ଗୋଲାପ ଫୁଲ ବି ଆଣେ ସମୃଦ୍ଧି; ଜାଣନ୍ତୁ…

ପ୍ରେମର ପ୍ରତୀକ କୁହାଯାଉଥିବା ଗୋଲାପ ଫୁଲ ବି ଘରକୁ ସୁଖସମୃଦ୍ଧି ଆଣିଥାଏ ବୋଲି ବାସ୍ତୁଶାସ୍ତ୍ରରେ ଉଲ୍ଲେଖ ରହିଛି। ତେବେ ଗୋଲାପ ଫୁଲ ସହ ବାସ୍ତୁର କ’ଣ ସବୁ ସମ୍ପର୍କ ରହିଛି ଜାଣନ୍ତୁ ସେ ସମ୍ପର୍କରେ…

* ବାସ୍ତୁଶାସ୍ତ୍ର ଅନୁଯାୟୀ, ଘରର ଦକ୍ଷିଣ-ପଶ୍ଚିମ ଦିଗରେ ଗୋଲାପ ଗଛ ଲଗାଇବା ଶୁଭ ହୋଇଥାଏ। ବିଶେଷକରି ନାଲିରଙ୍ଗର ଗୋଲାପ ଫୁଲ ପାଇଁ ଏହି ଦିଗ ସର୍ବୋତ୍ତମ। କୁହାଯାଏ, ଏହି ଦିଗରେ ଗୋଲାପ ଗଛ ରହିଲେ ଘରର ମୁଖିଆଙ୍କ ସାମାଜିକ ପ୍ରତିଷ୍ଠା କୁଆଡ଼େ ବଢ଼ିଥାଏ।

* ଜ୍ୟୋତିଷ ତଥା ଧର୍ମଶାସ୍ତ୍ରର ମତାନୁସାରେ, ଯଦି ପାରିବାରିକ ସମସ୍ୟା ଲାଗି ରହୁଥାଏ, ତା’ହେଲେ ଶୁକ୍ରବାର ମାତା ଲକ୍ଷ୍ମୀଙ୍କୁ ନାଲି ଗୋଲାପ ଅର୍ପଣ କରିବା ଦ୍ୱାରା ପରିବାରରେ ଶାନ୍ତି ବଜାୟ ରହିବା ସହ ସୁଖସମୃଦ୍ଧି ବୃଦ୍ଧି ପାଇଥାଏ।

* ଯେଉଁ ବ୍ୟକ୍ତିଙ୍କର ବୈବାହିକ ଜୀବନରେ ବାରମ୍ବାର ସମସ୍ୟା ଦେଖାଯାଉଥାଏ, ସେମାନେ କାଚ ବାଉଲ୍‌ରେ ପାଣି ସହିତ କିଛି ଗୋଲାପ ଫୁଲର ପାଖୁଡ଼ାକୁ ଭର୍ତ୍ତି କରି ରଖିବେ। ଆଉ ପ୍ରତିଦିନ ବାଉଲ୍‌ରେ ଥିବା ପାଣି ଓ ଗୋଲାପ ପାଖୁଡ଼ାକୁ ବଦଳାଉଥିବେ। ଏମିତି କିଛିଦିନ କଲେ ସମ୍ପର୍କରେ ନିବିଡ଼ତା ଆସୁଥିବାର ଲକ୍ଷ୍ୟ କରିପାରିବେ।

* ପ୍ରତିଦିନ ସନ୍ଧ୍ୟା ଦେବାବେଳେ ମାତା ଲକ୍ଷ୍ମୀଙ୍କ ଚରଣରେ ଗୋଲାପ ଫୁଲ ଅର୍ପଣ କଲେ ଅଥବା ଶୁକ୍ରବାର ପାଞ୍ଚଟି ଗୋଲାପ ଫୁଲର ପାଖୁଡ଼ାକୁ ପାନପତ୍ରରେ ରଖି ମାତା ଦୁର୍ଗାଙ୍କୁ ଅର୍ପଣ କଲେ ଘରେ କୁଆଡ଼େ ଧନଧାନ୍ୟ ବୃଦ୍ଧି ହୋଇଥାଏ ବୋଲି ବିଶ୍ୱାସ ରହିଛି।