ତୁଣ୍ଡଲା,୧୭।୨(ଫିରୋଜ କୁମାର ଦାଶ): କଳାହାଣ୍ଡି ଜିଲାର କେସିଙ୍ଗା ବ୍ଲକ ବେଲଖଣ୍ଡି ସ୍ଥିତ ତେଲ ଓ ଉତେଇ ନଦୀର ସଙ୍ଗମରେ ଥିବା ସର୍ବପୁରାତନ ତଥା ଐତିହାସିକ ସପ୍ତମାତୃକା ଶୈବପୀଠ ପରିସରରେ ମଙ୍ଗଳବାର ଶହ ଶହ ପଶୁପକ୍ଷୀଙ୍କ ବଳି ଦିଆଯାଇଛି । ଫଳରେ ରକ୍ତ ରଞ୍ଜିତ ହୋଇପଡିଛି ଶୈବପୀଠ । ଓଡ଼ିଶାର ଶୈବପୀଠରେ ବଳି ଦେବାର ପରମ୍ପରା ବିରଳ ହୋଇଥିବା ବେଳେ ଏଠାରେ ଶୈବ ଓ ଶାକ୍ତର ମିଳନ ଦେଖିବାକୁ ମିଳିଛି ।
ଆଦିବାସୀଙ୍କ ବିଶ୍ୱାସ ଅନୁସାରେ ମହାଶିବରାତ୍ରି ସମୟରେ ଅମାବାସ୍ୟାର ପରବର୍ତ୍ତୀ ଦିନ ଏଠାରେ ବଳି ଦିଆଯିବା ପ୍ରଥା ରହିଛି । ମଙ୍ଗଳବାର ସକାଳୁ ପୂଜାର୍ଚ୍ଚନା ପରେ ଧବଳେଶ୍ୱରଙ୍କ ମନ୍ଦିରରୁ ଚଣ୍ଡୀ କାଳିସୀ ରୂପରେ ଶବାର ହେବା ପରେ ତାଙ୍କୁ କାନ୍ଧରେ ବୋହି ଦେବ ମୁହାଁଣ ପର୍ଯ୍ୟନ୍ତ ଅଣାଯାଇଥିଲା । ତେବେ ମୁହାଁଣରେ ପ୍ରଥମେ କଳାହାଣ୍ଡି ରାଜାଙ୍କ ଦ୍ୱାରା ପ୍ରେରିତ ବୋଦାକୁ ବଳି ଦିଆଯାଇଥିଲା । ପରମ୍ପରା ଅନୁଯାୟୀ କଳାହାଣ୍ଡି, ବଲାଙ୍ଗୀର, ବୌଦ୍ଧ ଓ ଫୁଲବାଣୀର ଅଠର ମାଝୀ ଷୋହଳ ପ୍ରଧାନୀ ଆଦିବାସୀମାନଙ୍କ ଠାରୁ ଅରୁଆ ଚାଉଳ, ଫୁଲ ସିନ୍ଦୁର ଓ ଟାଙ୍ଗିଆ ଆସିଵା ପରେ ସିଦ୍ଧେଶ୍ବରୀ ପୀଠରେ ପୂଜା କରାଯାଇଥିଲା । ସେହିଭଲି ଗୁର୍ଜିଭଟାରୁ ଆସିଥିବା ନିଶାନରେ ଦେବୀ ଝୁଲିବା ପରେ କଣ୍ଟା ଦୋଳିରେ ଦେବୀ ଖେଳିଥିଲେ । ପରେ ସିଦ୍ଧେଶ୍ବରୀ ଚଣ୍ଡୀଙ୍କ ଠାରେ ମନସ୍କାମନା କରିଥିବା ଭକ୍ତମାନେ ଆଣିଥିବା ବୋଦାକୁ ବଳି ଦିଆଯାଇଥିଲା ।
ପୀଠରେ ପ୍ରାୟ ପାଞ୍ଚ ଶହରୁ ଅଧିକ ବୋଦା ବଳି ପଡ଼ିଥିବା ଦେଖିବାକୁ ମିଳିଥିଲା । ଏଠାରେ ମନସ୍କାମନା ପାଇଁ ଦେବୀଙ୍କୁ ମନାସିଲେ ତାହା ପୂର୍ଣ୍ଣ ହୁଏ ବୋଲି ଭକ୍ତଙ୍କ ବିଶ୍ୱାସ ରହିଛି । ତେବେ ପ୍ରାଚୀନ କାଳରେ ଏହି ଅଞ୍ଚଳରେ କନ୍ଧମାନେ ବାସ କରି ରହିଆସୁଥିଲେ ଏବଂ ଏଥିରେ ସପ୍ତାମାତୃକାଙ୍କୁ ପୂଜା କରାଯାଉଛି । ଏହା ବାଦ ଐତିହାସିକଙ୍କ ମତରେ ଏହି ମନ୍ଦିର ନବମ ଶତାବ୍ଦୀରେ ନିର୍ମାଣ ହୋଇଥିବା ଜଣାଯାଏ । ଏହି ମନ୍ଦିର ତେଲ ଓ ଉତେଇ ନଦୀର ସଙ୍ଗମ ସ୍ଥଳରେ ଅବସ୍ଥିତ ଥିବା ଏବଂ ନଦୀର ଦୁଇ କୂଳରେ ଆଉ ଦୁଇଟି ଶିବ ମନ୍ଦିର ଥିବାରୁ ଏଠାରେ କଳାହାଣ୍ଡି, ବଲାଙ୍ଗୀର, ନୂଆପଡା, ସୋନପୁର, ବୌଦ୍ଧ, ଫୁଲବାଣୀ, ତଥା ପଡୋଶୀ ରାଜ୍ୟ ଛତିଶଗଡ ରାଜ୍ୟରୁ ହଜାର ହଜାର ଶ୍ରଦ୍ଧାଳୁ ଙ୍କ ସମାଗମ ହୋଇଥାଏ । ମଙ୍ଗଳବାର ସକାଳୁ ବିଭିନ୍ନ ଅଂଚଳରୁ ଶତାଧିକ ଭକ୍ତମାନେ ମନାସୀ ଥିବା ବୋଦା ଓ ଗଡ଼ରା ଧରି ଲମ୍ବା ଧାଡିରେ ଛିଡା ହୋଇଥିବା ଦୃଶ୍ୟ ଦେଖିବାକୁ ମିଳିଥିଲା । ନିସନ୍ତାନ କୁ ସନ୍ତାନ ମିଳିବା ବିଶ୍ୱାସ ରହିଥିବା ବା ଯାହା ମନୋବାଞ୍ଛା କରିଥିବେ ତାହା ପୂର୍ଣ୍ଣ ହେବା ଏହା କହିଛନ୍ତି ବୌଦ୍ଧ ଜିଲ୍ଲାର ଜଣେ ଭକ୍ତ ।
ଏହି ମନ୍ଦିରରେ ଶୈବ ଓ ଶାକ୍ତର ମହା ମିଳନ ବୋଲି ମନ୍ଦିରର ମୁଖ୍ୟ ପୂଜକ ଦ୍ୱରିକା ପ୍ରସାଦ ସିଂ କହିଛନ୍ତି । ଗୋଟିଏ ପଟେ ପ୍ରଶାସନ ପକ୍ଷରୁ ଯିବେ ଦୟା ନାରା ଦିଆଯାଉଥିବା ବେଳେ ଅନ୍ୟ ପଟେ ବିଶ୍ୱାସ ଆଗରେ ହାର ମାନିଛି ପ୍ରଶାସନ । ସାଧାରଣ ଲୋକଙ୍କୁ ସଚେତନ କରାଇବାରେ ବିଫଳ ହୋଇଛି ଜିଲା ପ୍ରଶାସନ । ଆଦିବାସୀଙ୍କ ବିଶ୍ୱାସ ଓ ପରମ୍ପରା ଆଗରେ ବଳି ପଡିଛନ୍ତି ନିରୀହ ପଶୁ । ଏଥିରେ ମନ୍ଦିରର ଯାତ୍ରା ପୂଜା କମିଟିର ସଭାପତି ପାର୍ଥବିର ସେଲମା, ସମ୍ପାଦକ ପ୍ରଦୀପ ଦୋରା, ସ୍ଥାନୀୟ ସରପଞ୍ଚ ସୁଶାନ୍ତ ବାଗ, ସମିତି ସଭ୍ୟ ପ୍ରଦୀପ ନାଏକ, କମିଟି ର ସଦସ୍ୟ ଆର୍ତତ୍ରାଣ ସିଂ, ବେଲଦାର ଭୋଇ, ଚକାମନ ନାଏକ, ଅକ୍ଷୟ କୁମାର ସାହୁ, ସଂକୀର୍ତନ ଭୋଇ, ଆନନ୍ଦ ଚନ୍ଦ୍ର ସିଂ, ଘନଶ୍ୟାମ ଭୋଇ ,ସୁଜନ ଛତ୍ରିଆ, ଜଗଦୀଶ ଦୀପ ଏବଂ ସମସ୍ତ ସଦସ୍ୟ ପ୍ରମୁଖ ଓ ଅଞ୍ଚଳବାସୀ ଙ୍କ ନେତୃତ୍ୱରେ ଶାନ୍ତିପୂର୍ଣ ଭାବରେ ପୂଜାକାର୍ଯ୍ୟ ଅନୁଷ୍ଠିତ ହୋଇ ଯାଇଛି । ଶାନ୍ତିଶୃଙ୍ଖଳା ରକ୍ଷା କରିବା ପାଇଁ କେସିଙ୍ଗା ପୋଲିସ ପକ୍ଷରୁ ପଲମ ଫାଣ୍ଡି ଅଧିକାରୀଙ୍କ ନେତୃତ୍ୱ ରେ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା ।