ବରଗଡ଼,୧୮।୧: ପଦ୍ମପୁର ଉପଜିଲାପାଳ ସ୍ନେହା ଅରୁଗୁଲାଙ୍କ ଗାଡ଼ିକୁ ବାଲି ବୋଝେଇ ଟ୍ରକ୍ ଧକ୍କା ଦେବା ଘଟଣାରେ ପୋଲିସ ଦୁଇ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଭଇଁସାଦରହା ସରପଞ୍ଚ ମନୋଜ ପ୍ରଧାନ ଏବଂ ତାଙ୍କ ସହଯୋଗୀ ଅଜହରୁଦ୍ଦିନ ଖାନ।
ଗତ ଜାନୁଆରୀ ୧୨ ତାରିଖ ସକାଳ ପ୍ରାୟ ୯:୩୦ ସମୟରେ ଉପଜିଲାପାଳ ସ୍ନେହା ଅରୁଗୁଲା ଜଗଦଲପୁରରୁ ପଦ୍ମପୁର ଅଭିମୁଖେ ଯାଉଥିଲେ। ସେହି ସମୟରେ ସରେଇକେଲା ବାଲିଘାଟ ନିକଟରେ ଏକ ବାଲି ବୋଝେଇ ଭାରୀ ଟ୍ରକ୍ ତାଙ୍କ ଗାଡ଼ିକୁ ଧକ୍କା ଦେଇଥିଲା। ଏହି ଘଟଣା ପରେ ପୋଲିସ ପୂର୍ବରୁ ଟ୍ରକ୍ ଡ୍ରାଇଭରକୁ ଗିରଫ କରି ତଦନ୍ତ ଜାରି ରଖିଥିଲା।
ଜୁନିୟର ମାଇନିଂ ଅଫିସର ଚନ୍ଦନ ସାହୁଙ୍କ ଅଭିଯୋଗ ଆଧାରରେ ଜଗଦଲପୁର ପୋଲିସ ତଦନ୍ତ କରି ଜାଣିବାକୁ ପାଇଥିଲା ଯେ, ଗିରଫ ସରପଞ୍ଚ ମନୋଜ ପ୍ରଧାନ ସମ୍ପୃକ୍ତ ସରେଇକେଲା ବାଲିଘାଟର ଲିଜ୍ଧାରୀ ମଧ୍ୟ ଅଟନ୍ତି। ଏହି ମାମଲାରେ ତାଙ୍କ ସହଯୋଗୀ ଅଜହରୁଦ୍ଦିନଙ୍କୁ ମଧ୍ୟ ପୋଲିସ କାବୁ କରିଛି।
ଜଗଦଲପୁର ଥାନା ଅଧିକାରୀ (IIC) ଅଭିମନ୍ୟୁ ଦୁର୍ଗା ସୂଚନା ଦେଇଛନ୍ତି ଯେ, ଗିରଫ ସରପଞ୍ଚ ଓ ତାଙ୍କ ସହଯୋଗୀଙ୍କୁ ସ୍ଥାନୀୟ କୋର୍ଟରେ ହାଜର କରାଯାଇଛି। ଏହି ଘଟଣାରେ ଆଉ କାହାର ସଂପୃକ୍ତି ଅଛି କି ନାହିଁ, ସେ ନେଇ ପୋଲିସ ଅଧିକ ଛାନଭିନ ଜାରି ରଖିଛି।

