ବଲିଉଡର ଭାଇଜାନ ସଲମାନ ଖାନଙ୍କ ପରବର୍ତ୍ତୀ ଫିଲ୍ମ ‘ବ୍ୟାଟଲ ଅଫ ଗଲୱାନ’ରିଲିଜ ହେବାକୁ ଯାଉଛି। ସଲମାନ ଏହି ଫିଲ୍ମ ସେଟରେ ଏକ ଗୁରୁତ୍ୱପୂର୍ଣ୍ଣ ଏବଂ ସକାରାତ୍ମକ ପରିବର୍ତ୍ତନ ଆଣିଛନ୍ତି। ଅଧିକାଂଶ କ୍ଷେତ୍ରରେ ଫିଲ୍ମ ସେଟରେ ସାଧାରଣତଃ ଅଭିନେତା ଏବଂ ମୁଖ୍ୟ କର୍ମଚାରୀଙ୍କ ପାଇଁ ଏକ ଅଲଗା ଖାଦ୍ୟ ସ୍ପଟ୍ର ବ୍ୟବସ୍ଥା ଥାଏ। ସଲମାନ ଏହି ପାର୍ଥକ୍ୟକୁ ସମ୍ପୂର୍ଣ୍ଣ ଭାବରେ ଦୂର କରିଦେଇଛନ୍ତି। ଏବେ ସମସ୍ତଙ୍କୁ ସମାନ ଖାଦ୍ୟ ପରିବେଷଣ କରାଯିବ।
ଏକ ଫିଲ୍ମ ସେଟରେ ସାଧାରଣତଃ ତିନି ପ୍ରକାରର ଖାଦ୍ୟ ପରିବେଷଣ କରାଯାଏ: ପ୍ରଥମଟି ତାରକାମାନଙ୍କ ପାଇଁ, ଦ୍ୱିତୀୟଟି ବିଭିନ୍ନ ବିଭାଗର ଟେକ୍ନିସିଆନ ପାଇଁ ଏବଂ ତୃତୀୟ ୟୁନିଟ ଅନ୍ୟ ଲୋକଙ୍କ ପାଇଁ। ସଲମାନ ଏହି ପାର୍ଥକ୍ୟକୁ ନାପସନ୍ଦ କରିଛନ୍ତି ଏବଂ ଏହି ପ୍ରଥାକୁ ଶେଷ କରିବାକୁ ପଦକ୍ଷେପ ନେଇଛନ୍ତି।
ସେ ଏବେ ତାଙ୍କର ମୋବାଇଲ କିଚେନ୍ ବିଇଂ ହାଙ୍ଗ୍ରି(Being Haangry) ମାଧ୍ୟମରେ ସମସ୍ତଙ୍କୁ ସମାନ ଖାଦ୍ୟ ଯୋଗାଇବାର ଏକ ବ୍ୟବସ୍ଥା ଆରମ୍ଭ କରିଛନ୍ତି। ଏହି ନୂତନ ବ୍ୟବସ୍ଥା ଅନୁଯାୟୀ, ଫିଲ୍ମ ସହିତ ଜଡିତ ସମସ୍ତେ ସମାନ ଖାଦ୍ୟ ଖାଇବେ। ଏହି କାର୍ଯ୍ୟ ସଲମାନ ‘ସିକନ୍ଦର’ ସେଟ୍ରେ ଆରମ୍ଭ କରିଥିଲେ। ଏହାକୁ ଏବେ ‘ବ୍ୟାଟଲ ଅଫ ଗଲୱାନ’ର ଶୁଟିଂ ସମୟରେ ଜାରି ରଖାଯାଇଛି। ଫିଲ୍ମ ବ୍ୟତୀତ, ଏହାକୁ ‘ବିଗ ବସ’ ସେଟ୍ରେ ମଧ୍ୟ ବ୍ୟବହାର କରାଯାଏ।
ସଲମାନଙ୍କ ମୋବାଇଲ କିଚେନ୍ ବିଇଂ ହାଙ୍ଗ୍ରି କୋଭିଡ ମହାମାରୀ ସମୟରେ ଏକ ଖାଦ୍ୟ ଟ୍ରକ ଭାବରେ ଆରମ୍ଭ ହୋଇଥିଲା। ସେହି ସମୟରେ, ଏହି ଟ୍ରକଗୁଡ଼ିକ ଦେଶ ସାରା ଆଗଧାଡ଼ିର କର୍ମୀମାନଙ୍କୁ ଖାଦ୍ୟ ପହଞ୍ଚାଇଥିଲା। ପ୍ରାୟ ପାଞ୍ଚ ବର୍ଷ ପରେ ଏହି ଟ୍ରକଗୁଡ଼ିକୁ ମୋବାଇଲ କିଚେନ୍ ଭାବେ ପରିଣତ କରାଯାଇଛି।
ସଲମାନ ଦୁଇଟି ଭ୍ୟାନକୁ ମୋବାଇଲ କିଚେନ୍ ଭାବେ ପରିଣତ କରିଛନ୍ତି। ଏଗୁଡ଼ିକ ତାଙ୍କ ଫିଲ୍ମ ସେଟ୍ରେ ବ୍ୟବହାର କରାଯାଏ, ସମଗ୍ର ଫିଲ୍ମ ୟୁନିଟକୁ ଖାଦ୍ୟ ପହଞ୍ଚାଏ। ମୋବାଇଲ କିଚେନ୍ ଏକ ଭଲ ପଦକ୍ଷେପ। ଏଥିରେ ଏକ ରୋଷେଇ ଘର ଏବଂ ଶୀତଳ ଭଣ୍ଡାର ମଧ୍ୟ ଅଛି। ଗୋଟିଏ ସିଫ୍ଟରେ ଦୁଇଜଣ ରୋଷେୟା କାମ କରନ୍ତି। ଏକାଥରେ ୫୦୦ ଲୋକଙ୍କ ପାଇଁ ଖାଦ୍ୟ ପ୍ରସ୍ତୁତ କରାଯାଇପାରିବ।
Dharitri – Odisha’s No.1 Odia Daily


