ରାୟଗଡ଼ା,୨୨।୩(ଆଶିଷ ରଞ୍ଜନ ପଣ୍ଡା): ଆରପିଏଫ କନଷ୍ଟେବଳଙ୍କ ସତର୍କତା କାରଣରୁ ମୃତ୍ୟୁମୁଖରୁ ଅଳ୍ପକେ ବର୍ତ୍ତିଗଲେ ଯାତ୍ରୀ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ରାୟଗଡ଼ା ରେଳ ଷ୍ଟେସନରେ । କନଷ୍ଟେବଳଙ୍କ ଏଭଳି କାର୍ଯ୍ୟ ପାଇଁ ତାଙ୍କୁ ପ୍ରଶଂସା କରୁଛନ୍ତି ସ୍ଥାନୀୟ ଲୋକେ ।
ସୂଚନା ମୁତାବକ ରବିବାର ଅପରାହ୍ନ ପ୍ରାୟ ୪ଟା୫୦ସମୟରେ ଜଣେ ଯାତ୍ରୀ ରାୟଗଡ଼ାରୁ ବିଶାଖାପାଟଣା ଅଭିମୁଖେ ଯାଉଥିବା ନାଗାବଳୀ ଏକ୍ସପ୍ରେସ(୨୦୮୯୦) ଟ୍ରେନ୍ରେ ଯିବା ପାଇଁ ଚଢ଼ୁଥିଲେ । ଏହି ସମୟରେ ସେ ହଠାତ୍ ଖସି ପଡୁଥିଲେ । ତେବେ ସେଠାରେ କାର୍ଯ୍ୟରତ କନେଷ୍ଟବଳ ଅଙ୍କୁର ଚୌଧୁରୀ ଏହା ଦେଖି ଯାତ୍ରୀଙ୍କୁ ଧରିନେଇଥିଲେ । ଯାହାଫଳରେ ଟ୍ରାକ୍ରେ ପଡ଼ିବା ଭଳି ଅଘଟଣରୁ ଯାତ୍ରୀଜଣକ ଅଳ୍ପକେ ବର୍ତ୍ତି ଯାଇଥିଲେ । କନେଷ୍ଟବଳ ଚୌଧୁରୀ ପୂର୍ବରୁ ମଧ୍ୟ ଏଭଳି ଅନେକଥର ଯାତ୍ରୀଙ୍କ ଜୀବନ ବଂଚାଇବାର ନଜିର ରହିଛି । ତାଙ୍କର କର୍ତ୍ତବ୍ୟପରାୟଣ କାର୍ଯ୍ୟ ପାଇଁ ସାଧାରଣରେ ପ୍ରଶଂସାର ପାତ୍ର ହୋଇଛନ୍ତି ।