କିଛି ବର୍ଷ ତଳେ ରସଗୋଲାକୁ ନେଇ କୋଲକାତା ଏବଂ ଓଡ଼ିଶା ମଧ୍ୟରେ ଦ୍ୱନ୍ଦ୍ୱ ଚାଲିଥିବା ବେଳେ ଶେଷରେ ଓଡ଼ିଶା ରାଜ୍ୟ ରସଗୋଲାର ଜିଆଇ ଟ୍ୟାଗ୍ ହାତେଇ ନିଜ ନାମରେ ରସଗୋଲା ପ୍ରସ୍ତୁତିର ଶ୍ରେୟ ନେଇଥିଲା। ବର୍ତ୍ତମାନ ରାଜ୍ୟର କେତେକ ଅଞ୍ଚଳରେ ବିଭିନ୍ନ ପ୍ରକାରର ସ୍ବାଦିଷ୍ଟ ମିଷ୍ଠାନ୍ନ ପ୍ରସ୍ତୁତି ହେଉଛି। ତାହା ଲୋକଲୋଚନକୁ ଆସିପାରୁନାହିଁ। ଏହାର ଉଦାହରଣ ହେଲା ସଇଁତଳାର ପେଡ଼ା। ଅଶୀରୁ ନବେ ଦଶକରେ ସଇଁତଳା କହିଲେ ରାଜ୍ୟର ଲୋକେ ସଇଁତଳା ପେଡ଼ାକୁ ବୁଝୁଥିଲେ। ବସଷ୍ଟାଣ୍ଡଠାରେ ଥିବା ଦୋକାନଗୁଡ଼ିକ ସେହି ସମୟରେ ପେଡ଼ା ବିକ୍ରୟ ପାଇଁ ଜିଲାରେ ପ୍ରସିଦ୍ଧି ଲାଭ କରିଥିଲା। ବସ୍ଷ୍ଟାଣ୍ଡରେ ବସ୍ ଲାଗିବାପରେ ଯାତ୍ରୀମାନେ ପେଡ଼ା କିଣି ନେଉଥିଲେ। କିନ୍ତୁ ସଇଁତଳା ନିକଟରେ ଗୋଳାବାରୁଦ କାରଖାନା ହେବା ପରଠାରୁ ପେଡ଼ାକୁ ଲୋକେ ଭୁଲିଯାଇ ଗୋଳାବାରୁଦ କାରଖାନାରୁ ପରିଚୟ ଜାଣିବାକୁ ପାଇଲେ। ଅନ୍ୟପକ୍ଷରେ ପେଡ଼ା ତିଆରି ପାଇଁ ଅଧିକ କ୍ଷୀର ଆବଶ୍ୟକ ଥିବାବେଳେ ବିଭିନ୍ନ କାରଣରୁ କ୍ଷୀର ଅଭାବ ରହୁଛି। ଫଳରେ ପୂର୍ବପରି ପେଡ଼ା ତିଆରି ହୋଇପାରୁ ନ ଥିବା ହୋଟେଲ ମାଲିକମାନେ କହିଛନ୍ତି। କେତେକ ଦୋକାନୀ କମ୍ ଚିନି ଦେଇ ସୁନ୍ଦର ଭାବେ ପେଡ଼ା ତିଆରି କରୁଥିବା ବେଳେ ଦାମ୍ ଟିକେ ଅଧିକ ରହୁଥିବାରୁ ତାହା ଦୁଇତିନି ଦିନ ପର୍ଯ୍ୟନ୍ତ ବିକ୍ରୟ ହୋଇପାରୁ ନ ଥିବା କହିଛନ୍ତି। ରାଜ୍ୟ ସରକାର ସଇଁତଳା ପେଡ଼ାକୁ ଜିଆଇ ଟ୍ୟାଗ୍ର ମାନ୍ୟତା ପ୍ରଦାନ ଦିଗରେ ପଦକ୍ଷେପ ନେଲେ ଏହା ରାଜ୍ୟ ବାହାରେ ପ୍ରସିଦ୍ଧି ଲାଭ କରିପାରିବ ବୋଲି ହୋଟେଲ ମାଲିକମାନେ କହିଛନ୍ତି।
-ରିପୋର୍ଟ: ରାଖାଲ ପ୍ରସାଦ ଶତପଥୀ, ସଇଁତଳା