ଶ୍ରୀମନ୍ଦିରର ୧ କି.ମି. ପରିଧି ଭିତରେ ମଦ ବିକ୍ରି ବନ୍ଦ! ବଡ଼ ନିଷ୍ପତ୍ତି…

ଭୁବନେଶ୍ୱର, ୩୦।୯(ସୁନିତ୍‌ ମିଶ୍ର):  ଶ୍ରୀମନ୍ଦିରର ପାଖରେ ଆଉ ତାମସିକ ଜିନିଷ ରହିବ ନାହିଁ। ଏଭଳି ଏକ ବଡ଼ ନିଷ୍ପତ୍ତି ସରକାର ନେବାକୁ ଯାଉଛନ୍ତି। ଏନେଇ ଆଲୋଚନା କରାଯାଇଛି। ନୂଆ ଅବକାରୀ ନୀତି ଆସିବା ପରେ ସେଥିରେ ଏଭଳି ନିୟମ ରଖାଯିବାକୁ ଯୋଜନା କରାଯାଉଥିବା ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ମଙ୍ଗଳବାର ସୂଚନା ଦେଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ପୁରୀ ଶ୍ରୀମନ୍ଦିରର ୧ କି.ମି. ପରିଧି ଭିତରେ ମଦ ବିକ୍ରି ଉପରେ କଟକଣା ଲାଗିପାରେ। ଏହାସହ ଆମିଷ ବିକ୍ରି ଉପରେ ମଧ୍ୟ ସରକାର ପ୍ରତିବନ୍ଧକ ଲଗାଇପାରନ୍ତି ବୋଲି ଶୁଣିବାକୁ ମିଳୁଛି। ଏନେଇ ମନ୍ତ୍ରୀ ହରିଚନ୍ଦନଙ୍କ ପ୍ରତିକ୍ରିୟା ପରେ ଏହାକୁ ବାସ୍ତବ ରୂପ ଦିଆଯାଇପାରେ ବୋଲି ଚର୍ଚ୍ଚା ଜୋର୍‌ ଧରିଛି।
ସୂଚନାଯୋଗ୍ୟ, ରାଜ୍ୟ ସରକାରଙ୍କ ନୂଆ ଅବକାରୀ ନୀତିକୁ ବହୁ ଲୋକଙ୍କ ଅପେକ୍ଷା ରହିଛି। ଅବକାରୀ ନୀତି ଆଣିବାରେ ସରକାର ବାରମ୍ବାର ସମୟ ଗଡ଼ାଇ ଚାଲିଛନ୍ତି। କିଛି ମାସ ତଳେ ସରକାରଙ୍କ ପକ୍ଷରୁ ଏକ ଟିମ୍‌ ୩ଟି ରାଜ୍ୟକୁ ଯାଇ ସେଠାରେ ଅବକାରୀ ନୀତି କିପରି ଲାଗୁ ହୋଇଛି ତା’ର ତଥ୍ୟ ସଂଗ୍ରହ କରିଥିଲେ। ଉକ୍ତ ତଥ୍ୟ ପରେ ରାଜ୍ୟର ନୂଆ ଅବକାରୀ ନୀତିର ରୂପରେଖ ପ୍ରସ୍ତୁତ ହୋଇସାରିଥିବା ବେଳେ ଏହାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହ ବୈଠକକରି ଆଲୋଚନା କରାଯିବ। ମୁଖ୍ୟମନ୍ତ୍ରୀଙ୍କ ମୋହର ବାଜିବା ପରେ ରାଜ୍ୟରେ ନୂଆ ଅବକାରୀ ନୀତି ଲାଗୁହେବ ବୋଲି କିଛିଦିନ ତଳେ ମନ୍ତ୍ରୀ ହରିଚନ୍ଦନ ସୂଚନା ଦେଇଥିଲେ।