ମଥୁରାନଗରୀ,୪।୧(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରରେ ଚାଲୁଥିବା ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା ମହୋତ୍ସବର ପଲ୍ଲିଶ୍ରୀ ମେଳାସ୍ଥିତ ଧନୁମେଳା ମଞ୍ଚରେ ଶୁକ୍ରବାର ସମ୍ବଲପୁରୀ ଫ୍ୟାଶନ ଶୋ ଅନୁଷ୍ଠିତ ହୋଇଛି। ରାଜବୋଡାସମ୍ବର(ପଦ୍ମପୁର) ଅଞ୍ଚଳର ପ୍ରସିଦ୍ଧ ‘ରେନବୋ ଫ୍ୟାଶନ ଗ୍ରୁପ’ ତାଙ୍କ ଆକର୍ଷଣୀୟ ଫ୍ୟାଶନ ଶୋ ସମ୍ବଲପୁରୀ ପରିଧାନ ଦର୍ଶକଙ୍କୁ ମୁଗ୍ଧ କରି ଦେଇଥିଲା। ଧନୁମେଳା ମଞ୍ଚରେ ରେନବୋ ଫ୍ୟାଶନ ଗ୍ରୁପର ମଡେଲମାନଙ୍କ ଦ୍ବାରା ସମ୍ବଲପୁରୀ ପରିଧାନ ବିଭିନ୍ନ ଆକର୍ଷଣୀୟ ଡିଜାଇନ ଉପରେ ପ୍ରଦର୍ଶିତ ହୋଇଥିଲା। ପାରମ୍ପରିକ ସମ୍ବଲପୁରୀ ଶାଢ଼ି, କୋସଲୀ ଡ୍ରେସ, ହସ୍ତତନ୍ତ ଶିଳ୍ପର ଅନୁପମ ରୂପାୟନ ସହିତ ପୁରାତନ ସମୟରୁ ଆଧୁନିକ ଫ୍ୟାଶନର ସମନ୍ବୟ ଦର୍ଶକଙ୍କ ମନକୁ ଗଭୀର ଭାବେ ଛୁଇଁଥିଲା। ରଙ୍ଗିନ ଆଲୋକ, ସୁମଧୁର ସଙ୍ଗୀତ ଓ ଆକର୍ଷଣୀୟ ରେମ୍ପ ୱାକ ସହ ଏହି ଶୋ’ଟି ଧନୁମେଳାର ଏକ ବିଶେଷ ଆକର୍ଷଣ ରୂପେ ଉଦ୍ଭାସିତ ହୋଇଥିଲା। ଅଞ୍ଚଳର ସାଂସ୍କୃତିକ ପରିଚୟ ବେଶଭୂଷା ଓ ବାନ୍ଧକଳାକୁ ଲୋକଲୋଚନକୁ ଆଣିବା ଏହି ଫ୍ୟାଶନ ଶୋ’ର ମୁଖ୍ୟ ଉଦ୍ଦେଶ୍ୟ ଥିଲା। ସେଥିପାଇଁ ବୋଡାସମ୍ବରର ପ୍ରତୀକ ସହିତ ଶ୍ରୀ ଶ୍ରୀ ନୃସିଂହନାଥ ପୀଠର ଆରାଧ୍ୟ ଦେବତା ମାର୍ଜାର କେଶରୀ ଶ୍ରୀ ଶ୍ରୀ ବାବା ନୃସିଂହ ଭଗବାନଙ୍କ ପ୍ରତିମୂର୍ତ୍ତିର ପ୍ରତୀକକୁ ଧନୁମଞ୍ଚରେ ପ୍ରଦର୍ଶିତ କରାଯାଇଥିଲା। ଏହା ମାଧ୍ୟମରେ ସ୍ଥାନୀୟ ଧାର୍ମିକ ଆସ୍ଥା, ସାଂସ୍କୃତିକ, ଐତିହ୍ୟ ଓ ବାନ୍ଧ ଶିଳ୍ପ କଳାକୁ ଜାତୀୟ ଏବଂ ଅନ୍ତର୍ଜାତୀୟ ଦର୍ଶକଙ୍କ ମଧ୍ୟରେ ପହଞ୍ଚାଇବାର ଏକ ସଫଳ ପ୍ରୟାସ କରାଯାଇଥିଲା। ରେନବୋ ଫ୍ୟାଶନ ଗ୍ରୁପ, ପଦ୍ମପୁରର ସମସ୍ତ ମଡେଲ, ଡିଜାଇନର, ପରିଚାଳକ ଏବଂ ସହଯୋଗୀମାନଙ୍କ ଏକତ୍ର ପ୍ରୟାସରେ କାର୍ଯ୍ୟକ୍ରମଟି ସଫଳ ଭାବେ ସମ୍ପନ୍ନ ହୋଇଥିଲା।


