ଭୁବନେଶ୍ୱର,୨୨ା୧: ରାଜଧାନୀର ଜନତା ମଇଦାନରେ ଚାଲିଥିବା ତିନିଦିନିଆ ‘ମତ୍ସ୍ୟ-ପ୍ରାଣୀ ସମାବେଶ’ରେ ଏକ ‘ମୁରା’ ପ୍ରଜାତିର ମଇଁଷି(ପୋରୁଅ) ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି। ହରିୟାଣାର କୁରୁକ୍ଷେତ୍ରରୁ ଆସିଥିବା ଏହି ବିଶାଳକାୟ ମଇଁଷିର ନାମ ହେଉଛି ‘ଇନ୍ଦର’, ଯାହାର ଆନୁମାନିକ ବଜାର ମୂଲ୍ୟ ପ୍ରାୟ ୪ କୋଟି ଟଙ୍କା ବୋଲି କୁହାଯାଉଛି।
ମାତ୍ର ୪.୫ ବର୍ଷ ବୟସ୍କ ଏହି ମଇଁଷିର ଓଜନ ପ୍ରାୟ ୧୭ କ୍ୱିଣ୍ଟାଲ। ଏହାର ଶାରୀରିକ ଗଠନ ଏବଂ ଉଚ୍ଚ ଜୈବିକ ଗୁଣବତ୍ତା ଏହାକୁ ଅନ୍ୟମାନଙ୍କଠାରୁ ସ୍ୱତନ୍ତ୍ର କରିଛି। ଏହି ବାହୁବଳୀ ମଇଁଷି ଦୈନିକ ପ୍ରାୟ ୨୮ କିଲୋଗ୍ରାମ ସୁଷମ ଖାଦ୍ୟ ଖାଇଥାଏ। ଏଥିରେ ୫ ଲିଟର କ୍ଷୀର, ୨ କିଲୋ ଦହି, ଗହମ, ବାଜରା ଏବଂ ସୋୟାବିନ୍ ଭଳି ପୁଷ୍ଟିକର ଖାଦ୍ୟ ସାମିଲ ଅଛି। ‘ଇନ୍ଦର’ର ଯତ୍ନ ପାଇଁ ଦୈନିକ ପ୍ରାୟ ୪,୦୦୦ ଟଙ୍କା ଖର୍ଚ୍ଚ ହୋଇଥାଏ।
ଇନ୍ଦର ବ୍ୟତୀତ ଗୁଜୁରାଟର ‘କାଙ୍କରେଜ୍’ ପ୍ରଜାତିର ଏକ ୫ ବର୍ଷୀୟ ଷଣ୍ଢ ମଧ୍ୟ ଦର୍ଶକଙ୍କ ମନ ମୋହୁଛି। ଏହାର ଉଚ୍ଚତା ୫ ଫୁଟ୍ ଏବଂ ଓଜନ ପ୍ରାୟ ୭୦୦ କିଲୋଗ୍ରାମ। ଏହାର ରକ୍ଷଣାବେକ୍ଷଣ ପାଇଁ ମାସିକ ପ୍ରାୟ ୪୦,୦୦୦ ଟଙ୍କା ବ୍ୟୟ କରାଯାଏ।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦ୍ୱାରା ଉଦଘାଟିତ ଏହି ସମାବେଶରେ ଏଭଳି ଉନ୍ନତ ପ୍ରଜାତିର ପ୍ରାଣୀମାନଙ୍କୁ ପ୍ରଦର୍ଶିତ କରିବା ପଛର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ରାଜ୍ୟର ଚାଷୀମାନଙ୍କୁ ବୈଜ୍ଞାନିକ ପ୍ରଜନନ ଏବଂ ପଶୁପାଳନ କ୍ଷେତ୍ରରେ ସଚେତନ କରିବା।