ଆରମ୍ଭ ହେଲା ‘ସର୍‌ଗି ଫୁଲ’

ଭୁବନେଶ୍ୱର,୨୯।୧୦ (ବ୍ୟୁରୋ): ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ଆନୁକୂଲ୍ୟରେ ଗୁରୁବାର ‘ସର୍‌ଗି ଫୁଲ’ ଉଦ୍‌ଘାଟିତ ହୋଇଯାଇଛି। ଭର୍ଚୁଆଲ ମାଧ୍ୟମରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ବିଭାଗୀୟ ମନ୍ତ୍ରୀ ଜଗନ୍ନାଥ ସାରକା ଉଦ୍‌ଘାଟନ କରି ପିଲାମାନଙ୍କ ମଧ୍ୟରେ ପ୍ରତିଯୋଗୀତା ମନୋଭାବ ସୃଷ୍ଟି କରିବା ଏହି ଉତ୍ସବର ମୁଖ୍ୟ ଉଦ୍ଦେଶ୍ୟ ବୋଲି କହିଥିଲେ। ବିଭାଗୀୟ ପ୍ରମୁଖ ଶାସନ ସଚିବ ରଞ୍ଜନା ଚୋପ୍ରା ପିଲାମାନଙ୍କୁ ବିଦ୍ୟାଳୟକୁ ଫେରାଇ ଆଣି ସେମାନଙ୍କର ସୃଜନ ଶକ୍ତିର ବିକାଶ କରିବାରେ ସର୍‌ଗିଫୁଲ ସହାୟକ ହେବ ବୋଲି କହିଥିଲେ। ଏହି କାର୍ଯ୍ୟକ୍ରମ ଉଭୟ ଭର୍ଚୁଆଲ୍‌ ଓ ବିଦ୍ୟାଳୟ ପରିସରରେ ଆୟୋଜନ ହେବ। ଚଳିତବର୍ଷ ବିଷୟବସ୍ତୁ ହେଉଛି ‘ଆଜାଦି କା ଅମୃତ ମହୋତ୍ସବ- ଭାରତୀୟ ସ୍ବାଧିନତାର ୭୫ ବର୍ଷ ପୂର୍ତ୍ତି’। କାର୍ଯ୍ୟକ୍ରମରେ ୧୦ଟି ଇଭେଣ୍ଟରେ ପ୍ରତିଯୋଗୀତା ଆୟୋଜନ ହେବ। ସିନିୟର, ସୁପର ସିନିଅର, ଜୁନିଅର ଓ ସବ୍‌ଜୁନିଅର ଗ୍ରୁପ୍‌ରେ ଏହି ପ୍ରତିଯୋଗୀତା କରାଯିବ ବୋଲି ସୂଚନା ଦିଆଯାଇଛି।
ଉଦ୍‌ଘାଟନ ଉତ୍ସବରେ ବିଭାଗୀୟ ସ୍ବତନ୍ତ୍ର ସଚିବ ବିଶ୍ୱରଞ୍ଜନ ସାସମଲ, ବିଭାଗୀୟ ନିର୍ଦ୍ଦେଶିକା (ଏସ୍‌ଟି) ତଥା ସିଇଓ ଓଟିଡିଏସ୍‌ ଗୁହା ପୁନମ୍‌ ତାପସ କୁମାର, ଏସ୍‌ସିଏସ୍‌ଟିଆର୍‌ଟିଆଇ ନିର୍ଦ୍ଦେଶକ ପ୍ରଫେସର ଡ. ଅଖିଳ ବିହାରୀ ଓତା, ପିଏଆଇଟିଡିଏ, ଜିଲା ମଙ୍ଗଳ ଅଧିକାରୀ, ସ୍କୁଲ ସିଆଇ ଡିଆଇ, ଡବ୍ଲ୍ୟୁଇଓ, ଇଏମଆରଏସ୍‌ ପ୍ରିନ୍ସିପାଲ, ସ୍କୁଲ ପ୍ରଧାନ ଶିକ୍ଷକ, ଶିକ୍ଷୟତ୍ରୀ, ଛାତ୍ରୀଛାତ୍ର ଓ ଅତିଥିମାନେ ଯୋଗଦେଇଥିଲେ।