ସମ୍ବଲପୁର,୨୪।୮(ପ୍ରମୋଦ ବହିଦାର): ପଶ୍ଚିମ ଓଡ଼ିଶାର ମହାନ ଗଣପର୍ବ ନୂଆଖାଇରେ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଇଙ୍କ ନିକଟରେ ଲାଗି ହେବ ନୂତନ ସରିଆଧାନ। ଏଥିପାଇଁ ଆଜି ମା’ ସମଲେଇଙ୍କ ପୀଠରେ ପହଞ୍ଚିଛି ନୂଆଁ ସରିଆ ଧାନ। ପ୍ରତିବର୍ଷ ଭଳି ଚଳିତ ବଷ ମଧ୍ୟ ମା ସମଲେଇଙ୍କ ନିକଟରେ ନବାନ୍ନ ଲାଗି ପାଇଁ ବଲବସପୁର ଗ୍ରାମର ସୁବାଷ ବେହେରା ଓ ତାଙ୍କ ପରିବାର ନୂଆଖାଇ ପୂର୍ବରୁ ରବିବାର ସରିଆଧାନକୁ ଆଣି ମାଁଙ୍କ ମଧ୍ୟ ପୂଜକଙ୍କୁ ପ୍ରଦାନ କରିଛନ୍ତି। ସୁବାଷଙ୍କ ପରିବାର ସରିଆଧାନ ଧରି ମାଁଙ୍କ ପୀଠରେ ମଧ୍ୟ ପୂଜକ ସହ ସମସ୍ତ ପୂଜକ ସେମାନଙ୍କୁ ପାରମ୍ପରିକ ବାଦ୍ୟ, ଶଙ୍ଖ, ଘଣ୍ଟ ହୁଳହୁଳି ମଧ୍ୟରେ ସ୍ବାଗତ କରିଯାଇଥିଲା।
ବିଧି ଅନୁସାରେ ପୂଜକଙ୍କ ପରିବାରବର୍ଗ ଏକାଠି ମିଶି ସମସ୍ତେ ଉକ୍ତ ନୂଆଁ ସରିଆଧାନ କେଣ୍ଡାକୁ ଗଣେଷ ପୂଜା ଦିନ ସଯତ୍ନେ ସଫା କରିବେ। ଏହା ପରେ କେଣ୍ଡାରୁ ଧାନ ଅଲଗା କରି ତାକୁ ଢିଙ୍କିଆରେ କୁଟି ଚାଉଳ ବାହାର କରିବେ। ପରେ ଉକ୍ତ ଚାଉଳକୁ ଭାଜି ଗୁଡ ଓ ଘିଅ ଦେଇ କ୍ଷୀରି ସ୍ବରୂପ ନବାନ୍ନ ପ୍ରସ୍ତୁତ କରି ନୂଆଁଖାଇ ଦିନ ମାଙ୍କ ନିକଟରେ ଲାଗି କରିବେ। ସୂଚନାଯୋଗ୍ୟ େ ୬୦ ଦିନରେ ଉତ୍ପାଦନ ହେଉଥିବା ଏହି ସରିବା କିସମ ଧାନ ପାଇଁ ସୁବାଷ ବେହେରାଙ୍କ ପରିବାର ସଠିକ ସମୟରେ ଚାଷ କରି ଠିକ ନୂଆଁଖାଇ ପୂର୍ବରୁ ଉତ୍ପାଦନ କରି ଥାଆନ୍ତି।


