ଅଧିକ ସୁଧ ଦେବା ଆଳରେ ୧୦୦୦ କୋଟିର ଠକେଇ

ଭୁବନେଶ୍ୱର,୧୯।୧୦(ସତ୍ୟଜିତ ରାଉତ): ନିବେଶରୁ ଅଧିକ ଲାଭ ଦେବା ଆଳରେ ୧୦୦୦ କୋଟି ଟଙ୍କା ଠକେଇ ମାମଲାରେ କ୍ରାଇମ୍‌ବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ) ଜଣେ ଅଭିଯୁକ୍ତଙ୍କୁ ଶନିବାର ଗିରଫ କରିଛି। ସେ ହେଲେ କଟକ ୪୨ ମୌଜା ଝିଙ୍କିରିଆ ଅଞ୍ଚଳର ପ୍ରତାପ କୁମାର ରାଉତ। ତାଙ୍କଠାରୁ ଠକେଇ ସମ୍ବନ୍ଧୀୟ ବହୁ ଦସ୍ତାବିଜ୍‌ ଜବତ ହୋଇଛି। ପ୍ରତାପଙ୍କୁ କଟକ ଓପିଆଡି କୋର୍ଟ ଚାଲାଣ କରାଯିବା ପରେ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।
ସୂଚନା ଅନୁଯାୟୀ, ହେଡ୍‌ଜେକ୍ସ ଫଣ୍ଡ ଏଲ୍‌ଏଲ୍‌ପି ସଂସ୍ଥାରେ ପ୍ରତାପ ନିଜକୁ ଓଡ଼ିଶା ମୁଖ୍ୟ ବୋଲି ପରିଚୟ ଦେଉଥିଲେ। ତାଙ୍କ କଥାରେ ବିଶ୍ୱାସ କରି ବିଜୟ କୁମାର ପାଣିଗ୍ରାହୀ ୯୨ ଲକ୍ଷ ୬୦ ହଜାର ୪୮୦ ଟଙ୍କା ନିବେଶ କରି ଠକେଇର ଶିକାର ହୋଇଥିଲେ। ପ୍ରତାପଙ୍କ କଥାରେ ପ୍ରଲୋଭିତ ହୋଇ ବିଜୟ ନିଜ ଅବସରକାଳୀନ ଟଙ୍କାକୁ ମାସକୁ ୧୧%ରୁ ୧୮% ଲାଭ ପାଇବା ଆଶାରେ ନିବେଶ କରିଥିଲେ। କିଛିଦିନ ପରେ କମ୍ପାନୀ ବନ୍ଦ ହୋଇଯାଇଥିଲା। ବିଜୟଙ୍କ ଟଙ୍କା ମଧ୍ୟ ବ୍ଲକ ହୋଇଯାଇଥିଲା। ଏହା ଜାଣିବା ପରେ ଗତ ଅକ୍ଟୋବର ୧୪ରେ ବିଜୟଙ୍କ ଏତଲାକ୍ରମେ ଏକ ମାମଲା(ନଂ.୧୪/୨୦୨୫) ରୁଜୁ ହୋଇଥିଲା। ତଦନ୍ତରୁ ଜଣାପଡ଼ିଛି ଯେ, ଏହି କମ୍ପାନୀ ୨୦୨୩ରେ ଗୋଆରେ ପଞ୍ଜୀକୃତ ହୋଇଥିଲା। ୨୦୨୩-୨୦୨୪ରେ ଆନ୍ଧ୍ରପ୍ରଦେଶ, ପଶ୍ଚିମବଙ୍ଗ, ଆସାମ, ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ, ରାଜସ୍ଥାନ, ଗୁଜରାଟ, ତାମିଲନାଡୁ, ଦିଲ୍ଲୀ ଓ ଓଡ଼ିଶାର ୩ ଲକ୍ଷରୁ ଊଦ୍ଧର୍‌ବ ନିବେଶକାରୀ ଠକେଇର ଶିକାର ହୋଇଛନ୍ତି। ଏପରିକି ଓଡ଼ିଶାର ୧୨ ହଜାର ଲୋକଙ୍କଠାରୁ ଉକ୍ତ କମ୍ପାନୀ ୧୩୯ କୋଟି ଟଙ୍କା ଠକି ନେଇଥିଲା। ପ୍ରତାପ ଲୋକାଲ କୋ-ଅର୍ଡିନେଟର ଭାବେ କାମ କରିବା ସହ ଭୁବନେଶ୍ୱର ଓ କଟକରେ ବିଭିନ୍ନ ସମୟରେ ମିଟିଂ କରି ହେଡଜେକ୍ସ ଫଣ୍ଡକୁ ପ୍ରମୋଶନ କରାଉଥିଲେ। ସଂସ୍ଥାକୁ ଚଳାଉଥିବା ମୁଖ୍ୟ ଅଭିଯୁକ୍ତ ଦୀନେଶ କୁମାର ଜୈନ ଓ କୁଲ୍‌ଦୀପ ସିଂ ପନ୍‌ୱାରଙ୍କ ସହ ପ୍ରତାପ ନିୟମିତ ଯୋଗାଯୋଗରେ ରହି ହାୱାଲା ଜରିଆରେ ଟଙ୍କା କାରବାର କରୁଥିଲେ। ଇଓଡବ୍ଲ୍ୟୁ ଏହି ମାମଲାରେ ଅଧିକ ଖୋଳତାଡ଼ ଜାରି ରଖିବା ସହ ମାଷ୍ଟରମାଇଣ୍ଡଙ୍କୁ ଗିରଫ କରିବାକୁ ପ୍ରୟାସ କରୁଛି।

 

Dharitri – Odisha’s No.1, Most Trusted Odia Daily