ଭୁବନେଶ୍ୱର,୧ା୨(ଅନାଦି କର): ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ପ୍ରଥମ ଅସ୍ମିତା ଜାତୀୟ ରଗ୍ବୀ ଲିଗ୍ ରବିବାର ଉଦ୍ଯାପିତ ହୋଇଯାଇଛି। ସବ୍-ଜୁନିୟର ବାଳିକା(୧୫ ବର୍ଷରୁ କମ୍), ଜୁନିୟର ବାଳିକା (୧୮ ବର୍ଷରୁ କମ୍) ଓ ସିନିୟର ମହିଳା ବର୍ଗରେ ଚାମ୍ପିୟନ ହୋଇ ଓଡ଼ିଶା ଦଳ କ୍ଲିନ ସୁଇପ୍ କରିଛି।
ସବ୍-ଜୁନିୟର ବାଳିକା ବିଭାଗ ଫାଇନାଲରେ ଓଡ଼ିଶା ୨୬-୬ ବ୍ୟବଧାନରେ ବିହାରକୁ ହରାଇଥିବା ବେଳେ ଜୁନିୟର ବାଳିକା ଫାଇନାଲରେ ୨୯-୦ ବ୍ୟବଧାନରେ ମହାରାଷ୍ଟ୍ରକୁ ହରାଇଥିଲା।
ସିନିୟର ମହିଳା ବିଭାଗ ଫାଇନାଲରେ ଓଡ଼ିଶା ୩୬-୫ ବ୍ୟବଧାନରେ ବିହାରକୁ ହରାଇ ଅସ୍ମିତା ଜାତୀୟ ରଗ୍ବୀ ଲିଗ୍ରେ କ୍ଲିନ ସୁଇପ୍ ହାସଲ କରିଥିଲା। ସେହିଭଳି ମହାରାଷ୍ଟ୍ର ଓ ରାଜସ୍ଥାନ ସବ୍-ଜୁନିୟର ବାଳିକା ବର୍ଗରେ ଯୁଗ୍ମ ଭାବେ ଦ୍ୱିତୀୟ ରନରଅପ୍ ହୋଇଥିବା ବେଳେ ଜୁନିୟର ବାଳିକାରେ ବିହାର ଓ ରାଜସ୍ଥାନ ଦ୍ୱିତୀୟ ରନରଅପ୍ ହେଇଛନ୍ତି। ସେହିଭଳି ସିନିୟର ମହିଳା ବର୍ଗରେ ପଶ୍ଚିମ ବଙ୍ଗ ଓ ମହାରାଷ୍ଟ୍ର ଦ୍ୱିତୀୟ ରନରଅପ୍ ଭାବେ ଅଭିଯାନ ଶେଷ କରିଛନ୍ତି।
ପ୍ରତ୍ୟେକ ବର୍ଗର ଚାମ୍ପିୟନ ଦଳକୁ ୧ ଲକ୍ଷ ୪୪ ହଜାର ଓ ରନରଅପ୍ ଦଳକୁ ୧ ଲକ୍ଷ ୨୦ ହଜାର ଟଙ୍କାର ପୁରସ୍କାର ରାଶି ଦିଆଯାଇଛି। ସେହିଭଳି ସେମିଫାଇନାଲରେ ପରାଜିତ ହୋଇଥିବା ଦୁଇ ଦ୍ୱିତୀୟ ରନରଅପ୍ ଦଳକୁ ୯୬ ହଜାର ଲେଖାଏ ପୁରସ୍କାର ରାଶି ପ୍ରଦାନ କରାଯାଇଛି। ୧୫ ବର୍ଷରୁ କମ୍ ବର୍ଗରେ ଓଡ଼ିଶାର ସୁମି ଗାଗରାଇ (୭୧ ପଏଣ୍ଟ), ଜୁନିୟର ବର୍ଗରେ ବିହାର ସିମରନ ପର୍ବିନ (୬୦) ଓ ସିନିୟର ବର୍ଗରେ ରାଜସ୍ଥାନର ମୁସ୍କାନ ପିପଲୋଦା (୫୫) ସର୍ବାଧିକ ସ୍କୋର କରିଥିଲେ।

