ରାଉରକେଲା, ୨୧।୧୧(ସଙ୍ଗୀତା ଜେନା): ରାଉରକେଲାର ଜାତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ (ଏନ୍ଆଇଟି)ର କମ୍ପ୍ୟୁଟର ସାଇନ୍ସ ଆଣ୍ଡ ଇଞ୍ଜିନିୟରିଂ ବିଭାଗ ପକ୍ଷରୁ ଭାରତର ପ୍ରଥମ ସ୍ବୟଂଚାଳିତ ଡ୍ରୋନ ସିଷ୍ଟମ ବିକଶିତ କରାଯାଇଛି, ଯାହା ନିର୍ଭୂଲ ଭାବେ ଲ୍ୟାଣ୍ଡ୍ ମ୍ୟାପିଂ (ଭୂମାନଚିତ୍ର) କରିପାରିବ। ଏହାର ପେଟେଣ୍ଟ କରାଯାଇପାରିଛି। ଏହା ପାରମ୍ପରିକ ମଡେଲଠାରୁ ଭିନ୍ନ ଏବଂ ରିଅଲ୍ ଟାଇମ୍ ଭୂମି ବୈଶିଷ୍ଟ୍ୟଗୁଡ଼ିକ ଚିହ୍ନଟ କରିବା ପାଇଁ ସକ୍ଷମ କରାଇଥାଏ। ଯଥା ଚାଷଜମି, ଜଙ୍ଗଲ, ଉଦ୍ଭିଦ ଓ ସହରାଞ୍ଚଳ ଇତ୍ୟାଦି ଚିହ୍ନଟ କରିଥାଏ।
ସହରୀ ଯୋଜନା, ବିପର୍ଯ୍ୟସ୍ତ ପରିଚାଳନା, ପ୍ରାକୃତିକ ସମ୍ବଳ ପରିଚାଳନା ଏବଂ କୃଷି ଭୂମି ସର୍ଭେ ଉଦ୍ଦେଶ୍ୟରେ ରିଅଲ୍ ଟାଇମ୍ ମ୍ୟାପିଂ ବ୍ୟବସ୍ଥାରେ ଏହା ବ୍ୟବହାର କରାଯାଇପାରିବ। ଏହି ବିକଶିତ ଡ୍ରୋନ୍ ସିଷ୍ଟମ ଇଣ୍ଟରନେଟ୍ ସଂଯୋଗ, ବାହ୍ୟ କମ୍ପ୍ୟୁଟର କିମ୍ବା ମାନୁଆଲ୍ ହସ୍ତକ୍ଷେପ ବିନା ସ୍ବୟଂଚାଳିତ ଭାବରେ ଭୂମି ମାନଚିତ୍ର ସୃ୍ଷ୍ଟି କରିବା ପାଇଁ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଏବଂ ମାନବବିହୀନ ବାୟୁଯାନ ବା ଅନ୍ମ୍ୟାନଡ୍ ଏରିଏଲ୍ ଭେଇକିଲ୍(ୟୁଭି) ବା ଡ୍ରୋନ ପ୍ରଯୁକ୍ତିବିଦ୍ୟା ବ୍ୟବହାର କରିଥାଏ।
ଏନ୍ଆଇଟି କମ୍ପ୍ୟୁଟର ସାଇନ୍ସ ଆଣ୍ଡ ଇଞ୍ଜିନିୟରିଂ ବିଭାଗ ସହଯୋଗୀ ପ୍ରାଧ୍ୟାପକ ପ୍ରଫେସର ସମ୍ବିତ ବକ୍ସିଙ୍କ ନେତୃତ୍ୱରେ ରିସର୍ଚ୍ଚ ଗ୍ରାଜୁଏଟ୍ ଡ. ତନ୍ମୟ କୁମାର ବେହେରା, ଡ. ଦେବବ୍ରତ ପାଲ୍ ଚୌଧୁରୀ ଏବଂ ରିସର୍ଚ୍ଚ ସ୍କଲାର୍ କାମେଲିଆ ରାୟ ପ୍ରମୁଖ ଏହାକୁ ବିକଶିତ କରିଛନ୍ତି। ଭାରତରେ ଭୂମି ମାନଚିତ୍ର ମାନୁଆଲ୍ ସର୍ଭେ ଉପରେ ବହୁତ ନିର୍ଭର କରିଥାଏ।
ପ୍ରାତଃ ଆନୁମାନିକ ମାନଚିତ୍ର ପ୍ରସ୍ତୁତ କରିବାରେ ସପ୍ତାହ ବା ମାସରୁ ଊର୍ଦ୍ଧ୍ୱ ସମୟ ଲାଗିଥାଏ। ସାମ୍ପ୍ରତିକ ସମୟରେ ଦୂରବର୍ତ୍ତୀ ଭୂଖଣ୍ଡର ଚିତ୍ର ପାଇଁ ଡ୍ରୋନଗୁଡ଼ିକୁ ଗ୍ରହଣ କରାଯାଇଛି। ଏକ ପଠନୀୟ ମାନଚିତ୍ର ପାଇଁ କ୍ୟାପଚର ହୋଇଥିବା ଭୂଚିତ୍ରଗୁଡ଼ିକର ଲ୍ୟାବ୍ ପ୍ରକ୍ରିୟାକରଣ ଭାବେ ବ୍ୟୟବହୁଳ ୱାର୍କଷ୍ଟେଶନରେ ଏବେ ବି ଏକ ସମୟସାପେକ୍ଷ ପ୍ରକ୍ରିୟା। ସାରାବିଶ୍ୱରେ ଡିପ୍ ଲର୍ନିଂ ବା ଗଭୀର ଅଧ୍ୟୟନ ମଡେଲଗୁଡ଼ିକ ବିକଶିତ ହେଉଛି। କିନ୍ତୁ ଅନେକ ସମୟରେ ଗହଳି ଯଥା ଭିଡ଼ ଟ୍ରାଫିକ ଯୋଗୁ ମଡେଲଗୁଡ଼ିକ ରିଅଲ୍ ଟାଇମ୍ ମ୍ୟାପିଂ କରିବାରେ ଅସମର୍ଥ ବା ଅସ୍ଥିର ମାନଚିତ୍ର ସୃଷ୍ଟି କରିଥାନ୍ତି।
ଏହି ସୀମାବଦ୍ଧତାକୁ ଦୂର କରିବା ପାଇଁ ରାଉରକେଲା ଏନ୍ଆଇଟି ଗବେଷକ ଦଳ ଏକ ଡିପ୍ ଲର୍ନିଂ ମଡେଲ ବିକଶିତ କରିଛନ୍ତି, ଯାହା ଡ୍ରୋନକୁ ରିଅଲ୍ ଟାଇମ୍ରେ ଭୂମି ବୈଶିଷ୍ଟ୍ୟକୁ ଚିହ୍ନଟ କରିଥାଏ। ପାରମ୍ପରିକ ଡ୍ରୋନଗୁଡ଼ିକ କେବଳ ପରବର୍ତ୍ତୀ ବିଶ୍ଳେଷଣ ପାଇଁ ଚିତ୍ର ସଂଗ୍ରହ କରେ। ଭୂମାନଚିତ୍ର ସମସ୍ତ ପ୍ରକ୍ରିୟାକରଣ ସ୍ବୟଂ ଏକକାଳୀନ କରିଥାଏ। ଏହି ପ୍ରକ୍ରିୟା ଯୋଗାଯୋଗ ଅଭାବ, ନେଟ୍ୱାର୍କ ନ ଥିବା ଅଞ୍ଚଳରେ କାର୍ଯ୍ୟକାରୀ ହୋଇଥାଏ। ଉକ୍ତ ମଡେଲ ଦ୍ୱାରା ସରକାରୀ ଏଜେନ୍ସିଗୁଡ଼ିକ କମ୍ ବ୍ୟୟରେ ଭୂମି ରେକର୍ଡ ଆଧୁନିକୀକରଣ, ସହରାଞ୍ଚଳ ଯୋଜନା ଓ ସ୍ମାର୍ଟସିଟି ବିକାଶରେ ପ୍ରୟୋଗ, କୃଷି ବିଭାଗରେ ଫସଲ ଅବସ୍ଥା, ମୃତ୍ତିକା ସ୍ବାସ୍ଥ୍ୟ ଓ ଜଳସେଚନ ଆବଶ୍ୟକତାକୁ ତୁରନ୍ତ ମୂଲ୍ୟାଙ୍କନ କରିପାରିବ।
ସେହିପରି ବନ୍ୟା, ଭୂସ୍ଖଳନ, ଭୂମିକମ୍ପ ଭଳି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଏହି ବ୍ୟବସ୍ଥା ତୁରନ୍ତ ଭୂଖଣ୍ଡର ସୂଚନା ପ୍ରଦାନ କରିପାରିବ। ଅନୁରୂପ ଭାବେ ପରିବେଶ ଓ ଜଙ୍ଗଲ ବିଭାଗ ଏହାକୁ ଜଙ୍ଗଲ କ୍ଷୟ ଜବରଦଖଲ ଏବଂ ଜୈବ ବିବିଧତା ପରିବର୍ତ୍ତନ ନିରୀକ୍ଷଣ କରିବା ପାଇଁ ବ୍ୟବହାର କରିପାରିବ। ଏହି ମଡେଲକୁ ନେଇ ଏନ୍ଆଇଟି ରାଉରକେଲା ଏବଂ ଆଇଆଇଟି ପାଟନା ବିଶ୍ଳେଷଣ ଆଇ-ହବ୍ ଫାଉଣ୍ଡେଶନ(ଟିଆଇଏଚ୍ ଆଇଆଇଟି ପାଟନା)କୁ ମିଳିତ ଭାବରେ ଏକ ଭାରତୀୟ ପେଟେଣ୍ଟ ପ୍ରଦାନ କରାଯାଇଛି। କାରଣ ଟିଆଇଏଚ୍ ଆଇଆଇଟି ପାଟନା ଭାରତ ସରକାରଙ୍କ ଡିଏସ୍ଟିର ନ୍ୟାଶନାଲ୍ ମିଶନ୍ ଅନ୍ ଇଣ୍ଟରଡିସିପ୍ଲିନାରୀ ସାଇବର ଫିଜିକାଲ ସିଷ୍ଟମ(ଏନ୍ଏମ୍-ଆଇସିପିଏସ୍) ମାଧ୍ୟମରେ ଏହି ଗବେଷଣାକୁ ପ୍ରୋତ୍ସାହନ ଦେଇଛି।
ଏ ସମ୍ପର୍କରେ ଅଧିକ ଆଲୋକପାତ କରି ଗବେଷକ ପ୍ରଫେସର ବକ୍ସି କହିଛନ୍ତି, ୨.୪୧ ନିୟୁତ ପାରାମିଟର ସହିତ ଏକ ହାଲୁକା ଏଆଇ ମଡେଲ ବ୍ୟବହାର କରାଯାଇଛି। ଯାହାଦ୍ୱାରା ଲମ୍ବା ଉଡାଣ ସମୟ ପାଇଁ ହାଲୁକା ଡିଜାଇନ ହୋଇଥିବା ଡ୍ରୋନ୍ । ଏହା ଯଥେଷ୍ଟ କ୍ଷୁଦ୍ର ପ୍ରୋସେସର ବହନ କରି ଠିକ୍ ମାନଚିତ୍ର ପ୍ରସ୍ତୁତ କରିଥାଏ ବୋଲି ପ୍ରଫେସର ବକ୍ସି କହିଛନ୍ତି।