
ଓ୍ବାଶିଂଟନ୍.୧୯।୨: ଆମେରିକାର ବୈଦେଶିକ ସଚିବ ମାର୍କୋ ରୁବିଓ କହିଛନ୍ତି ଯେ ଆମେରିକା-ରୁଷିଆ ଆଲୋଚନାରେ ସାମିଲ ପକ୍ଷଗୁଡ଼ିକ ୟୁକ୍ରେନରେ ଶାନ୍ତି ପ୍ରତିଷ୍ଠା ଏବଂ ଆର୍ଥିକ ସହଯୋଗକୁ ପ୍ରୋତ୍ସାହିତ କରିବା ପାଇଁ ଏକ ଉଚ୍ଚସ୍ତରୀୟ ଦଳ ଗଠନ କରିବାକୁ ସହମତ ହୋଇଛନ୍ତି।
ୟୁକ୍ରେନ ସଙ୍କଟର ସମାଧାନ ଖୋଜିବା ପାଇଁ ମଙ୍ଗଳବାର ଆମେରିକା ଏବଂ ରୁଷିଆ ପ୍ରତିନିଧିମଣ୍ଡଳ ରିୟାଦରେ ସାକ୍ଷାତ କରିଛନ୍ତି। ଏହି ସମୟରେ ରୁଷିଆର ବୈଦେଶିକ ମନ୍ତ୍ରୀ ସର୍ଗଇ ଲାଭରୋଭ ମଧ୍ୟ ଉପସ୍ଥିତ ଥିଲେ।
ଗଣମାଧ୍ୟମ ରିପୋର୍ଟ ଅନୁସାରେ, ରୁବିଓ କହିଛନ୍ତି, ଦୂତାବାସରେ କର୍ମଚାରୀଙ୍କ ସଂଖ୍ୟା ପୁନଃସ୍ଥାପିତ କରିବା ପାଇଁ ମଧ୍ୟ ଏକ ଚୁକ୍ତି ହୋଇଛି। ସେ କହିଛନ୍ତି , ଗତ କିଛି ବର୍ଷ ମଧ୍ୟରେ ନିଆଯାଇଥିବା ପଦକ୍ଷେପ ଉଭୟ ଦେଶର କୂଟନୈତିକ ମିଶନର କାର୍ଯ୍ୟକ୍ଷମ କ୍ଷମତାକୁ ହ୍ରାସ କରିଛି।
ଆମେରିକାର ବୈଦେଶିକ ମନ୍ତ୍ରୀ କହିଛନ୍ତି, ଆମକୁ ଏପରି ସକ୍ରିୟ କୂଟନୈତିକ ମିଶନର ଆବଶ୍ୟକତା ପଡିବ ଯେଉଁମାନେ ଏହି ପ୍ରକ୍ରିୟାକୁ ଜାରି ରଖିବା ପାଇଁ କାର୍ଯ୍ୟ କରିପାରିବେ।
ରୁବିଓ କହିଥିଲେ ଯେ କେବଳ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ (ୟୁକ୍ରେନରେ) ଯୁଦ୍ଧ ଶେଷ କରିବାକୁ ସକ୍ଷମ।’ସେ କହିଛନ୍ତି, ମାତ୍ର କିଛି ମାସ ମଧ୍ୟରେ ରାଷ୍ଟ୍ରପତି ଟ୍ରମ୍ପ ସମଗ୍ର ବିଶ୍ୱ ଆଲୋଚନାକୁ ବଦଳାଇ ଦେଇଛନ୍ତି, କେବଳ ରାଷ୍ଟ୍ରପତି ଟ୍ରମ୍ପ ଏହା କରିପାରିବେ।
କ୍ରେମଲିନ ବୈଦେଶିକ ବ୍ୟାପାର ପରାମର୍ଶଦାତା ୟୁରି ଉଶାକୋଭ କହିଛନ୍ତି ଯେ ରିୟାଦରେ ଆମେରିକା-ରୁଷ ଆଲୋଚନା “ସକାରାତ୍ମକ” ଅଗ୍ରଗତି ସହିତ ଶେଷ ହୋଇଛି। ଏହା ସମସ୍ତ ପ୍ରସଙ୍ଗରେ ଏକ ଗମ୍ଭୀର ଆଲୋଚନା ଥିଲା। ଉଭୟ ପକ୍ଷ ପରସ୍ପରର ସ୍ବାର୍ଥକୁ ମନେ ରଖିବାକୁ ସହମତ ହୋଇଛନ୍ତି।