ଭୁବନେଶ୍ୱର,୫ା୧: ଭାରତୀୟ ପ୍ରତିରକ୍ଷା କ୍ଷେତ୍ରରେ ସୋମବାର ଏକ ବଡ଼ ସଫଳତା ମିଳିଛି। ଓଡ଼ିଶା ଉପକୂଳସ୍ଥିତ ଅବଦୁଲ କଲାମ ଦ୍ବୀପରୁ ଅତ୍ୟାଧୁନିକ ଏୟାର ଡିଫେନ୍ସ ସିଷ୍ଟମ୍ S-400 ଇଣ୍ଟରସେପ୍ଟର ମିଜାଇଲ୍ର ବ୍ୟବହାରିକ ପରୀକ୍ଷଣ ସଫଳତାର ସହ ସମ୍ପନ୍ନ ହୋଇଛି।
ଅପରାହ୍ନ ୩ଟା ୪୦ ମିନିଟ୍ରେ ଏହି ପରୀକ୍ଷଣ କରାଯାଇଥିଲା। ଆକାଶମାର୍ଗରେ ଶତ୍ରୁପକ୍ଷର ମିଜାଇଲ୍ ସଦୃଶ ଗତି କରୁଥିବା ‘ବଂଶୀ’ ନାମକ ଏକ ଟାର୍ଗେଟ୍ ଡ୍ରୋନ୍କୁ S-400 ସଫଳତାର ସହ ଚିହ୍ନଟ କରି ଧ୍ବଂଶ କରିଛି। ଏହି ପ୍ରଣାଳୀ ୪୦୦ କିଲୋମିଟର ପରିଧି ମଧ୍ୟରେ ଶତ୍ରୁପକ୍ଷର ବିମାନ, ଡ୍ରୋନ୍, ବାଲିଷ୍ଟିକ୍ ଏବଂ କ୍ରୁଜ୍ ମିଜାଇଲ୍କୁ ଚିହ୍ନଟ କରି ନିପାତ କରିବାରେ ସକ୍ଷମ।
ଉଲ୍ଲେଖଯୋଗ୍ୟ ଯେ, ଗତବର୍ଷ ଭାରତୀୟ ସେନା ଦ୍ବାରା କରାଯାଇଥିବା ‘ଅପରେସନ ସିନ୍ଦୂର’ ରେ S-400 ଇଣ୍ଟରସେପ୍ଟର ସିଷ୍ଟମ ବ୍ୟବହୃତ ହୋଇ ପାକିସ୍ତାନର ଆକ୍ରମଣକୁ ପ୍ରତିହତ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା।
ରୁଷିଆ ଓ ଭାରତ ଭଳି ଦେଶ ପାଇଁ S-400 ଏୟାର ଡିଫେନ୍ସ ସିଷ୍ଟମ୍ ବର୍ତ୍ତମାନ ପ୍ରତିରକ୍ଷା ବ୍ୟବସ୍ଥାର ଏକ ଅବିଚ୍ଛେଦ୍ୟ ଅଂଶ ପାଲଟିଛି। ଏହି ପରୀକ୍ଷଣ ପରେ ଭାରତର ଆକାଶମାର୍ଗ ସୁରକ୍ଷା ବଳୟ ଆହୁରି ସୁଦୃଢ଼ ହୋଇଛି। ଭାରତୀୟ ବାୟୁସେନାରେ ଏହାର ନିୟମିତ ବ୍ୟବହାର ଶତ୍ରୁ ଶିବିରରେ ଭୟ ସୃଷ୍ଟି କରିବ ବୋଲି ବିଶେଷଜ୍ଞମାନେ ମତ ପ୍ରକାଶ କରିଛନ୍ତି।