ସମ୍ବଲପୁର,୪ା୨(ପ୍ରମୋଦ ବହିଦାର): ସମ୍ବଲପୁର ନେତାଜୀନଗରରେ ଥିବା ସମର୍ଥ ମାନସିକ ଅନଗ୍ରସର ରୋଗୀ ଥଇଥାନ କେନ୍ଦ୍ରର ସମ୍ପାଦକ ହରିଶ୍ଚନ୍ଦ୍ର ଦାଶଙ୍କୁ ପୋଲିସ ୨ଦିନିଆ ରିମାଣ୍ଡରେ ନେଇଛି। ଏହି ସମୟରେ ଘଟଣାର ସମର୍ଥ କେନ୍ଦ୍ରରେ ମାନସିକ ବିକାରଗ୍ରସ୍ତ ଅନ୍ତେବାସୀଙ୍କ ଉପରେ ହୋଇଥିବା ନିର୍ଯାତନାର ସତ୍ୟାସତ୍ୟ ଉନ୍ମୋଚନ ପାଇଁ ତାଙ୍କୁ ପୋଲିସ ପଚରାଉଚରା କରିବ। ଫଳରେ ଜନସେବା ନାମରେ ହରିଶ୍ଚନ୍ଦ୍ର ଚଳାଇଥିବା କାରନାମାର ଗୁମର ଖୋଲିବ ବୋଲି ଆଶା କରାଯାଉଛି। ସେଥିମଧ୍ୟରେ ଜଣେ ଅନ୍ତେବାସୀଙ୍କୁ ବଳାତ୍କାର ସହ ୬ଜଣ ଅନ୍ତେବାସୀଙ୍କ ମୃତ୍ୟୁ ରହସ୍ୟ ଉନ୍ମୋଚିତ ହେବା ଆଶା କରାଯାଉଛି।
ଏ ନେଇ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଅଜୟ କୁମାର ମିଶ୍ର କହିଛନ୍ତି, ସମର୍ଥ କେନ୍ଦ୍ରରେ ଅନ୍ତେବାସୀଙ୍କୁ ନିର୍ଯାତନା ମାମଲାରେ ଧନୁପାଲି ଥାନାରେ ଏକ ମାମଲା ରୁଜୁହୋଇଥିଲା। ଏହାବାଦ ତାଙ୍କ ବିରୋଧରେ ଜଣେ ଅନ୍ତେବାସୀଙ୍କ ପକ୍ଷରୁ ବଳାତ୍କାର ଅଭିଯୋଗ ହୋଇଥିଲା ପରେ ଏହାକୁ ନେଇ ଆଉ ଏକ ମାମଲା ରୁଜୁ ହୋଇଥିଲା। ଏହାର ତଦନ୍ତ ପାଇଁ ସମର୍ଥ ସମ୍ପାଦକ ହରିଶ୍ଚନ୍ଦ୍ରଙ୍କୁ ରିମାଣ୍ଡରେ ନେବା ପାଇଁ ସମ୍ବଲପୁର ଏସ୍ଡିଜେଏମ୍ କୋର୍ଟରେ ଆବେଦନ କରାଯାଇଥିଲା। କୋର୍ଟ ଦେଇଥିବା ୨ଦିନିଆ ରିମାଣ୍ଡ ଅବଧି କାଳରେ ତାଙ୍କ ବିରୋଧରେ ଯେଉଁ ସବୁ ଅଭିଯୋଗ ପୋଲିସ ନିକଟରେ ପହଞ୍ଚିଛି ତାହାର ତଦନ୍ତ କରାଯିବ ବୋଲି ସେ କହିଛନ୍ତି।
ସୂଚନାଯୋଗ୍ୟ, ୨୦୨୨ ମସିହାରେ ଆଦର୍ଶ ଶିଶୁ ମନ୍ଦିର ଅଧୀନରେ ସ୍ବୀକୃତିପ୍ରାପ୍ତ ଏହି କେନ୍ଦ୍ରରେ ୫୦ଜଣ ଅନ୍ତେବାସୀଙ୍କ ପାଇଁ ସ୍ବୀକୃତି ମିଳିଥିଲା। ସେମାନଙ୍କୁ ଅତ୍ୟନ୍ତ ଅପରିଷ୍କାର ପରିବେଶରେ ମାତ୍ର ଦୁଇଟି କୋଠରିରେ ସର୍ବଦା ତାଲାବନ୍ଦ କରି ରଖାଯାଉଥିଲା ବୋଲି ମଧ୍ୟ ଅଭିଯୋଗ ହୋଇଥିଲା।
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅଭିଯୋଗ ହେଲା ଏହି କେନ୍ଦ୍ରରେ ବିଗତ ଦିନରେ ୬ରୁ ୭ଜଣ ଅନ୍ତେବାସୀଙ୍କ ମୃତ୍ୟୁ ଘଟିଥିଲା। ଏପରିକି ମୃତ୍ୟୁ ପରେ ସେମାନଙ୍କ ମୃତଦେହ ବ୍ୟବଚ୍ଛେଦ ମଧ୍ୟ ହୋଇ ନ ଥିବା ଅଭିଯୋଗ ହୋଇଛି। ସମର୍ଥ ଥଇଥାନ କେନ୍ଦ୍ରରେ ଅନ୍ତେବାସୀଙ୍କୁ ଅମାନୁଷିକ ନିର୍ଯାତନା ଘଟଣାର ଭିଡିଓ ଭାଇରାଲ ହେବା ପରେ ରାଜ୍ୟରେ ହଇଚଇ ସୃଷ୍ଟି କରିଥିଲା।