ନୂଆପଡ଼ା,୧୬ା୧ (ମକାରୁ ବେମାଲ):ନୂଆପଡ଼ା ଜିଲାରେ ଦାଦନ ଦୁଃଖ ଥମିବା ନାଁ ନେଉନି। ସପ୍ତାହକ ଭିତରେ ଦୁଇଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ନିର୍ଯାତନାର ଶିକାର ହୋଇ ମରଣ ସହ ସଂଗ୍ରାମ କରୁଛନ୍ତି। ଶୁକ୍ରବାର ପୁଣି ଜଣେ ଦାଦନ ଶ୍ରମିକଙ୍କ ମୃତଦେହ ଗାଁରେ ପହଞ୍ଚତ୍ଛି। ସେ ହେଲେ ନୂଆପଡା ସଦର ବ୍ଲକ ବୋଇରଭାଡି ଗାଁର ଲଳିତା ପାଣ୍ଡେ (୩୪)। ସୂଚନା ଅନୁଯାୟୀ ବୋଇରଭାଡି ଗାଁର ସୁବାସ ପାଣ୍ଡେ (୩୮) ଓ ସ୍ତ୍ରୀ ଲଳିତା ଗାଁର ଅନ୍ୟ ଲୋକଙ୍କ ସହ ଜାନୁଆରୀ ୧ରେ ଉତ୍ତରପ୍ରଦେଶର ପ୍ରତାପପୁର ଜିଲା ପାହାଡପୁର ଇଟାଭାଟିକୁ ଇଟା ତିଆରି କରିବା ପାଇଁ ଯାଇଥିଲେ। ସେଠାରେ କାମ କରିବା ଭିତରେ ଲଳିତାଙ୍କ ଝାଡାବାନ୍ତି ହୋଇ ଅସୁସ୍ଥ ହୋଇପଡିଥିଲେ। ତାଙ୍କୁ ଡାକ୍ତରଖାନା ନେବା ଭିତରେ ରାସ୍ତାରେ ତାଙ୍କର ମୃତ୍ୟୁ ଘଟିଥିଲା। ଡାକ୍ତରଖାନାରେ ଡାକ୍ତର ମୃତ ଘୋଷଣା କରିଥିଲେ। ମୃତଦେହ ଗାଁରେ ପହଞ୍ଚତ୍ବା ପରେ ପରିବାର ଲୋକେ ଅନ୍ତିମ ସଂସ୍କାର କରିଛନ୍ତି। ଲଳିତାଙ୍କ ୩ ଝିଅ ଓ ଗୋଟିଏ ପୁଅ ଅଛନ୍ତି। ଏବେ ୪ ଝିଅପୁଅ ମା’ ଛେଉଣ୍ଡ ହୋଇ ଯାଇଛନ୍ତି। ପରିବାର ପ୍ରତି ପୋଷଣ କରିବା ସହ ଝିଅପୁଅର ପାଠପଢା ପାଇଁ ସୁବାସ ସ୍ତ୍ରୀଙ୍କୁ ସାଙ୍ଗରେ ଧରି ଦାଦନ ଯାଇଥିଲେ। ହେଲେ ସେଠାରେ ରୋଜଗାର କରିବେ କ’ଣ ସ୍ତ୍ରୀଙ୍କ ମୃତଦେହ ଧରି ଘରକୁ ଫେରିଲେ। ଏହି ପରିବାରକୁ ପ୍ରଶାସନ ପକ୍ଷରୁ ଆର୍ଥିକ ସହାୟତା ଯୋଗାଇଦେବା ସହ ଅସହାୟ ଝିଅପୁଅର ଥଇଥାନ କରାଯାଉ ବୋଲି ଗ୍ରାମବାସୀ ଓ ବନ୍ଧୁପରିଜନ ଦାବି କରିଛନ୍ତି।

