ଖରାଦିନ ଆରମ୍ଭରୁ ସମସ୍ୟା: ୧୦ ହଜାରରୁ ଊର୍ଦ୍ଧ୍ୱ ଟ୍ୟୁବ୍‌ୱେଲରୁ ବାହାରୁଛି ଲୁଣାପାଣି

କେନ୍ଦ୍ରାପଡ଼ା,୩୦ା୧(ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ଜିଲାରେ ୯ଟି ମେଗା ପାନୀୟ ଜଳ ପ୍ରକଳ୍ପ ନିର୍ମାଣ ଅବଧି ବହୁ ପୂର୍ବରୁ ସରିଛି। ମାତ୍ର ଗୋଟିଏ ବି ପ୍ରକଳ୍ପ ଅଦ୍ୟାବଧି ସମ୍ପୂର୍ଣ୍ଣ ହୋଇପାରିନାହିଁ। ପ୍ରଶାସନିକ ଅଭିଯୋଗ ଶୁଣାଣି ଶିବିରରେ ଅଧିକାଂଶ ସାମୂହିକ ଅଭିଯୋଗ ଭାବେ ପାନୀୟ ଜଳ ସମସ୍ୟା ନିରାକରଣ ପାଇଁ ଆବେଦନପତ୍ର ଆସୁଛି। ଜିଲାରେ ଥିବା ୧୦ ହଜାରରୁ ଊର୍ଦ୍ଧ୍ୱ ଟ୍ୟୁବ୍‌ଓ୍ବେଲରୁ ଲୁଣାପାଣି ବାହାରୁଛି। ଖରାଦିନ ଆରମ୍ଭରୁ ଏହି ସମସ୍ୟା ଦେଖା ଦେଇଥିବାବେଳେ ଆସନ୍ତା ମାସଗୁଡ଼ିକ ଜିଲାବାସୀଙ୍କ ପାଇଁ ଏକ ସଙ୍କଟମୟ ପରିସ୍ଥିତି ସୃଷ୍ଟି କରିବ ବୋଲି ମତ ପ୍ରକାଶ ପାଇଛି।
ଏ ସମ୍ପର୍କରେ ସୂଚନା ଅଧିକାର ଅଭିଯାନର ଜିଲା ଆବାହକ ପ୍ରତାପ ଚନ୍ଦ୍ର ମହାନ୍ତି କହିଛନ୍ତି, କେନ୍ଦ୍ରାପଡ଼ା ଜିଲାରେ ମହାନଦୀ, ବ୍ରାହ୍ମଣୀ ଓ ବୈତରଣୀ ସିଷ୍ଟମ୍‌ରେ ଥିବା ୭ ନଦୀ ପ୍ରବାହିତ ହେଉଛି। ଏଥିସହ ୨୭ଟି ଶାଖା ନାଳ ଜଳପଥ ଏହି ଜିଲାରେ ଅଛି । ଉପକୂଳବର୍ତ୍ତୀ ଏହି ଜିଲାରେ ୧୭,୨୩୮ଟି ଟ୍ୟୁବ୍‌ୱେଲ, ୩୩୧ ପାନୀୟ ଜଳ ପ୍ରକଳ୍ପ, ୧୮୧ ଓଭରହେଡ ଟାଙ୍କି ଜିଲାବାସୀଙ୍କ ପାନୀୟ ଜଳ ଯୋଗାଣ ପାଇଁ ରହିଥିବା ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗର ତଥ୍ୟରେ ଉଲ୍ଲେଖ ଅଛି। ଏହାସତ୍ତ୍ୱେ ଜିଲାବାସୀଙ୍କ ଶୋଷ ମେଣ୍ଟୁନାହିଁ। ରାଜ୍ୟର ଏକମାତ୍ର ଜଳ ସଙ୍କଟ ଜିଲା ଭାବେ କେନ୍ଦ୍ରାପଡ଼ାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଚିହ୍ନଟ କରାଯାଇ ଜଳଶକ୍ତି ଅଭିଯାନ ମାଧ୍ୟମରେ ଭୂତଳ ଜଳ ରିଚାର୍ଜ ବ୍ୟବସ୍ଥା ହୋଇଥିଲେ ମଧ୍ୟ ଏହାର ସୁଫଳ ଜିଲାବାସୀ ଅନୁଭବ କରୁନାହାନ୍ତି। କେନ୍ଦ୍ର ସରକାରଙ୍କ ୨୦୨୪ ସୁଦ୍ଧା ଦେଶର ସମସ୍ତ ଘରକୁ ନଳ ଭିତରେ ଜଳ ଯୋଜନା ଏହି ଜିଲାରେ ଏବେ ବି ସ୍ବପ୍ନ ହୋଇ ରହିଛି। ଏ ସମ୍ପର୍କରେ ସାମାଜିକ କର୍ମୀ ବିଭୂତି ଭୂଷଣ ରାଉତ, ପ୍ରତାପ ରଞ୍ଜନ ତ୍ରିପାଠୀ, ଦେବାଶିଷ ସାମଲ, ମନୋଜ କୁମାର ରାଉତ, ହରେକୃଷ୍ଣ ପାତ୍ର ପ୍ରମୁଖ କହିଛନ୍ତି, ୭ ନଦୀ ପ୍ରବାହିତ ହେଉଥିବା କେନ୍ଦ୍ରାପଡ଼ା ଜିଲାରେ ପାନୀୟ ଜଳସଙ୍କଟ ଏକ ମୁଖ୍ୟ ସମସ୍ୟା। ସମୁଦ୍ର ତଟବର୍ତ୍ତୀ ଜିଲା ହୋଇଥିବାରୁ ଭୂତଳ ଜଳ ଲୁଣା ହୋଇଯାଇଛି। ୭ଟି ମେଗା ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟକାରୀ ହୋଇନାହିଁ। ଅପରପକ୍ଷରେ ଗ୍ରାମାଞ୍ଚଳରେ ଥିବା ପାଣି ଟାଙ୍କିଗୁଡିକ ପ୍ରାୟ ଶୁଖିଲା ରହୁଛି। ଗୋଟିଏ ଟ୍ୟୁବ୍‌ୱେଲ ଖୋଳିଲେ ଅନୂ୍ୟନ ୩ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଛି। ସେଥିରେ ମଧ୍ୟ ଲୁଣାପାଣି ବାହାରୁଛି। ସେହିପରି ମହାନଦୀ, ବ୍ରାହ୍ମଣୀ ଓ ବୈତରଣୀ ସିଷ୍ଟମ୍‌ରେ ଥିବା ବ୍ୟାରେଜ, ଶିଳ୍ପ, କ୍ଷେତ ଆଦି ୭ ନଦୀରୁ ଜଳ ଶୋଷୁଛି। ଫଳରେ ଜଳଧାର ହ୍ରାସ ହୋଇଛି। ଏହାଯୋଗୁ ଭୂତଳ ଜଳ ରିଚାର୍ଜ ହେବା ସମ୍ଭାବନା କମିଛି। ଜିଲାର ଗରଦପୁର ବ୍ଲକ ଅଞ୍ଚଳର ଭୂତଳ ଜଳସ୍ତର ପାନୀୟ ଜଳ ପାଇଁ ଅନୁପଯୁକ୍ତ ବୋଲି ରାଜ୍ୟ ଓ କେନ୍ଦ୍ର ଜଳସମ୍ପଦ ବିଭାଗ ରିପୋର୍ଟରୁ ସୂଚନା ମିଳିଛି। ସେହିପରି ଆଳି, ରାଜନଗର, ରାଜକନିକା ଅଞ୍ଚଳରେ କେନାଲ ନାହିଁ। ଏଠାରେ ଭୂତଳ ଜଳ ରିଚାର୍ଜ ହୋଇ ପାରୁ ନ ଥିବାରୁ ପାନୀୟ ଜଳ ସ୍ଥିତି ମହାକାଳପଡ଼ା ବ୍ଲକ ପରି ଅଭାବ ଦେଖାଦେଇଛି। ଭୂତଳ ଜଳସ୍ତର ରିଚାର୍ଜ ପାଇଁ ୨୦୧୯ରେ ରାଜ୍ୟର ଏକମାତ୍ର କେନ୍ଦ୍ରାପଡ଼ା ଜିଲାକୁ ଜଳଶକ୍ତି ଅଭିଯାନରେ ସାମିଲ କରାଯାଇଛି। ଏହି ଅଭିଯାନରେ ପ୍ରତି ଟ୍ୟୁବ୍‌ୱେଲରେ ସକିଂ ପିଟ୍‌ ପାଇପ ଫିଟିଂ, ବନୀକରଣ, ବର୍ଷାଜଳ ସଂରକ୍ଷଣ, ଜଳଉତ୍ସର ପୁନରୁଦ୍ଧାର ଆଦିକୁ ଗୁରୁତ୍ୱ ଦିଆଯାଇଛି। ତେବେ ଏହି ଅଭିଯାନ ଜିଲାର ପ୍ରଶାସନିକ ଅବହେଳା ଯୋଗୁ ଫେଲ ମାରିଛି। ଫଳରେ ଭୂତଳ ଜଳ ରିଚାର୍ଜ ହୋଇପାରୁନାହିଁ। ଅପରପକ୍ଷରେ ୨୦୨୬ ମାର୍ଚ୍ଚ ସୁଦ୍ଧା ଜିଲାର ସମସ୍ତ ପରିବାରକୁ ପାଇପ ଯୋଗେ ପାନୀୟ ଜଳ ଯୋଗାଣ ନିମନ୍ତେ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି। ତେବେ ମାତ୍ର ୩୩ ହଜାର ପରିବାର ଏଥିରୁ ଉପକୃତ ହୋଇଛନ୍ତି। ପାଇପ ଯୋଗେ ପାଣି ଯୋଗାଇବା ପାଇଁ ଜିଲାର ବିଭିନ୍ନ ସ୍ଥାନରେ ମେଗା ଜଳ ପ୍ରକଳ୍ପ ଆରମ୍ଭ ହୋଇଛି। ଏହି ପ୍ରକଳ୍ପ ଆରମ୍ଭ ପୂର୍ବରୁ ଜମି ଓ ପରିବେଶ ସମ୍ପର୍କରେ ତଦନ୍ତ ହୋଇନାହିଁ। ଫଳରେ ମାର୍ଶାଘାଇ ବ୍ଲକ ମଣିକୁଣ୍ଡାଠାରେ ନିର୍ମାଣାଧୀନ ପାନୀୟ ଜଳ ପ୍ରକଳ୍ପ ଏନ୍‌ଜିଟି ମାମଲାରେ ଛନ୍ଦି ହୋଇଗଲା। ରାଜନେତା ଓ ପ୍ରଶାସନିକ ଅଧିକାରୀଙ୍କ ସମନ୍ବୟ ନ ଥିବାରୁ ଏପରି ସମସ୍ୟା ସୃଷ୍ଟି ହେଉଛି। ଏ ସମ୍ପର୍କରେ ଏଡିଏମ୍‌ ରବୀନ୍ଦ୍ର କୁମାର ମଲ୍ଲିକଙ୍କୁ ପଚାରିବାରେ ଅଧିକାଂଶ ଗ୍ରାମାଞ୍ଚଳରେ ପାଣି ସମସ୍ୟା ଥିବା ଅଭିଯୋଗ ଆସୁଛି। ଏହାର ନିରାକରଣ ପାଇଁ ଜିଲା ପ୍ରଶାସନ ପକ୍ଷରୁ ଗୁରୁତ୍ୱ ଦିଆଯାଇଛି। ନିର୍ମାଣାଧୀନ ମେଗା ପାଇପ ୱାଟର ପ୍ରୋଜେକ୍ଟକୁ ତୁରନ୍ତ ସାରିବା ପାଇଁ ଆର୍‌ଡବ୍ଲ୍ୟୁଏସ୍‌ ଆଣ୍ଡ ଏସ୍‌ ବିଭାଗ ସହ ଠିକା ସଂସ୍ଥା ସହିତ ଆଲୋଚନା ହୋଇଛି। ଏଥିସହ ବିଭିନ୍ନ ଗ୍ରାମର ପରିବାରକୁ ପାଇପ ପାଣି ସଂଯୋଗ ପାଇଁ ପ୍ରକଳ୍ପ ପ୍ରକ୍ରିୟା ଜାରି ରହିଛି। ଖୁବ୍‌ଶୀଘ୍ର ଧାର୍ଯ୍ୟ ଲକ୍ଷ୍ୟରେ ପହଞ୍ଚିବ ବୋଲି ସେ କହିଛନ୍ତି।

Dharitri –Odisha’s No.1 Trusted Odia Daily