନା ଦେଇଥିଲେ। ବିଦ୍ୟାଳୟରେ ତାଲା ଝୁଲୁଥିବା ନେଇ ରିପୋର୍ଟ କରିଥିବା ଜଣାପଡିଛି।
ପ୍ରକାଶ ଯେ, ଗତ କିଛିମାସ ପୂର୍ବରୁ ନିୟମିତ ଉକ୍ତ ବିଦ୍ୟାଳୟରେ ଛାତ୍ରୀଛାତ୍ରଙ୍କୁ ବିଦ୍ୟାଳୟ କର୍ତ୍ତୃପକ୍ଷ ପାଳିକରି  ଝାଡୁ ମାରିବାକୁ ନିର୍ଦ୍ଦେଶ ଦେଇଥିବା ଓ ଘଟଣା ସମ୍ପର୍କରେ ଖବର ପ୍ରକାଶିତ ହୋଉଥିବା ବେଳେ ବିଇଓଙ୍କ କାର୍ଯ୍ୟାଳୟ ପକ୍ଷରୁ ତଦନ୍ତକୁ ବାଟବଣା କରାଯାଇଥିବା ଅଭିଯୋଗ ନ ସରୁଣୁ ପୁଣି ଉକ୍ତ ବିଦ୍ୟାଳୟକୁ ତାଲା ପକାଇ ବିଦ୍ୟାଳୟରେ ପିଲାଙ୍କୁ ଶିକ୍ଷାଦାନରୁ ବଞ୍ଚିତ କରିବା ଘଟଣା ଏବେ କିଭଳି ତଦନ୍ତ ହେଉଛି ଓ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ତାହା ଦେଖିବାକୁ ଲୋକେ ଚାହିଁ ବସିଥିବା ଡକରବାଡ଼ି ଗ୍ରାମବାସୀ କହିଛନ୍ତି
 ସୂଚନାଯୋଗ୍ୟ, ଦାରିଙ୍ଗବାଡି ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଜଣେ ଛାତ୍ର ନିଶାଶକ୍ତ ଅବସ୍ଥାରେ ଛାତ୍ରାବାସକୁ ଆସିଥିବା ଅଭିଯୋଗରେ ହଷ୍ଟେଲରୁ ବିଦା କରାଯାଇଥିବା ବେଳେ ସେହି ବିଦ୍ୟାଳୟରେ ସରସ୍ବତୀ ପୂଜାଦିନ ମଧ୍ୟାହ୍ନଭୋଜନ ରୋଷେଇ କରାଯାଇ ନ ଥିବାରୁ ଶତାଧିକ ଛାତ୍ରୀଛାତ୍ର ଭୋକଉପାସରେ ଘରକୁ ଫେରିଥିବା ବେଳେ ଶନିବାର ଡକରବାଡ଼ି ବିଦ୍ୟାଳୟ ବନ୍ଦ ଘଟଣା ଏବେ ଅଭିଭାବକ ମହଲରେ ବ୍ୟଥିତ କରିଛି। ଶିକ୍ଷା ବିଭାଗ ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରୁଛି। ଏନେଇ ସିଆରସିସି ସାହୁ କହିଛନ୍ତି ଯେ, ସେ ମଧ୍ୟାହ୍ନରେ ଡକରବାଡ଼ି ବିଦ୍ୟାଳୟକୁ ପରିଦର୍ଶନରେ ଯାଇଥିଲେ ସେ ବିଦ୍ୟାଳୟରେ ତାଲା ଝୁଲୁଥିବା ଦେଖି ପ୍ରଧାନ ଶିକ୍ଷକଙ୍କୁ ଫୋନ କରିଥିଲେ। ସେ ଫୁଲବାଣୀ କୌଣସି କାର୍ଯ୍ୟରେ ଯାଇଥିବା କହିଥିଲେ ଓ ଛାତ୍ରୀଛାତ୍ର କିମ୍ବା ଅନ୍ୟ ଶିକ୍ଷୟିତ୍ରୀ ଶିକ୍ଷକ ମଧ୍ୟ ଅନୁପସ୍ଥିତ ଦେଖିଥିବା କହିଛନ୍ତି।
Dharitri – Odisha’s No.1 Odia Daily