ବିଡିଓଙ୍କ କାର୍ଯ୍ୟାଳୟରେ ତାଲା ପକାଇଲେ ସରପଞ୍ଚ

ରାଜନଗର, ୧୦ା୭(ଭାସ୍କର ରାଉତରାୟ): ରାଜନଗର ବ୍ଲକରେ ଦୀର୍ଘଦିନ ହେବ କୌଣସି ଉନ୍ନୟନମୂଳକ କାର୍ଯ୍ୟ ହେଉନାହିଁ। ସରପଞ୍ଚମାନେ ପଞ୍ଚାୟତର ବିକାଶମୂଳକ କାର୍ଯ୍ୟ କରିଲେ ବି କୌଣସି ବିଲରେ ବିଡିଓ ଦସ୍ତଖତ କରୁ ନାହାନ୍ତି। ସରପଞ୍ଚ ଓ ସମିତି ସଭ୍ୟାସଭ୍ୟମାନେ ବିଡିଓଙ୍କୁ ଫୋନ କଲେ ଫୋନ ଧରୁନାହାନ୍ତି। ନିକଟରେ ପଞ୍ଚାୟତରେ କାର୍ଯ୍ୟରତ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ବିଡିଓ ନିଜ ଇଚ୍ଛାରେ ବଦଳି କରିଛନ୍ତି। ଏହାକୁ ବିରୋଧ କରି ରାଜନଗର ବ୍ଲକର ସରପଞ୍ଚ, ସମିତିସଭ୍ୟମାନେ ଗୁରୁବାର ବ୍ଲକକୁ ଆସି ବିଡିଓଙ୍କ କାର୍ଯ୍ୟାଳୟରେ ତାଲା ପକାଇ ପ୍ରତିବାଦ କରିବା ସହ ଧାରଣାରେ ବସିଛନ୍ତି।

ବିଡିଓଙ୍କ ମନୋମୁଖୀ କାର୍ଯ୍ୟ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଧାରଣାରେ ବସିଥିବା ସରପଞ୍ଚ, ସମିତିସଭ୍ୟାସଭ୍ୟ କେନ୍ଦ୍ରାପଡ଼ା ଜିଲାପାଳଙ୍କୁ ମଧ୍ୟ ଅବଗତ କରାଇଛନ୍ତି। ସରପଞ୍ଚ ସଂଘ ସଭାପତି ଅଶୋକ କୁମାର ମହାନ୍ତିଙ୍କ ସମେତ ସରପଞ୍ଚ ନିରଞ୍ଜନ ରାଉତ, ଶୈଳେନ୍ଦ୍ର କୁମାର ମିଶ୍ର, ବୀଣାପାଣି ପ୍ରଧାନ, ରାଣୀମଞ୍ଜରୀ ସେଠୀ, ସସ୍ମିତା ମହାନ୍ତି, ପୁଷ୍ପଲତା ପାତ୍ର, ସମୀର ସେଠୀ, ଇତିଶ୍ରୀ ମହାପାତ୍ର, ସମିତି ସଭ୍ୟ ଗଣେଶ ଚନ୍ଦ୍ର ଗୁଡ଼ିଆ, ମନରଞ୍ଜନ ମଣ୍ଡଳ, ସୁମିତ୍ରା ସେଠୀ, ଉତମା ସେଠୀ, ରବିନ ମଲ୍ଲିକ ପ୍ରମୁଖ ଧାରଣାରେ ବସିଛନ୍ତି। ସରପଞ୍ଚ ସଂଘର ସଭାପତି ମହାନ୍ତିଙ୍କ କହିବା କଥା ହେଲା, ବିଡିଓ ଅନିରୁଦ୍ଧ ବେହେରା ଆମର କୌଣସି କାର୍ଯ୍ୟ କରୁନାହାନ୍ତି କି ଆମ ଫୋନ କଲେ ଉଠାଉନାହାନ୍ତି।

ଯାହା ଆମ ସମ୍ମାନ ପ୍ରତି ଅପମାନ ମନେ କରୁଛୁ। ଲୋକଙ୍କ ସେବା କରିବା ଆମର କର୍ତ୍ତବ୍ୟ, ବ୍ଲକ ପ୍ରଶାସନ ସହଯୋଗ ନ କଲେ ଆମେ ଲୋକମାନଙ୍କୁ କି ଉତ୍ତର ଦେବୁ ବୋଲି କହିଛନ୍ତି। ସାରେ ବିଡିଓ ବେହେରା ଧାରଣାରେ ବସିଥିବ ଜନପ୍ରତିନିଧିଙ୍କୁ ତାଙ୍କର ସମସ୍ତ ଦାବିପୂରଣ କରାଯିବା ପ୍ରତିଶ୍ରୁତି ଦେଲା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା।