ପ୍ରତାପ ଜେନାଙ୍କ କ୍ୱାର୍ଟର୍ସ ଆଗରେ ହଙ୍ଗାମା: ଗିରଫ ହେଲେ ୨ ଯୁବଛାତ୍ର ନେତା

ଭୁବନେଶ୍ୱର,୨୧ା୩: ବିଜେଡି ନେତା ପ୍ରତାପ ଜେନାଙ୍କ କ୍ବାର୍ଟର୍ସ ଆଗରେ ହଙ୍ଗାମା କରିଥିବା ଘଟଣାରେ ୨ ଜଣଙ୍କୁ ଗିରଫ କରିଛି କ୍ୟାପିଟାଲ ଥାନା ପୋଲିସ। ଗିରଫ ଦ୍ୱୟ ହେଲେ ସିଦ୍ଧାର୍ଥ ସ୍ବାଇଁ ଓ ଦେବୀପ୍ରସାଦ ଲେଙ୍କା। ଉଭୟ ବିଜୁ ଛାତ୍ର ଜନତା ଦଳ ଉପସଭାପତି ଥିଲେ। ଗତକାଲି ବିଜେଡିରୁ ନିଲମ୍ବିତ ହୋଇଥିଲେ।

ସୂଚନାଯୋଗ୍ୟ, ପ୍ରତାପଙ୍କ ଘର ଆଗରେ ବାଣ ଫୁଟାଇ ହଙ୍ଗାମା କରିଥିଲେ ୨ ଯୁବଛାତ୍ର ନେତା। ଘର ଲୋକ ବିରୋଧ କରିବାରୁ ତାଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା। ନିଲମ୍ବିତ ନେତାଙ୍କ ହଙ୍ଗାମା ବେଳର ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ କରି କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ ପ୍ରତାପ ଜେନା।

ଦଳ ବିରୋଧୀ କାର୍ଯ୍ୟ ପାଇଁ ଗତକାଲି ୩ ଜଣ ଯୁବ ଓ ୭ ଜଣ ଛାତ୍ର ବିଜେଡି ନେତା ନିଲମ୍ବିତ ହୋଇଥିଲେ। ପ୍ରତାପ ଜେନାଙ୍କ ଦସ୍ତଖତ କ୍ରମେ ସେମାନଙ୍କୁ ଦଳରୁ ନିଲମ୍ବନ କରାଯାଇଥିବା ନେଇ ନୋଟିସ ପ୍ରକାଶ ପାଇଥିଲା। ପରେ ରାତିରେ ହଙ୍ଗାମା ଦେଖିବାକୁ ମିଳିଥିଲା। ଘଟଣା ପରେ ପ୍ରତାପଙ୍କ ଘର ଆଗରେ ସୁରକ୍ଷା ବ୍ୟବସ୍ଥା ବଢାଯାଇଛି।

Dharitri – Odisha’s No.1 Odia Daily

Share